Log in
English

ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-3- ଭକ୍ତିର କଷ୍ଟନିବୃତ୍ତି

Aug 3rd, 2024 | 8 Min Read
Blog Thumnail

Category: Bhagavat Purana

|

Language: Oriya

ଦେବର୍ଷି ନାରଦ କହୁଛନ୍ତି – ଏବେ ମୁଁ ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟର ସ୍ଥାପନା ନିମନ୍ତେ ପ୍ରଯତ୍ନପୂର୍ବକ ଶ୍ରୀଶୁକଦେବଙ୍କ ଦ୍ବାରା କଥିତ ଭାଗବତଶାସ୍ତ୍ରର କଥା ଦ୍ବାରା ଉଜ୍ଜ୍ବଳ ଜ୍ଞାନଯଜ୍ଞର ଅନୁଷ୍ଠାନ କରିବି | ଏହି ଯଜ୍ଞ ମୁଁ କେଉଁଠାରେ କରିବି, ଆପଣମାନେ ତଦର୍ଥେ ଏକ ସ୍ଥାନ ନିର୍ଦ୍ଦିଷ୍ଟ କରନ୍ତୁ | ଆପଣମାନେ ବେଦ-ଶାସ୍ତ୍ରର ପାରଦର୍ଶୀ ପଣ୍ଡିତ ଅଟନ୍ତି, ସେଥିପାଇଁ ଆପଣମାନେ ମୋତେ ଏହି ଶୁକଶାସ୍ତ୍ରର ମହିମା ଶୁଣାନ୍ତୁ | ଏହି ଶ୍ରୀମଦ୍ଭାଗବତ କଥା କେତେଦିନରେ ଶୁଣାଇବା ଉଚିତ୍ ଏବଂ ଏହା ଶ୍ରବଣ କରିବାର ବିଧି କ’ଣ – ତାହା ମଧ୍ୟ ନିର୍ଦ୍ଦେଶ କରନ୍ତୁ |

ସନକାଦି କହିଲେ – ହେ ନାରଦ ! ଆପଣ ଅତ୍ୟନ୍ତ ବିନୟୀ ଏବଂ ବିବେକବାନ ଅଟନ୍ତି | ଶୁଣନ୍ତୁ, ଏହି ସବୁ ବିଷୟ ଆମେ ଆପଣଙ୍କୁ ବୁଝାଇ କହୁଛୁ | ହରିଦ୍ବାର ନିକଟରେ ଆନନ୍ଦ ନାମକ ଏକ ଘାଟ ଅଛି | ଅନେକ ଋଷି-ମୁନି ସେଠାରେ ନିବାସ କରନ୍ତି ତଥା ସମୟ-ସମୟରେ ଦେବତା ଏବଂ ସିଦ୍ଧଗଣ ମଧ୍ୟ ସେଠାକୁ ଆସିଥାଆନ୍ତି | ନାନା ଜାତିର ବୃକ୍ଷ-ଲତା ପରିବେଷ୍ଟିତ ହୋଇ ସେହି ସ୍ଥାନ ଅତି ସଘନ ଅଟେ | ନବୀନ କୋମଳ ବାଲୁକାରେ ସ୍ଥାନଟି ଆଚ୍ଛାଦିତ | ସେହି ଘାଟଟି ଅତ୍ୟନ୍ତ ସୁରମ୍ୟ ଏବଂ ଏକାନ୍ତ ପ୍ରଦେଶରେ ଅବସ୍ଥିତ, ସ୍ବର୍ଣ୍ଣ କମଳର ସୁଗନ୍ଧିତ ବାୟୁରେ ସ୍ଥାନଟି ପରିପ୍ଲୁତ | ତାହାର ଆଖ-ପାଖରେ ବାସ କରୁଥିବା ସିଂହ, ହାତୀ ଆଦି ପରସ୍ପର ବିରୋଧି ପ୍ରାଣୀମାନଙ୍କ ଚିତ୍ତରେ ପରସ୍ପର ପ୍ରତି ବୈରଭାବ ନ ଥାଏ | ସେଠାରେ ଆପଣ ବିଶେଷ କିଛି ପ୍ରଯତ୍ନ ନ କରି ଜ୍ଞାନଯଜ୍ଞ ଆରମ୍ଭ କରନ୍ତୁ | ସ୍ଥାନର ପ୍ରଭାବରେ ସେଠାରେ କଥାରେ ଅପୂର୍ବ ରସ ଉଦୟ ହେବ | ନିଜ ଆଖି ଆଗରେ ନିର୍ବଳ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଜ୍ଞାନ-ବୈରାଗ୍ୟଙ୍କୁ ସାଙ୍ଗରେ ଧରି ଭକ୍ତି ମଧ୍ୟ ସେଠାକୁ ଆସିବ | କାରଣ ଯେଉଁଠାରେ ବି ଶ୍ରୀମଦ୍ଭାଗବତ କଥାର ଅନୁଷ୍ଠାନ ହୋଇଥାଏ, ଏହି ଭକ୍ତି ଆଦି ସେଠାରେ ସ୍ବତଃ ପହଞ୍ଚି ଯାଆନ୍ତି | କାନରେ କଥାର ଶବ୍ଦ ପଡିବା ମାତ୍ରେ ସେହି ତିନିଜଣ ତରୁଣ ଅବସ୍ଥାକୁ ପ୍ରାପ୍ତ ହେବେ |

ଏହିପରି କହି ନାରଦମୁନିଙ୍କ ସହିତ ସନକାଦି ପରମହଂସ ମଧ୍ୟ ଶ୍ରୀମଦ୍ଭାଗବତକଥାମୃତ ପାନ କରିବା ଅଭିପ୍ରାୟରେ ଅତିଶୀଘ୍ର ସେଠାରୁ ଗଙ୍ଗାତଟକୁ ଚାଲି ଆସିଲେ | ସେତେବେଳକୁ ଭୂଲୋକ, ଦେବଲୋକ, ବ୍ରହ୍ମଲୋକ – ସର୍ବତ୍ର ଏହି କଥା ଅନୁଷ୍ଠାନର ପ୍ରଚାର ହୋଇ ଯାଇଥିଲା | ସେଥିପାଇଁ ଯିଏ ବି ଭଗବତ୍କଥାର ରସିକ ବିଷ୍ଣୁଭକ୍ତ ଥିଲେ, ସେମାନେ ସମସ୍ତେ ସେହି କଥାମୃତ ପାନ କରିବା ନିମନ୍ତେ ସେଠାକୁ ଧାଇଁ ଆସିଲେ | ଭୃଗୁ, ବସିଷ୍ଠ, ଚ୍ୟବନ, ଗୌତମ, ମେଧାତିଥି, ଦେବଳ, ଦେବରାତ, ପରଶୁରାମ,ବିଶ୍ବାମିତ୍ର, ଶାକଳ, ମାର୍କଣ୍ଡେୟ, ଦତ୍ତାତ୍ରେୟ, ପିପ୍ପଳାଦ, ଯୋଗେଶ୍ବର ବ୍ୟାସ ଏବଂ ପରାଶର, ଛାୟାଶୁକ, ଜାଞ୍ଜଳି ଏବଂ ଜହ୍ନୁ ଆଦି ମୁନିଗଣ ନିଜ-ନିଜର ପୁତ୍ର, ଶିଷ୍ୟ ଏବଂ ସ୍ତ୍ରୀସମେତ ପ୍ରେମପୂର୍ବକ ସେଠାରେ ଆସି ପହଞ୍ଚିଲେ | ଏତଦ୍ ବ୍ୟତିତ ବେଦ, ବେଦାନ୍ତ,ମନ୍ତ୍ର, ତନ୍ତ୍ର, ସପ୍ତଦଶ ପୁରାଣ ଏବଂ ଷଡଶାସ୍ତ୍ର ମଧ୍ୟ ମୂର୍ତ୍ତିମାନ ହୋଇ ସେଠାରେ ଉପସ୍ଥିତ ହେଲେ |

ଗଙ୍ଗା ଆଦି ନଦୀ, ପୁଷ୍କର ଆଦି ସରୋବର, କୁରୁକ୍ଷେତ୍ର ଆଦି ସମସ୍ତ କ୍ଷେତ୍ର, ଦଣ୍ଡକ ଆଦି ବନ, ହିମାଳୟ ଆଦି ପର୍ବତ ତଥା ସମସ୍ତ ଦିଶା, ଦେବ, ଗନ୍ଧର୍ବ ଏବଂ ଦାନବ ଆଦି ସମସ୍ତେ କଥା ଶୁଣିବାକୁ ଆସିଲେ | ଯେଉଁମାନେ ନିଜ ଗୌରବରେ ମହିମାନ୍ବିତ ହୋଇ ଆସିବାକୁ ଇଚ୍ଛା କରୁ ନ ଥିଲେ, ମହର୍ଷି ଭୃଗୁ ସେମାନଙ୍କୁ ମଧ୍ୟ ବୁଝାଇ-ସୁଝାଇ ନେଇ ଆସିଲେ | 

ତଦନନ୍ତର କଥା ଶୁଣାଇବାରେ ଦୀକ୍ଷିତ ହୋଇ ଶ୍ରୀକୃଷ୍ଣ-ପରାୟଣ ସନକାଦି ମୁନୀଶ୍ବର ଦେବର୍ଷି ନାରଦଙ୍କ ଦ୍ବାରା ନିବେଦିତ ଆସନରେ ବିରାଜମାନ ହେଲେ | ସମସ୍ତ ଶ୍ରୋତା ସେମାନଙ୍କର ବନ୍ଦନା କଲେ | ଶ୍ରୋତାମଣ୍ଡଳୀର ସର୍ବାଗ୍ରେ ବୈଷ୍ଣବ, ବିରକ୍ତ,ସନ୍ୟାସୀ ଏବଂ ବ୍ରହ୍ମଚାରୀମାନେ ବସିଲେ ଏବଂ ସମସ୍ତଙ୍କ ଆଗରେ ଦେବର୍ଷି ନାରଦ ବିରାଜମାନ ହେଲେ | ସେମାନଙ୍କ ପଛକୁ ଗୋଟିଏ ପାର୍ଶ୍ବରେ ଋଷିଗଣ, ଗୋଟିଏ ପାର୍ଶ୍ବରେ ଦେବତା, ଗୋଟିଏ ପାର୍ଶ୍ବରେ ବେଦ-ଉପନିଷଦ ଆଦି ତଥା ଗୋଟିଏ ପାର୍ଶ୍ବରେ ତୀର୍ଥମାନେ ଏବଂ ଅନ୍ୟ ପାର୍ଶ୍ବରେ ସ୍ତ୍ରୀମାନେ ବସିଲେ | ସେହି ସମୟରେ ସବୁ ଦିଗରୁ ଜୟ-ଜୟକାର, ନମସ୍କାର ଏବଂ ଶଂଖ ଧ୍ବନି ସହିତ ଅବୀର-ରଙ୍ଗ ଓ ଫୁଲର ବର୍ଷା ହେବାରେ ଲାଗିଲା | କେହି କେହି ଦେବଶ୍ରେଷ୍ଠ ତ ବିମାନରେ ବସି ସେଠାରେ ଉପସ୍ଥିତ ଶ୍ରୋତାମାନଙ୍କ ଉପରେ କଳ୍ପବୃକ୍ଷର ପୁଷ୍ପ ବୃଷ୍ଟି କରିବାରେ ଲାଗିଲେ |

ଏହିପରି ଭାବରେ ପୂଜା ସମାପ୍ତ ହେବା ପରେ ଯେତେବେଳେ ସମସ୍ତେ ଏକାଗ୍ରଚିତ୍ତ ହୋଇ ବସିଗଲେ, ସନକାଦି ମୁନୀଶ୍ବର ସେତେବେଳେ ନାରଦଙ୍କୁ ଶ୍ରୀମଦ୍ଭାଗବତ ମାହାତ୍ମ୍ୟ ଶୁଣାଇବା ଆରମ୍ଭ କଲେ | ସନକାଦି କହିଲେ – ଏବେ ଆମ୍ଭେମାନେ ଆପଣଙ୍କୁ ଭାଗବତଶାସ୍ତ୍ରର ମହିମା ଶୁଣାଉଛୁ | ଏହାର ଶ୍ରବଣମାତ୍ରେ ମୁକ୍ତି ସହଜଲବ୍ଧ ହୋଇଯାଏ | ସଦା-ସର୍ବତ୍ର ଏହି ଶ୍ରୀମଦ୍ଭାଗବତ କଥାର ସେବନ ଏବଂ ଆସ୍ବାଦନ କରାଯିବା ଉଚିତ୍, କାରଣ ଏହାର ଶ୍ରବଣମାତ୍ରେ ହୃଦୟରେ ଶ୍ରୀହରି ବିରାଜମାନ କରନ୍ତି | ଏହି ଗ୍ରନ୍ଥରେ ଅଠର ହଜାର ଶ୍ଲୋକ ଏବଂ ଦ୍ବାଦଶ ସ୍କନ୍ଧ ରହିଛି ତଥା ଶ୍ରୀଶୁକଦେବ ଏବଂ ରାଜା ପରୀକ୍ଷିତଙ୍କର ସମ୍ବାଦ ରହିଛି | ଆପଣ ଧ୍ୟାନ ଦେଇ ଏହି ଶାସ୍ତ୍ରର ଶ୍ରବଣ କରନ୍ତୁ | କ୍ଷଣକ ପାଇଁ ହେଉ ପଛେ, କାନରେ ଏହି ଶୁକଶାସ୍ତ୍ରର କଥା ନ ପଡିବା ଯାଏଁ ଜୀବ ଅଜ୍ଞାନବଶ ସଂସାରଚକ୍ରରେ ଘୂରି ବୁଲୁଥାଏ | ଅନେକଗୁଡିଏ ଶାସ୍ତ୍ର-ପୁରାଣ ଶ୍ରବଣ କରିବାରେ କି ଲାଭ, ଏହା ଦ୍ବାରା ତ ବୃଥା ଭ୍ରମ ଉତ୍ପନ୍ନ ହୋଇଥାଏ | ଏକମାତ୍ର ଭାଗବତଶାସ୍ତ୍ର ହିଁ ମୁକ୍ତି ଦାନ କରିବା ନିମନ୍ତେ ପର୍ଯ୍ୟାପ୍ତ ଅଟେ | ଯେଉଁ ଗୃହରେ ନିତ୍ୟପ୍ରତି ଶ୍ରୀମଦ୍ଭାଗବତ କଥାର ଅନୁଷ୍ଠାନ ହେଉଥାଏ, ସେହି ଗୃହ ତୀର୍ଥରୂପ ହୋଇଯାଏ ଏବଂ ସେଠାରେ ବାସ କରୁଥିବା ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଯାଏ | ହଜାର-ହଜାର ଅଶ୍ବମେଧ ଯଜ୍ଞ ଏବଂ ଶହ-ଶହ ବାଜପେୟ ଯଜ୍ଞ ଏହି ଶୁକଶାସ୍ତ୍ର-କଥାର ଷୋଳଭାଗରୁ ଏକ ଭାଗ ସହିତ ମଧ୍ୟ ତୁଳନୀୟ ନୁହଁନ୍ତି | ହେ ତପୋଧନ ! ଲୋକେ ଉତ୍ତମ ରୂପେ ଶ୍ରୀମଦ୍ଭାଗବତ କଥାର ଶ୍ରବଣ ନ କରିବା ଯାଏଁ, ସେମାନଙ୍କ ଶରୀରରେ ପାପ ରହିଥାଏ | ଫଳ ଦୃଷ୍ଟିରୁ ଏହି କଥାର ସମତା ଗଙ୍ଗା, ଗୟା, କାଶୀ, ପୁଷ୍କର ବା ପ୍ରୟାଗ ଆଦି ତୀର୍ଥମାନେ ମଧ୍ୟ କରିପାରନ୍ତି ନାହିଁ |

ଯଦି ଆପଣଙ୍କର ପରମ ଗତି ପ୍ରାପ୍ତ କରିବାର ଇଚ୍ଛା ରହିଥାଏ, ତେବେ ଶ୍ରୀମଦ୍ଭାଗବତର ଅର୍ଦ୍ଧେକ ବା ଏକ-ଚତୁର୍ଥାଂଶ ଶ୍ଲୋକର ପାଠ ନିତ୍ୟ ନିୟମପୂର୍ବକ କରନ୍ତୁ | ବୁଦ୍ଧିମାନ ବ୍ୟକ୍ତି ଔଁକାର, ଗାୟତ୍ରୀ, ପୁରୁଷସୁକ୍ତ, ବେଦତ୍ରୟୀ, ଶ୍ରୀମଦ୍ଭାଗବତର ଦ୍ବାଦଶାକ୍ଷର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’, ଦ୍ବାଦଶ ବିଗ୍ରହବିଶିଷ୍ଟ ସୂର୍ଯ୍ୟଭଗବାନ, ପ୍ରୟାଗ, ସଂବତ୍ସରରୂପୀ କାଳ, ବ୍ରାହ୍ମଣ,ଅଗ୍ନିହୋତ୍ର, ଗୌ, ଦ୍ବାଦଶୀ ତିଥି, ତୁଳସୀ, ବସନ୍ତ ଋତୁ ଏବଂ ଭଗବାନ ପୁରୁଷୋତ୍ତମ – ଏମାନଙ୍କ ମଧ୍ୟରେ ବସ୍ତୁତଃ କୌଣସି ପ୍ରଭେଦ ମାନନ୍ତି ନାହିଁ | ଯେଉଁ ବ୍ୟକ୍ତି ଅହର୍ନିଶି ଅର୍ଥସହିତ ଶ୍ରୀମଦ୍ଭାଗବତ ଶାସ୍ତ୍ରର ପାଠ କରନ୍ତି, ତାଙ୍କର କୋଟି-କୋଟି ଜନ୍ମର ପାପ ନଷ୍ଟ ହୋଇଯାଏ – ଏଥିରେ ତିଳେମାତ୍ର ସନ୍ଦେହ ନାହିଁ | ଯେଉଁ ବ୍ୟକ୍ତି ପ୍ରତିଦିନ ଭାଗବତର ଅର୍ଦ୍ଧେକ ବା ଏକ-ଚତୁର୍ଥାଂଶ ଶ୍ଲୋକର ବି ପାଠ କରନ୍ତି, ତାଙ୍କୁ ରାଜସୂୟ ଏବଂ ଅଶ୍ବମେଧ ଯଜ୍ଞର ଫଳ ମିଳିଥାଏ | ନିତ୍ୟ ଭାଗବତ ପାଠ, ଭଗବାନଙ୍କର ଚିନ୍ତନ, ତୁଳସୀରେ ଜଳ ସିଂଚନ, ଗୌ-ସେବା – ଏସବୁର ଫଳ ସମାନ ଅଟେ | ଅନ୍ତସମୟରେ ଯେଉଁ ବ୍ୟକ୍ତି ଶ୍ରୀମଦ୍ଭାଗବତର ବାକ୍ୟ ଶ୍ରବଣ କରନ୍ତି, ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ନିଜ ବୈକୁଣ୍ଠଧାମ ପ୍ରଦାନ କରନ୍ତି | ଯେଉଁ ବ୍ୟକ୍ତି ଏହି ଶାସ୍ତ୍ରକୁ ସ୍ବର୍ଣ୍ଣ ସିଂହାସନରେ ରଖି ବିଷ୍ଣୁଭକ୍ତଙ୍କୁ ଦାନ କରନ୍ତି, ସେ ଭଗବାନଙ୍କର ସାୟୁଜ୍ୟ ପ୍ରାପ୍ତ କରିବା ଅବଶ୍ୟମ୍ଭାବୀ |

ଯେଉଁ ଦୁଷ୍ଟ ବ୍ୟକ୍ତି ସମ୍ପୂର୍ଣ୍ଣ ଆୟୁକାଳରେ ଥରେ ବି ନିଜ ଚିତ୍ତକୁ ଏକାଗ୍ର କରି ଶ୍ରୀମଦ୍ଭାଗବତାମୃତର ରସାସ୍ବାଦନ କରି ନ ଥାଆନ୍ତି,ସେ ନିଜର ଜୀବନ ଚଣ୍ଡାଳ ଓ ଗଧ ପରି ବ୍ୟର୍ଥ କରିଦିଅନ୍ତି; ସେ ତ କେବଳ ନିଜ ମାତାଙ୍କୁ ପ୍ରସବ-ବେଦନା ଦେବା ପାଇଁ ହିଁ ଉତ୍ପନ୍ନ ହୋଇଥାଆନ୍ତି | ଯିଏ ଏହି ଶୁକଶାସ୍ତ୍ରର କିଂଚିତ୍ ବି ବଚନ ଶୁଣି ନ ଥାଆନ୍ତି, ସେହି ପାପାତ୍ମା ବଞ୍ଚିଥାଇ ମଧ୍ୟ ଶବତୁଲ୍ୟ ଅଟନ୍ତି | ‘ପୃଥିବୀର ଭାରସ୍ବରୂପ ସେହି ପଶୁତୁଲ୍ୟ ମନୁଷ୍ୟକୁ ଧିକ୍କାର’ – ଯିଏ ସ୍ବର୍ଗଲୋକରେ ଦେବତାମାନଙ୍କର ପ୍ରଧାନ ଇନ୍ଦ୍ରାଦି ବୋଲାଇ ଥାଆନ୍ତି | 

ସଂସାରରେ ଶ୍ରୀମଦ୍ଭାଗବତ କଥା ପ୍ରାପ୍ତ ହେବା ବହୁତ କଠିନ; କୋଟି=କୋଟି ଜନ୍ମର ପୁଣ୍ୟଫଳ ରୂପେ ଏହା ପ୍ରାପ୍ତ ହୋଇଥାଏ | ହେ ନାରଦ ! ଆପଣ ଅତ୍ୟନ୍ତ ବୁଦ୍ଧିମାନ ଏବଂ ଯୋଗନିଧି ଅଟନ୍ତି | ଅତଏବ ଆପଣ ଏକାଗ୍ର ଚିତ୍ତରେ ଏହି କଥାର ଶ୍ରବଣ କରନ୍ତୁ | ଏହାର ଶ୍ରବଣ ନିମନ୍ତେ ଦିନର ପ୍ରତ୍ୟେକ ସମୟ ଉପଯୁକ୍ତ ଅଟେ; ସର୍ବଦା ଶୁଣିବାକୁ ମିଳିଲେ ତ ଆହୁରି ଉତ୍ତମ | ସତ୍ୟଭାଷଣ ଏବଂ ବ୍ରହ୍ମଚର୍ଯ୍ୟପାଳନପୂର୍ବକ ଏହାର ସର୍ବଦା ଶ୍ରବଣକୁ ହିଁ ଶ୍ରେଷ୍ଠ ମନେ କରାଯାଇ ଥାଏ | କିନ୍ତୁ କଳିଯୁଗରେ ତାହା ସମ୍ଭବ ନୁହେଁ;ସେଥିପାଇଁ ଏହାର ଶ୍ରବଣ ନିମନ୍ତେ ଶୁକଦେବମୁନି ଯେଉଁ ବିଧି ନିର୍ଦ୍ଦେଶ କରିଛନ୍ତି, ତାହା ଜାଣିନେବା ଉଚିତ୍ | କଳିଯୁଗରେ ବହୁ ଦିନ ଯାଏଁ ଚିତ୍ତବୃତ୍ତିକୁ ବଶୀଭୂତ କରି ରଖିବା, ନିୟମରେ ବାନ୍ଧି ହୋଇ ରହିବା ଏବଂ କୌଣସି ପୁଣ୍ୟକାର୍ଯ୍ୟ ନିମନ୍ତେ ଦୀକ୍ଷିତ ହେବା ଅତ୍ୟନ୍ତ କଠିନ ଅଟେ; ସେଥିପାଇଁ ସପ୍ତାହ-ଶ୍ରବଣର ବିଧି ରହିଛି | ଶ୍ରଦ୍ଧାପୂର୍ବକ ଯେ କୌଣସି ସମୟରେ ଶ୍ରବଣ କରିବା ଅଥବା ମାଘ ମାସରେ ଶ୍ରବଣ କରିବାର ଯେଉଁ ଫଳ ରହିଛି, ଶ୍ରୀଶୁକଦେବ ମୁନି ତାହାକୁ ସପ୍ତାହ-ଶ୍ରବଣର ଫଳ ରୂପେ ନିର୍ଧାରିତ କରିଛନ୍ତି | ମନର ଅସଂଯମତା, ରୋଗର ବହୁଳତା, ଆୟୁର ସ୍ବଲ୍ପତା କାରଣରୁ ତଥା କଳିଯୁଗରେ ଅନେକ ଦୋଷର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ସପ୍ତାହଶ୍ରବଣର ବିଧି ନିର୍ଧାରିତ କରାଯାଇଛି | ତପ, ଯୋଗ ଏବଂ ସମାଧିରେ ମଧ୍ୟ ଯେଉଁ ଫଳ ପ୍ରାପ୍ତ ହୋଇ ନ ଥାଏ, ତାହା ସର୍ବାଙ୍ଗରୂପରେ ଏହି ସପ୍ତାହ-ଶ୍ରବଣ ଦ୍ବାରା ସହଜରେ ପ୍ରାପ୍ତ ହୋଇଯାଏ | ସପ୍ତାହ-ଶ୍ରବଣର ବିଶେଷତ୍ବ ଯଜ୍ଞ, ବ୍ରତ,ତପ, ତୀର୍ଥସେବନ, ଯୋଗ, ଏପରି କି ଧ୍ୟାନ, ଜ୍ଞାନ ଆଦି ସମସ୍ତ ସାଧନଠାରୁ ଅଧିକ ଅଟେ |

ସନକାଦି ମୁନୀଶ୍ବରମାନଙ୍କର ମୁଖନିଃସୃତ ଶ୍ରୀମଦ୍ଭାଗବତ କଥାର ଏହି ସପ୍ତାହ-ଶ୍ରବଣ ବିଧିର ମହତ୍ତ୍ବ ସମ୍ପର୍କରେ ଶ୍ରୀସୂତ ମହାଶୟ ନୈମିଷାରଣ୍ୟରେ ଶୌନକାଦି ଋଷିମାନଙ୍କ ସମ୍ମୁଖରେ ବର୍ଣ୍ଣନା କରୁଥିଲେ | ସପ୍ତାହ-ଶ୍ରବଣର ବିଶେଷତ୍ବ ବିଷୟରେ ଶୁଣି ଶୌନକ ପଚାରିଲେ – ହେ ମହାଭାଗ ! ଏହା ନିଶ୍ଚିତ ସତ୍ୟ ଯେ ଏହି ଭାଗବତପୁରାଣ ଯୋଗବେତ୍ତା ବ୍ରହ୍ମାଙ୍କର ମଧ୍ୟ ଆଦି କାରଣ ଶ୍ରୀନାରାୟଣଙ୍କର ନିରୂପଣ କରିଥାଏ, କିନ୍ତୁ ମୋକ୍ଷପ୍ରାପ୍ତିର ଜ୍ଞାନାଦି ସମସ୍ତ ସାଧନକୁ ତିରସ୍କାର କରି ଏହି ଯୁଗରେ ଏହାର ମହତ୍ତ୍ବ ଏତେ ବେଶୀ କିପରି ହେଲା ? ଶୌନକଙ୍କର ଶଙ୍କା ନିବାରଣାର୍ଥେ ଶ୍ରୀସୂତ ମୁନି କହୁଛନ୍ତି – ହେ ଶୌନକ ! ଭଗବାନ ଶ୍ରୀକୃଷ୍ଣ ଏହି ଧରାଧାମକୁ ଛାଡି ନିଜ ନିତ୍ୟଧାମକୁ ଗମନ କରୁଥିବା ସମୟରେ ତାଙ୍କ ମୁଖାରବିନ୍ଦରୁ ଏକାଦଶ ସ୍କନ୍ଧର ଜ୍ଞାନୋପଦେଶ ଶ୍ରବଣ କରି ଉଦ୍ଧବ ତାଙ୍କୁ ପଚାରି ଥିଲେ – ହେ ଗୋବିନ୍ଦ ! ଆପଣ ତ ନିଜ ଭକ୍ତମାନଙ୍କର କାର୍ଯ୍ୟ ସମାପନ କରି ଏବେ ସ୍ବଧାମ ଗମନ କରିବାକୁ ଇଚ୍ଛା କରୁଛନ୍ତି; କିନ୍ତୁ ଏକ ବହୁତ ବଡ ଚିନ୍ତାରେ ମୋର ମନ ଘାରି ହେଉଛି | କୃପା କରି ମୋତେ ଆପଣ ଶାନ୍ତ କରନ୍ତୁ | ଏବେ ଘୋର କଳିକାଳ ଆଗତପ୍ରାୟ | ସଂସାରରେ ଅନେକ ଦୁଷ୍ଟ ପ୍ରକଟ ହେବେ; ସେମାନଙ୍କ ସଂସର୍ଗରେ ଯେତେବେଳେ ସତ୍-ପୁରୁଷମାନେ ମଧ୍ୟ ଉଗ୍ର ପ୍ରକୃତିର ହୋଇଯିବେ, ସେତେବେଳେ ସେମାନଙ୍କ ଭାରରେ ନିଷ୍ପେଷିତ ଏହି ଗୌରୂପିଣୀ ପୃଥିବୀ କାହାର ଶରଣରେ ଯିବ ? ହେ କମଳନୟନ ! ଏହାର ରକ୍ଷାର୍ଥେ ମୋତେ ତ ଆପଣଙ୍କ ବ୍ୟତିତ ଅନ୍ୟ କେହି ଦେଖାଯାଉ ନାହାଁନ୍ତି | ତେଣୁ ହେ ଭକ୍ତବତ୍ସଳ ପ୍ରଭୁ ! ସାଧୁମାନଙ୍କ ପ୍ରତି କୃପା କରି ଆପଣ ଏହି ଧରାଧାମକୁ ଛାଡି ଯାଆନ୍ତୁ ନାହିଁ | ଆପଣ ନିରାକାର ଏବଂ ଚିତ୍-ସ୍ବରୂପ ହୋଇ ମଧ୍ୟ ଭକ୍ତମାନଙ୍କ ନିମନ୍ତେ ଏହି ସଗୁଣ ରୂପ ଧାରଣ କରିଛନ୍ତି | ଏବେ ଆପଣଙ୍କ ବିୟୋଗରେ ଭକ୍ତଜନ ଏହି ପୃଥିବୀରେ କିପରି ରହିବେ ? ନିର୍ଗୁଣ ଉପାସନା ତ ବହୁତ କଷ୍ଟ, ସେଥିପାଇଁ ଆପଣ ଏହି ଦିଗରେ କିଛି ବିଚାର କରନ୍ତୁ | 

ପ୍ରଭାସକ୍ଷେତ୍ରରେ ଉଦ୍ଧବଙ୍କର ଏହି ବଚନ ଶୁଣି ଭଗବାନ ବିଚାର କଲେ ଯେ ଭକ୍ତମାନଙ୍କର ଅବଲମ୍ବନ ଭାବରେ ମୁଁ ଏଠାରେ କିଛି ବ୍ୟବସ୍ଥା କରିଯିବା ଉଚିତ୍ | ହେ ଶୌନକ ! ସେତେବେଳେ ଭଗବାନ ନିଜର ସମ୍ପୂର୍ଣ୍ଣ ଶକ୍ତି ଭାଗବତରେ ରଖିଦେଲେ ଏବଂ ସ୍ବୟଂ ଅନ୍ତର୍ଧ୍ୟାନ ହୋଇ ଏହି ଭାଗବତସମୁଦ୍ରରେ ପ୍ରବେଶ କରିଗଲେ | ଅତଏବ ଏହି ଶ୍ରୀମଦ୍ଭାଗବତ ମହାପୁରାଣ ଭଗବାନଙ୍କର ସାକ୍ଷାତ୍ ଶବ୍ଦମୟୀ ମୂର୍ତ୍ତି ଅଟେ | ଏହାର ସେବନ, ଶ୍ରବଣ, ପାଠ ଅଥବା ଦର୍ଶନ ହିଁ ମନୁଷ୍ୟର ସମସ୍ତ ପାପ ନଷ୍ଟ କରିଦିଏ | ଏହି କାରଣରୁ ଏହାର ସପ୍ତାହ-ଶ୍ରବଣ ସର୍ବଶ୍ରେଷ୍ଠ ମନେ କରାଯାଏ ଏବଂ କଳିଯୁଗରେ ତ ଅନ୍ୟ ସବୁ ସାଧନ ଉପରେ ଏହାକୁ ପ୍ରଧାନ ଧର୍ମର ସ୍ଥାନ ଦିଆଯାଏ | କଳିକାଳରେ ଏହି ଧର୍ମ ମନୁଷ୍ୟର ଦୁଃଖ, ଦାରିଦ୍ର୍ୟ, ଦୁର୍ଭାଗ୍ୟ ଏବଂ ପାପ ନାଶ କରିଦିଏ ତଥା ମନୁଷ୍ୟକୁ କାମ-କ୍ରୋଧ ଆଦି ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ସକ୍ଷମ କରିଥାଏ | ଅନ୍ୟଥା ଭଗବାନଙ୍କ ମାୟା କବଳରୁ ଦେବତାମାନେ ତ ନିଜକୁ ରକ୍ଷା କରିପାରନ୍ତି ନାହିଁ, ସେଠାରେ ମନୁଷ୍ୟର ଅବା ଶକ୍ତି କେତେ ? ସୁତରାଂ ମାୟା କବଳରୁ ନିଷ୍କୃତି ଲାଭ କରିବା ପାଇଁ ସପ୍ତାହ-ଶ୍ରବଣର ବିଧାନ ରଖାଯାଇଛି |

ହେ ଶୌନକ ! ସଭାରେ ସନକାଦି ମୁନୀଶ୍ବର ଏହିପରି ଭାବରେ ସପ୍ତାହ-ଶ୍ରବଣର ମହିମା ବର୍ଣ୍ଣନା କରୁଥିବା ସମୟରେ ହଠାତ୍ ସେଠାରେ ଏକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳିଲା | ତରୁଣ ଅବସ୍ଥାକୁ ପ୍ରାପ୍ତ ହୋଇଥିବା ନିଜର ଦୁଇ ପୁତ୍ରଙ୍କୁ ସାଙ୍ଗରେ ଧରି ବିଶୁଦ୍ଧ ପ୍ରେମରୂପା ଭକ୍ତି, ମୁଖରେ ବାରମ୍ବାର ‘ଶ୍ରୀକୃଷ୍ଣ ! ଗୋବିନ୍ଦ ! ହରେ ! ମୁରାରେ ! ହେ ନାଥ ! ନାରାୟଣ ! ବାସୁଦେବ !’ ଆଦି ଭଗବନ୍ନାମ ଉଚ୍ଚାରଣ କରି କରି, ଅକସ୍ମାତ୍ ସେଠାରେ ପ୍ରକଟ ହୋଇଗଲେ | ସବୁ ସଦସ୍ୟମାନେ ଦେଖିଲେ ଯେ ପରମ ସୁନ୍ଦରୀ ଭକ୍ତିରାଣୀ ଭାଗବତର ଅର୍ଥରୂପୀ ଆଭୂଷଣ ଧାରଣ କରି ସେଠାକୁ ଆଗମନ କରିଛନ୍ତି | ମୁନିମାନଙ୍କର ସେହି ସଭାରେ ସମସ୍ତେ ତର୍କ-ବିତର୍କ କରିବାରେ ଲାଗିଲେ ଯେ ଇଏ କେଉଁଠାରୁ ଆସିଲେ ଏବଂ କିପରି ଏଠାରେ ପ୍ରବିଷ୍ଟ ହେଲେ | ସେମାନଙ୍କର ଜିଜ୍ଞାସାକୁ ଶାନ୍ତ କରିବାକୁ ଯାଇ ସନକାଦି ମୁନୀଶ୍ବର କହିଲେ ଯେ ଇଏ ଭକ୍ତିଦେବୀ ଅଟନ୍ତି, ଯିଏ ଏବେ ଭାଗବତ କଥାର ଅର୍ଥରୁ ପ୍ରକଟ ହୋଇଛନ୍ତି | ଏହାପରେ ଭକ୍ତି ନିଜ ପୁତ୍ରଙ୍କ ସମେତ ଅତ୍ୟନ୍ତ ବିନମ୍ର ଭାବରେ ସନତ୍-କୁମାରଙ୍କୁ କହିଲେ – କଳିଯୁଗରେ ତ ମୁଁ ନଷ୍ଟ-ପ୍ରାୟ ହୋଇ ଯାଇଥିଲି; ଆପଣମାନେ କଥାମୃତର ସିଞ୍ଚନ କରି ମୋତେ ପୁନର୍ବାର ପୁଷ୍ଟ କରିଦେଲେ | ଏବେ ଆପଣ କୁହନ୍ତୁ ମୁଁ କେଉଁଠାରେ ରହିବି | ତାହା ଶୁଣି ସନକାଦି କହିଲେ – ହେ ଭକ୍ତିଦେବୀ ! ତୁମେ ଭକ୍ତମାନଙ୍କୁ ଭଗବାନଙ୍କର ସ୍ବରୂପ ପ୍ରଦାନ କରିଥାଅ, ଅନନ୍ୟପ୍ରେମ ପ୍ରଦାନ କରିଥାଅ ଏବଂ ସଂସାର-ରୋଗକୁ ନିର୍ମୂଳ କରିଥାଅ | ଅତଏବ ତୁମେ ଧୈର୍ଯ୍ୟ ଧାରଣ କରି ନିତ୍ୟ-ନିରନ୍ତର ବିଷ୍ଣୁଭକ୍ତମାନଙ୍କର ହୃଦୟରେ ହିଁ ନିବାସ କର | କଳିଯୁଗର ଦୋଷ ସାରା ସଂସାରକୁ ପ୍ରଭାବିତ କରୁଥାଉ ପଛେ କିନ୍ତୁ ତୁମ ଉପରେ ତାହାର ଦୃଷ୍ଟି ପଡିବ ନାହିଁ | ମୁନୀଶ୍ବରମାନଙ୍କର ଏହି ଆଜ୍ଞା ପ୍ରାପ୍ତ କରିବା ମାତ୍ରେ ଭକ୍ତିଦେବୀ ଅତିଶୀଘ୍ର ଯାଇ ଭଗବଦ୍ଭକ୍ତମାନଙ୍କ ହୃଦୟରେ ବିରାଜମାନ ହୋଇଗଲେ |

ଯେଉଁମାନଙ୍କ ହୃଦୟରେ ଏକମାତ୍ର ଶ୍ରୀହରିଙ୍କର ଭକ୍ତି ନିବାସ କରିଥାଏ, ସେମାନେ ତ୍ରିଲୋକୀରେ ଅତ୍ୟନ୍ତ ନିର୍ଧନ ହୋଇ ମଧ୍ୟ ପରମ ଧନ୍ୟ ଅଟନ୍ତି; କାରଣ ସେହି ଭକ୍ତି ଡୋରିରେ ବାନ୍ଧି ହୋଇ ସ୍ବୟଂ ଭଗବାନ ନିଜ ପରମଧାମ ଛାଡି ଭକ୍ତ ହୃଦୟରେ ବିରାଜମାନ ହୋଇଯାଆନ୍ତି | ଭୂଲୋକରେ ଏହି ଭାଗବତ ସାକ୍ଷାତ୍ ପରବ୍ରହ୍ମଙ୍କର ବିଗ୍ରହ ଅଟେ | ଏହାର ଆଶ୍ରୟ ଗ୍ରହଣ କରି ଏହାକୁ ଶୁଣାଇବା ଦ୍ବାରା ତ ଶ୍ରୋତା ଏବଂ ବକ୍ତା ଉଭୟଙ୍କୁ ଶ୍ରୀକୃଷ୍ଣଙ୍କର ସମତା ପ୍ରାପ୍ତ ହୋଇଯାଏ | ତେଣୁ ଏହାକୁ ଛାଡି ଅନ୍ୟ ଧର୍ମରେ କି ପ୍ରୟୋଜନ ?