ଶ୍ରୀସୂତ ମୁନି କହୁଛନ୍ତି – ହେ ଶୌନକ ! ପିତା ବଣକୁ ଚାଲିଯିବା ପରେ ଦିନେ ଧୁନ୍ଧୁକାରୀ ନିଜ ମାତାଙ୍କୁ ବହୁତ ମାରି-ପିଟି କହିଲା – ଧନ କେଉଁଠି ରଖିଛୁ କହ | ନଚେତ୍ ଜଳନ୍ତା କାଠରେ ତୋତେ ପିଟିବି | ପୁତ୍ରର ଏପରି ଧମକକୁ ଡରି ଏବଂ ତା’ର ଉପଦ୍ରବରେ ଦୁଃଖୀ ହୋଇ ସେହି ଦିନ ରାତିରେ ଧୁନ୍ଧୁଲୀ କୂଅକୁ ଡେଇଁ ପଡିଲା ଏବଂ ତା’ର ମୃତ୍ୟୁ ହୋଇଗଲା | ଯୋଗନିଷ୍ଠ ଗୋକର୍ଣ୍ଣ ତୀର୍ଥଯାତ୍ରାରେ ବାହାରି ଗଲେ | ଏହିସବୁ ଘଟଣାକୁ ନେଇ ତାଙ୍କୁ କୌଣସି ସୁଖ-ଦୁଃଖର ଅନୁଭବ ହେଲା ନାହିଁ; କାରଣ ତାଙ୍କର କେହି ମିତ୍ର ନ ଥିଲେ କି ଶତ୍ରୁ ନ ଥିଲେ |
ଏହାପରେ ଧୁନ୍ଧୁକାରୀ ପାଞ୍ଚ ଜଣ ବେଶ୍ୟାଙ୍କ ସହିତ ଘରେ ରହିବାରେ ଲାଗିଲା | ସେମାନଙ୍କ ନିମନ୍ତେ ଭୋଗ-ସାମଗ୍ରୀ ଯୋଗାଡ କରିବାର ଚିନ୍ତା ତା’ର ବୁଦ୍ଧି ନଷ୍ଟ କରିଦେଲା ଏବଂ ସେ ନାନା ପ୍ରକାରର କ୍ରୂର କର୍ମ କରିବାରେ ଲାଗିଲା | ଦିନେ ସେହି କୁଳଟାମାନେ ତା’ଠାରୁ ବହୁତ ବେଶୀ ଆଭୂଷଣ ମାଗିଲେ | ସେ ତ କାମଭାବରେ ଅନ୍ଧପ୍ରାୟ ହୋଇ ମୃତ୍ୟୁର ସ୍ମରଣ ସୁଦ୍ଧା କରିପାରୁ ନ ଥିଲା; ବାସ୍, ସେମାନଙ୍କର ଇଚ୍ଛା ପୂରଣ କରିବାକୁ ସେ ଘରୁ ବାହାରି ଗଲା | ଏଣୁତେଣୁ ବହୁତ ଧନ ଚୋରୀ କରି ସେ ଘରକୁ ଫେରିଲା ଏବଂ ସେମାନଙ୍କ ପାଇଁ ସୁନ୍ଦର-ସୁନ୍ଦର ବସ୍ତ୍ର-ଆଭୂଷଣ କିଣି ଆଣିଲା | ଏତେ ପରିମାଣରେ ଚୋରୀ-ଧନ ଦେଖି ରାତିରେ ସ୍ତ୍ରୀମାନେ ବିଚାର କଲେ – ଇଏ ପ୍ରତିଦିନ ଚୋରୀ କରୁଛି, ତେଣୁ ଦିନେ-ନା-ଦିନେ ଇଏ ରାଜାଙ୍କ ହାତରେ ଧରା ପଡିବ | ରାଜା ଏହାର ସବୁ ଧନ ଛଡାଇ ନେବେ ଏବଂ ଏହାକୁ ପ୍ରାଣଦଣ୍ଡ ଦେବେ | ରାଜାଙ୍କ ହାତରେ ଧରା ପଡି ମରିବା ପୂର୍ବରୁ ଆମେ ଏହାକୁ ଗୁପ୍ତରୂପରେ ମାରି ଏହାର ସବୁ ଧନ ନେଇ ଏଠାରୁ ଚାଲିଯିବା | ଏହିପରି ବିଚାର କରି ବେଶ୍ୟାମାନେ ଶୋଇଥିବା ଅବସ୍ଥାରେ ଧୁନ୍ଧୁକାରୀକୁ ରସିରେ ବାନ୍ଧି ଦେଲେ ଏବଂ ତା’ ଗଳାରେ ଫାଶୀ ଲଗାଇ ତାକୁ ମାରିବାକୁ ଚେଷ୍ଟା କଲେ | ବହୁତ ଚେଷ୍ଟା କରିବା ସତ୍ତ୍ବେ ଯେତେବେଳେ ସେ ମରିଲା ନାହିଁ, ସେତେବେଳେ ସେହି ବେଶ୍ୟାମାନେ ତା’ ମୁହଁରେ ଜଳନ୍ତା କାଠ ପକାଇ ଦେଲେ ଏବଂ ସେଥିରେ ସେ ଛଟପଟ ହୋଇ ମରିଗଲା | ତାପରେ ସେମାନେ ତା’ର ମୃତଶରୀରକୁ ଗୋଟିଏ ଗର୍ତ୍ତରେ ପକାଇ ପୋତିଦେଲେ | ବାସ୍ତବରେ ସ୍ତ୍ରୀମାନେ ପ୍ରାୟତଃ ଅତ୍ୟନ୍ତ ଦୁଃସାହସୀ ଅଟନ୍ତି; ସେମାନଙ୍କର ସେହି କୃତ୍ୟ ବିଷୟରେ କେହି ଜାଣି ପାରିଲେ ନାହିଁ | ଲୋକେ ପଚାରିବାରୁ ସେମାନେ କହିଲେ, ‘ଧନ ଲୋଭରେ ସେ ଏଥର ଦୂର ଦେଶକୁ ଯାଇଛନ୍ତି, ବର୍ଷକ ଭିତରେ ଫେରି ଆସିବେ |’ ଦୁଷ୍ଟା ସ୍ତ୍ରୀମାନଙ୍କୁ ବୁଦ୍ଧିମାନ ପୁରୁଷ କେବେ ବି ବିଶ୍ବାସ କରିବା ଉଚିତ୍ ନୁହେଁ | ଯେଉଁ ମୂର୍ଖ ସେମାନଙ୍କୁ ବିଶ୍ବାସ କରେ, ତାକୁ ଅଶେଷ ଦୁଃଖ ଭୋଗ କରିବାକୁ ପଡିଥାଏ | ଏମାନଙ୍କର ବାଣୀ କାମୀପୁରୁଷଙ୍କ ହୃଦୟରେ ଅମୃତରସ ସଞ୍ଚାର କରିଥାଏ, କିନ୍ତୁ ଏମାନଙ୍କର ହୃଦୟ ଛୁରୀଧାରଠାରୁ ମଧ୍ୟ ଅଧିକ ତୀକ୍ଷ୍ଣ ଅଟେ | କେହି ମଧ୍ୟ ଏମାନଙ୍କର ପ୍ରିୟ ନୁହଁନ୍ତି |
ସେହି କୁଳଟାମାନେ ଧୁନ୍ଧୁକାରୀର ସମସ୍ତ ସମ୍ପତ୍ତି ସହିତ ସେଠାରୁ ପଳାୟନ କଲେ | ଏଣେ ନିଜର କୁକର୍ମ ଯୋଗୁଁ ଧୁନ୍ଧୁକାରୀ ପ୍ରେତଯୋନିକୁ ପ୍ରାପ୍ତ ହେଲା | ସେ ଘୂର୍ଣ୍ଣିବାତ ରୂପରେ ଦଶ ଦିଶାରେ ଘୂରି ବୁଲିଲା ତଥା ଶୀତ-ଗ୍ରୀଷ୍ମରେ ସନ୍ତପ୍ତ ଏବଂ ଭୋକ-ଶୋଷରେ ବ୍ୟାକୁଳ ହୋଇ ‘ହା ଦୈବ ! ହା ଦୈବ !’ ଚିତ୍କାର କରିବାରେ ଲାଗିଲା | କେଉଁଠାରେ ବି ତାକୁ ଆଶ୍ରୟ ମିଳିଲା ନାହିଁ | କିଛି ଦିନ ପରେ ଗୋକର୍ଣ୍ଣ ଲୋକ ମୁଖରୁ ଧୁନ୍ଧୁକାରୀର ମୃତ୍ୟୁ ସମାଚାର ଶୁଣିବାକୁ ପାଇଲେ | ତାକୁ ଅନାଥ ମନେକରି ଗୋକର୍ଣ୍ଣ ଗୟା ଏବଂ ଅନ୍ୟ ତୀର୍ଥମାନଙ୍କରେ ତା’ର ଶ୍ରାଦ୍ଧ କଲେ | ଏଣେତେଣେ ଭ୍ରମଣ କରି ଦିନେ ଗୋକର୍ଣ୍ଣ ଆସି ନିଜ ନଗରରେ ପହଞ୍ଚୖଲେ ଏବଂ ସେହି ଦିନ ରାତିରେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ସିଧା ଆସି ନିଜ ଘର-ଅଗଣାରେ ଶୋଇଗଲେ | ନିଜ ଭାଈକୁ ସେଠାରେ ଶୋଇଥିବା ଦେଖି ଅର୍ଦ୍ଧରାତ୍ରିରେ ଧୁନ୍ଧୁକାରୀ ତାଙ୍କୁ ନିଜର ବିକଟ ରୂପ ଦେଖାଇଲା | ସେ କେବେ ହାତୀ, କେବେ ମଇଁଷି, କେବେ ଇନ୍ଦ୍ର, କେବେ ଅଗ୍ନି ରୂପ ଧାରଣ କରୁଥାଏ | ଶେଷରେ ସେ ମନୁଷ୍ୟ ରୂପରେ ପ୍ରକଟ ହେଲା | ତାକୁ ଏପରି ବିପରୀତ ଅବସ୍ଥାରେ ପ୍ରକଟ ହେଉଥିବା ଦେଖି ଗୋକର୍ଣ୍ଣ ଅନୁମାନ କଲେ ଯେ ନିଶ୍ଚିତ ଭାବରେ ଇଏ ଦୁର୍ଗତିକୁ ପ୍ରାପ୍ତ ହୋଇଥିବା କୌଣସି ଜୀବ ଅଟେ | ସାହସ କରି ସେ ପଚାରିଲେ – ତୁମେ କିଏ ? ରାତ୍ରୀକାଳରେ ତୁମେ ଏପରି ଭୟାନକ ରୂପ କାହିଁକି ଦେଖାଉଛ ? ତୁମେ ଏହି ଦଶା କିପରି ପ୍ରାପ୍ତ ହେଲ ? ତୁମେ ପ୍ରେତ, ପିଶାଚ ଅଥବା ରାକ୍ଷସ – କିଏ ଅଟ ?
ଗୋକର୍ଣ୍ଣଙ୍କର ପ୍ରଶ୍ନ ଶୁଣି ପ୍ରେତାତ୍ମାଟି ଉଚ୍ଚ ସ୍ବରରେ କ୍ରନ୍ଦନ କରିବାରେ ଲାଗିଲା | କଥା କହିବାର ଶକ୍ତି ତା’ର ନ ଥିଲା, ସେଥିପାଇଁ ସେ କେବଳ ସଙ୍କେତମାତ୍ର କଲା | ତାହା ଦେଖି ଗୋକର୍ଣ୍ଣ ନିଜ ଅଞ୍ଜଳିର ଜଳକୁ ଅଭିମନ୍ତ୍ରିତ କରି ତା’ ଉପରେ ଛିଞ୍ଚି ଦେଲେ | ତଦ୍ବାରା ତା’ର ପାପ କିଛି ପରିମାଣରେ କ୍ଷୟ ହେବାରୁ ସେ କହିବାରେ ଲାଗିଲା – ‘ମୁଁ ତୁମର ଭାଈ ଧୁନ୍ଧୁକାରୀ ଅଟେ | ନିଜ ଦୋଷରୁ ମୁଁ ନିଜର ବ୍ରାହ୍ମଣତ୍ବ ହରାଇ ବସିଲି | ମୋର କୁକର୍ମ ଅଗଣିତ ଅଟେ | ଅଜ୍ଞାନରେ ମୋହିତ ହୋଇ ମୁଁ ଲୋକଙ୍କ ପ୍ରତି ଘୋର ହିଂସା କଲି ଏବଂ ଶେଷରେ କୁଳଟା ସ୍ତ୍ରୀମାନେ ମୋତେ ନିର୍ଯ୍ୟାତିତ କରି ମାରିଦେଲେ | ଏବେ ମୁଁ ପ୍ରେତ-ଯୋନିରେ ପଡି ଏହି ଦୁର୍ଦ୍ଦଶା ଭୋଗ କରୁଛି | ଭାଈ ! ତୁମେ ଦୟାର ସାଗର ଅଟ; କେମିତି ହେଉ ତୁମେ ମୋତେ ଏହି ପାପଯୋନିରୁ ମୁକ୍ତ କର |’ ଧୁନ୍ଧୁକାରୀଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ଗୋକର୍ଣ୍ଣ କହିଲେ – ‘ଭାଈ ! ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଗୟାରେ ମୁଁ ତୁମର ପିଣ୍ଡଦାନ କଲି, ତଥାପି ତୁମର ମୁକ୍ତି ହେଲା ନାହିଁ କିପରି ?’ ପ୍ରେତ କହିଲା – ‘ମୋର ପାପର ମାତ୍ରା ଏତେ ଅଧିକ ଯେ ଶହ-ଶହ ଗୟା-ଶ୍ରାଦ୍ଧ ଦ୍ବାରା ମଧ୍ୟ ମୋର ମୁକ୍ତି ହେବନାହିଁ | ତୁମେ ଏହାର ଅନ୍ୟ କୌଣସି ଉପାୟ ଚିନ୍ତା କର |’ ତାହା ଶୁଣି ଗୋକର୍ଣ୍ଣ କହିଲେ – ‘ଠିକ୍ ଅଛି, ତୁମେ ଏବେ ନିର୍ଭୟ ହୋଇ ନିଜ ସ୍ଥାନରେ ରୁହ | ମୁଁ ତୁମ ମୁକ୍ତିର ଅନ୍ୟ ଉପାୟ ଚିନ୍ତା କରୁଛି |’
ଗୋକର୍ଣ୍ଣଙ୍କର ଆଗମନ ବିଷୟରେ ଜାଣି ପ୍ରାତଃକାଳରେ ଲୋକେ ଯେତେବେଳେ ଶ୍ରଦ୍ଧାର ସହିତ ତାଙ୍କୁ ଦେଖା କରିବାକୁ ଆସିଲେ,ସେ ସେମାନଙ୍କ ଆଗରେ ଗତ ରାତ୍ରୀର ସବୁ କଥା ବର୍ଣ୍ଣନା କଲେ | ଦେଖା କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ କେହି କେହି ବିଦ୍ବାନ, ଯୋଗନିଷ୍ଠ, ଜ୍ଞାନୀ ଏବଂ ବେଦଜ୍ଞ ପୁରୁଷ ମଧ୍ୟ ଥିଲେ | ସେମାନେ ସବୁ ଶାସ୍ତ୍ରର ପୃଷ୍ଠା ଉନ୍ମୋଚନ କରି ଦେଖିଲେ, କିନ୍ତୁ ସେମାନଙ୍କୁ ମଧ୍ୟ ମୁକ୍ତିର ଅନ୍ୟ କୌଣସି ଉପାୟ ମିଳିଲା ନାହିଁ | ସେତେବେଳେ ସମସ୍ତେ ବିଚାର କରି ଏହା ନିଶ୍ଚୟ କଲେ ଯେ ଏହି ବିଷୟରେ ସୂର୍ଯ୍ୟନାରାୟଣଙ୍କର ଆଜ୍ଞା ଲୋଡିବା ଆବଶ୍ୟକ | ଗୋକର୍ଣ୍ଣ ନିଜ ତପୋବଳରେ ସୂର୍ଯ୍ୟଦେବଙ୍କର ଗତିରୋଧ କରି ତାଙ୍କୁ ପ୍ରାର୍ଥନା କଲେ – ଭଗବନ୍ ! ଆପଣ ସମ୍ପୂର୍ଣ୍ଣ ସଂସାରର ସାକ୍ଷୀ ଅଟନ୍ତି | କୃପା କରି ଆପଣ ମୋତେ ଧୁନ୍ଧୁକାରୀର ମୁକ୍ତିର ସାଧନ ନିର୍ଦ୍ଦେଶ କରନ୍ତୁ |’ ଗୋକର୍ଣ୍ଣଙ୍କର ପ୍ରାର୍ଥନା ଶୁଣି ସୂର୍ଯ୍ୟଦେବ ଦୂରରୁ ହିଁ ସ୍ପଷ୍ଟ ଶବ୍ଦରେ କହିଲେ – “ଶ୍ରୀମଦ୍ଭାଗବତ ହିଁ ସେହି ମୁକ୍ତିର ସାଧନ ଅଟେ | ତୁମେ ତାହାର ସପ୍ତାହ-ପାରାୟଣ କର |” ସୂର୍ଯ୍ୟଙ୍କର ଏହି ଧର୍ମମୟ ବଚନ ସେଠାରେ ଉପସ୍ଥିତ ସମସ୍ତେ ଶୁଣିଲେ | ତେଣୁ ସମସ୍ତେ ତାହାର ଆୟୋଜନରେ ଶ୍ରଦ୍ଧାର ସହିତ ଲାଗି ପଡିଲେ | ଗୋକର୍ଣ୍ଣ ମଧ୍ୟ ତଦନୁସାରେ କଥା ଶୁଣାଇବା ପାଇଁ ପ୍ରସ୍ତୁତ ହୋଇଗଲେ |
ଦେଶ ଏବଂ ପ୍ରାନ୍ତରୁ ଅନେକ ଲୋକ କଥା ଶୁଣିବାକୁ ସେଠାକୁ ଆସିଲେ | ଅନେକ ଛୋଟା-କେମ୍ପା, ଅନ୍ଧ, ବୃଦ୍ଧ ଏବଂ ମନ୍ଦମତି ପୁରୁଷ ନିଜ ପାପନିବୃତ୍ତି ଉଦ୍ଦେଶ୍ୟରେ ସେଠାରେ ଆସି ପହଞ୍ଚିଲେ | ଏହିପରି ଭାବରେ ସେଠାରେ ଏତେ ବେଶୀ ଭିଡ ଏକତ୍ରିତ ହୋଇଗଲା ଯେ ତାହା ଦେଖି ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ | କଥା ଆରମ୍ଭ କରିବା ଉଦ୍ଦେଶ୍ୟରେ ଗୋକର୍ଣ୍ଣ ଯେତେବେଳେ ବ୍ୟାସାସନରେ ବିରାଜମାନ ହେଲେ, ସେତେବେଳେ ସେହି ପ୍ରେତାତ୍ମା ସେଠାକୁ ଆସି ବସିବା ପାଇଁ ସ୍ଥାନ ଅନ୍ବେଷଣ କରିବାରେ ଲାଗିଲା | ସେହି ସମୟରେ ତା’ର ଦୃଷ୍ଟି ସିଧା ହୋଇ ରହିଥିବା ଗୋଟିଏ ବାଉଁଶ ଉପରେ ପଡିଲା | ବାୟୁରୂପ ହୋଇଥିବା କାରଣରୁ ବସିବା ପାଇଁ ତାକୁ ଏକ ଆଶ୍ରୟ ଆବଶ୍ୟକ ଥିଲା | ବାଉଁଶର ନିମ୍ନଭାଗରେ ଥିବା ଛିଦ୍ର ମଧ୍ୟ ଦେଇ ସେ ତା’ ଭିତରେ ପ୍ରବେଶ କଲା |
ଜଣେ ବୈଷ୍ଣବ ବ୍ରାହ୍ମଣଙ୍କୁ ମୁଖ୍ୟ ଶ୍ରୋତାର ସ୍ଥାନ ଦେଇ ଗୋକର୍ଣ୍ଣ ଭାଗବତ ପ୍ରଥମ ସ୍କନ୍ଧରୁ ହିଁ ସ୍ପଷ୍ଟ ସ୍ବରରେ କଥା ଶୁଣାଇବା ଆରମ୍ଭ କଲେ | ସାୟଂକାଳରେ ଯେତେବେଳେ କଥାକୁ ବିରାମ ଦିଆଗଲା, ସେତେବେଳେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଲା | ଚାହୁଁ ଚାହୁଁ ସବୁ ସଭାସଦଙ୍କ ଆଖି ଆଗରେ ଫୁଟିବା ଶବ୍ଦ କରି ସେହି ବାଉଁଶର ଗୋଟିଏ ଗଣ୍ଠି ଫାଟିଗଲା | ସେହିପରି ଦ୍ବିତୀୟ ଦିବସର ସାୟଂକାଳରେ ଦ୍ବିତୀୟ ଗଣ୍ଠି ଏବଂ ତୃତୀୟ ଦିବସର ସାୟଂକାଳରେ ତୃତୀୟ ଗଣ୍ଠି – ଏହିପରି ଭାବରେ ସାତ ଦିନରେ ସାତଟିଯାକ ଗଣ୍ଠି ଫାଟିଗଲା ଏବଂ ଦ୍ବାଦଶସ୍କନ୍ଧବିଶିଷ୍ଟ ଶ୍ରୀମଦ୍ଭାଗବତ କଥାର ପୂର୍ଣ୍ଣ ଶ୍ରବଣ କରି ଧୁନ୍ଧୁକାରୀ ପ୍ରେତଯୋନିରୁ ମୁକ୍ତ ହୋଇ ଦିବ୍ୟରୂପରେ ସମସ୍ତଙ୍କ ସମ୍ମୁଖରେ ପ୍ରକଟ ହେଲା | ମେଘ ପରି ତା’ର ଶ୍ୟାମଳ ଶରୀର ପୀତାମ୍ବର ଏବଂ ତୁଳସୀ ମାଳାରେ ସୁଶୋଭିତ ଥିଲା ତଥା ତା’ର ମସ୍ତକରେ ମନୋହର ମୁକୁଟ ଏବଂ କାନରେ କମନୀୟ କୁଣ୍ଡଳ ଝଲମଲ କରୁଥିଲା | ସର୍ବପ୍ରଥମେ ସେ ନିଜ ଭାଈ ଗୋକର୍ଣ୍ଣଙ୍କୁ ପ୍ରଣାମ କରି କହିଲା – ‘ଭାଈ ! ତୁମେ କୃପା କରି ମୋତେ ପ୍ରେତଯୋନିର ଯାତନାରୁ ମୁକ୍ତ କଲ | ପ୍ରେତପୀଡାର ନାଶକାରୀ ଏହି ଶ୍ରୀମଦ୍ଭାଗବତ କଥା ଧନ୍ୟ ଅଟେ ତଥା ଶ୍ରୀକୃଷ୍ଣଚନ୍ଦ୍ରଙ୍କର ପରମ ଧାମ ପ୍ରାପ୍ତ କରାଉଥିବା ଏହି ସପ୍ତାହ-ପାରାୟଣ ମଧ୍ୟ ଧନ୍ୟ ଅଟେ | ଯେତେବେଳେ ସପ୍ତାହ-ଶ୍ରବଣର ଯୋଗ ଆସିଥାଏ, ସେତେବେଳେ ସବୁ ପାପ ଭୟରେ ଥରି ଉଠନ୍ତି ଯେ ଏବେ ଏହି ଭାଗବତ ଆମର ଅନ୍ତ କରିଦେବ | ଅଗ୍ନି ଯେପରି ଛୋଟ-ବଡ, କଞ୍ଚା-ଶୁଖିଲା ସବୁ ପ୍ରକାରର କାଠକୁ ଜାଳି ଦେଇଥାଏ, ସେହିପରି ଏହି ସପ୍ତାହ-ଶ୍ରବଣ ମନ, ବାଣୀ ଏବଂ ଶରୀର ଦ୍ବାରା କରାଯାଇ ଥିବା ନୂଆ-ପୁରୁଣା, ଛୋଟ-ବଡ ସମସ୍ତ ପାପକୁ ଭସ୍ମ କରିଦେଇ ଥାଏ |
ବିଦ୍ବାନବର୍ଗ ଦେବତାମାନଙ୍କ ସଭାରେ କହନ୍ତି, ଯେଉଁମାନେ ଭାରତବର୍ଷରେ ଜନ୍ମ ଗ୍ରହଣ କରି ଶ୍ରୀମଦ୍ଭାଗବତ ଶ୍ରବଣ କରନ୍ତି ନାହିଁ,ସେମାନଙ୍କର ଜନ୍ମ ବୃଥା ଅଟେ | ମୋହପୂର୍ବକ ଏହି ଅନିତ୍ୟ ଶରୀରର ଲାଳନ-ପାଳନ କରି ଏହାକୁ ହୃଷ୍ଟ-ପୁଷ୍ଟ ଏବଂ ବଳବାନ କରି ରଖିଲେ ବି କିଛି ଲାଭ ମିଳି ନ ଥାଏ, ଯଦି ଏହି ଶରୀରରେ ଭାଗବତ କଥା ଶ୍ରବଣ କରା ନ ଯାଏ | ଅସ୍ଥି ଏହି ଶରୀରର ଆଧାରସ୍ତମ୍ଭ ଅଟେ, ଶିରା-ପ୍ରଶିରାରୂପ ରସିରେ ଏମାନେ ବନ୍ଧା ହୋଇଛନ୍ତି | ଉପରେ ମାଂସ ଓ ରକ୍ତ ଲେପନ କରି ଏହାକୁ ଚର୍ମରେ ଆବୃତ କରିଦିଆ ଯାଇଛି | ଏହାର ପ୍ରତ୍ୟେକ ଅଙ୍ଗରୁ ଦୁର୍ଗନ୍ଧ ନିର୍ଗତ ହେଉଥାଏ, କାରଣ ଯାହାହେଲେ ବି ଏହା ତ ମଳ-ମୂତ୍ରଭରା କଳସ ହିଁ ଅଟେ | ଏହାକୁ ରୋଗର ଘର ରୂପରେ ଜାଣ, ବୃଦ୍ଧାବସ୍ଥା ଏବଂ ଶୋକ କାରଣରୁ ଏହା ପରିଣାମତଃ ଦୁଃଖମୟ ହିଁ ଅଟେ | କିଛି-ନା-କିଛି କାମନାରେ ଏହା ନିରନ୍ତର ପୀଡିତ ହେଉଥାଏ, କେବେ ଏହାର ତୃପ୍ତି ହୁଏନାହିଁ | ଏହାର ପ୍ରତି ରୋମମୂଳରେ ଦୋଷ ହିଁ ଦୋଷ ଭରିରହିଛି, ଏହାକୁ ଧାରଣ କରିବା ଏକ ଭାର ବୋହିଵା ସଦୃଶ ଅଟେ | ନଷ୍ଟ ହେବାକୁ ଏହାକୁ ମୁହୂର୍ତ୍ତଟିଏ ବି ଲାଗେନାହିଁ | ନଷ୍ଟ ହେବା ପରେ ଏହାକୁ ଯଦି ମାଟିତଳେ ପୋତି ଦିଆଯାଏ, ତେବେ ଏଥିରେ ପୋକ ହୋଇଯାଆନ୍ତି; ପଶୁ ଭକ୍ଷଣ କଲେ ଏହା ସେମାନଙ୍କର ବିଷ୍ଠାରେ ପରିଣତ ହୋଇଯାଏ ଏବଂ ଅଗ୍ନିରେ ଦାହ କଲେ ଏହା ଭସ୍ମକୁଢ଼ରେ ପରିଣତ ହୋଇଯାଏ – ଏହି ତିନି ପ୍ରକାରର ଗତି ଏହାର ହୋଇଥାଏ | ଏହି ବିନାଶୀ ଶରୀରରେ ମନୁଷ୍ୟ ଏପରି କର୍ମ କାହିଁକି କରେ ନାହିଁ ଯାହା ଅବିନାଶୀ ଫଳ ପ୍ରଦାନ କରିଥାଏ ? ପ୍ରାତଃକାଳରେ ରନ୍ଧନ କରାଯାଇ ଥିବା ଅନ୍ନ ସାୟଂକାଳକୁ ସଢି ନଷ୍ଟ ହୋଇଯାଏ; ତା’ର ରସରେ ପୁଷ୍ଟ ହୋଇଥିବା ଏହି ଶରୀରରେ ନିତ୍ୟତା ଆସିବ କିପରି ?
ଏହି ସଂସାରରେ ଭାଗବତକଥାର ସପ୍ତାହ-ଶ୍ରବଣ ଦ୍ବାରା ଭଗବାନ ଅତି ଶୀଘ୍ର ପ୍ରାପ୍ତ ହୋଇପାରନ୍ତି | ଅତଏବ ସମସ୍ତ ଦୋଷନିବୃତ୍ତିର ଏକମାତ୍ର ସାଧନ ଏହା ହିଁ ଅଟେ | ଯେଉଁମାନେ ଭାଗବତକଥାରୁ ବଞ୍ଚିତ, ସେମାନଙ୍କର ଜନ୍ମ ତ ଜଳର ବୁଦବୁଦ ଏବଂ ଜୀବମାନଙ୍କ ମଧ୍ୟରେ ମଶା ପରି କେବଳ ନାଶ ହେବାକୁ ହୋଇଥାଏ | ଭଲା, ଯାହାର ପ୍ରଭାବରେ ଜଡ ଏବଂ ଶୁଷ୍କ ବାଉଁଶର ଗଣ୍ଠି ଫାଟିଯାଏ, ତଦ୍ବାରା ଚିତ୍ତର ଗ୍ରନ୍ଥି ଖୋଲିଯିବା ବଡ କଥା କ’ଣ ?
ଭିଦ୍ୟତେ ହୃଦୟଗ୍ରନ୍ଥିଃ ଛିଦ୍ୟନ୍ତେ ସର୍ବସଂଶୟାଃ |
କ୍ଷୀୟନ୍ତେ ଚାସ୍ୟ କର୍ମାଣି ସପ୍ତାହଶ୍ରବଣେ କୃତେ ||
ସପ୍ତାହଶ୍ରବଣ ଦ୍ବାରା ମନୁଷ୍ୟ ହୃଦୟର ସବୁ ଗ୍ରନ୍ଥି ଖୋଲିଯାଏ, ତା’ର ସବୁ ସଂଶୟ ଛିନ୍ନ-ଭିନ୍ନ ହୋଇଯାଏ ଏବଂ ସମସ୍ତ କର୍ମ କ୍ଷୀଣ ହୋଇଯାଏ | ସଂସାରର ମଳକୁ ଧୌତ କରିବା ପାଇଁ ଏହି ଶ୍ରୀମଦ୍ଭାଗବତ ତୀର୍ଥରୂପ ଅଟେ | ବିଦ୍ବାନମାନଙ୍କର କଥନ ଅନୁଯାୟୀ ଯେତେବେଳେ ଏହା ହୃଦୟରେ ସ୍ଥିତ ହୋଇଯାଏ, ସେତେବେଳେ ମନୁଷ୍ୟର ମୁକ୍ତି ସୁନିଶ୍ଚିତ |
ଧୁନ୍ଧୁକାରୀ ଏହି ସବୁ କଥା କହୁଥିବା ସମୟରେ ତା’ ପାଇଁ ବୈକୁଣ୍ଠବାସୀଙ୍କ ସହିତ ଏକ ବିମାନ ଆସିଲା, ଯାହାର ଚତୁର୍ଦ୍ଦିଗରେ ମଣ୍ଡଳାକାର ଆଭା ବିକିରଣ ହେଉଥିଲା | ସମସ୍ତଙ୍କ ଆଖି ଆଗରେ ଧୁନ୍ଧୁକାରୀ ସେହି ବିମାନ ଆରୋହଣ କଲା | ସେତେବେଳେ ବିମାନରେ ଆସିଥିବା ପାର୍ଷଦମାନଙ୍କୁ ଉଦ୍ଦେଶ୍ୟ କରି ଗୋକର୍ଣ୍ଣ କହିଲେ – ହେ ଭଗବାନଙ୍କର ପ୍ରିୟ ପାର୍ଷଦଗଣ ! ଏଠାରେ ଅନେକ ଶୁଦ୍ଧହୃଦୟ ଶ୍ରୋତା ମଧ୍ୟ ରହିଛନ୍ତି | ଆପଣମାନେ ସେମାନଙ୍କ ପାଇଁ ଏକସଙ୍ଗେ ଅନେକ ବିମାନ ନେଇ ଆସିଲେ ନାହିଁ କାହିଁକି ? ମୁଁ ଦେଖୁଛି, ଏଠାରେ ଉପସ୍ଥିତ ସମସ୍ତେ ସମାନରୂପରେ କଥା ଶ୍ରବଣ କରିଛନ୍ତି, ତେଣୁ ଫଳରେ ଏପରି ବିଷମତା ଆସିଲା କାହିଁକି ?
ଭଗବାନଙ୍କର ସେବକମାନେ କହିଲେ – ମହାଶୟ ! ଏହି ଫଳଭେଦର କାରଣ ସେମାନଙ୍କର ଶ୍ରବଣର ଭେଦ ହିଁ ଅଟେ | ଶ୍ରବଣ ତ ସମସ୍ତେ ସମାନରୂପରେ କଲେ, କିନ୍ତୁ ଏହା ପରି ମନନ କେହି ମଧ୍ୟ କରି ନାହାଁନ୍ତି | ଏହି ପ୍ରେତାତ୍ମା ସାତଦିନ ନିରାହାର ରହି ଶ୍ରବଣ କରିଥିଲା ତଥା ଶୁଣିଥିବା ବିଷୟର ସେ ସ୍ଥିରଚିତ୍ତରେ ମନନ ଏବଂ ନିଦିଧ୍ୟାସନ ମଧ୍ୟ କରିଥିଲା | ଦୃଢ ହୋଇ ନ ଥିବା ଜ୍ଞାନ, ବ୍ୟର୍ଥ ହୋଇଯାଏ | ସେହିପରି ଧ୍ୟାନ ନ ଦେଇ ଶ୍ରବଣ କରିବା, ମନ୍ତ୍ରରେ ସନ୍ଦେହ କରିବା ଏବଂ ଚିତ୍ତବୃତ୍ତି ଅସ୍ଥିର ରହିବା ଦ୍ବାରା ଜପର ମଧ୍ୟ ଫଳ ମିଳି ନ ଥାଏ | ବୈଷ୍ଣବହୀନ ଦେଶ, ଅପାତ୍ରକୁ କରାଇଥିବା ଶ୍ରାଦ୍ଧ ଭୋଜନ, ଅଶାସ୍ତ୍ରଜ୍ଞକୁ ଦାନ ଏବଂ ଆଚାରହୀନ କୁଳ – ଏହି ସବୁର ନାଶ ହୋଇଯାଏ | ଗୁରୁବଚନରେ ବିଶ୍ବାସ, ଦୀନତା ଭାବ, ମନର ଦୋଷ ଉପରେ ବିଜୟ ଏବଂ କଥାରେ ଚିତ୍ତର ଏକାଗ୍ରତା ଇତ୍ୟାଦି ନିୟମ ପାଳନ କରିବା ଦ୍ବାରା ଶ୍ରବଣର ଯଥାର୍ଥ ଫଳ ମିଳିଥାଏ | ଏହି ଶ୍ରୋତାମାନେ ଯଦି ପୁନର୍ବାର ଶ୍ରୀମଦ୍ଭାଗବତ କଥା ଶ୍ରବଣ କରିବେ, ତେବେ ନିଶ୍ଚିତ ଭାବରେ ଏମାନଙ୍କର ବୈକୁଣ୍ଠ ପ୍ରାପ୍ତି ହୋଇଯିବ | ହେ ଗୋକର୍ଣ୍ଣ ! ଆପଣଙ୍କୁ ତ ଭଗବାନ ସ୍ବୟଂ ଆସି ନିଜ ଗୋଲୋକଧାମକୁ ନେଇଯିବେ |’ ଏପରି କହି ସବୁ ପାର୍ଷଦ ହରିକୀର୍ତ୍ତନ କରି କରି ବୈକୁଣ୍ଠଲୋକକୁ ଚାଲିଗଲେ |
ଶ୍ରାବଣ ମାସରେ ପୁନର୍ବାର ଗୋକର୍ଣ୍ଣ ସେହିପରି ସପ୍ତାହକ୍ରମରେ କଥା କହିବାକୁ ଆରମ୍ଭ କଲେ ଏବଂ ସେହି ଶ୍ରୋତାମାନେ ପୁନର୍ବାର ତାହା ଶ୍ରବଣ କଲେ | ହେ ନାରଦ ! କଥାର ସମାପ୍ତିରେ ସେଠାରେ ଯାହା ସବୁ ଘଟିଲା, ତାହା ଶୁଣ | ସେଠାରେ ଭକ୍ତମାନଙ୍କରେ ଭରା ବିମାନ ସହିତ ସ୍ବୟଂ ଭଗବାନ ପ୍ରକଟ ହେଲେ | ସବୁ ଦିଗରୁ ଜୟ-ଜୟକାର ଏବଂ ନମସ୍କାରର ଧ୍ବନି ଶୁଣିବାକୁ ମିଳିଲା | ଭଗବାନ ସ୍ବୟଂ ଅତୀବ ହର୍ଷିତ ହୋଇ ନିଜ ପାଞ୍ଚଜନ୍ୟ ଶଂଖ ବଜାଇବାରେ ଲାଗିଲେ ଏବଂ ଗୋକର୍ଣ୍ଣଙ୍କୁ ହୃଦୟଲଗ୍ନ କରି ସେ ନିଜ ତୁଲ୍ୟ କରିନେଲେ | କେବଳ ସେତିକି ନୁହେଁ, କ୍ଷଣକରେ ସେ ଅନ୍ୟ ସବୁ ଶ୍ରୋତାଙ୍କୁ ମେଘ ପରି ଶ୍ୟାମବର୍ଣ୍ଣ, ରେଶମୀ ପୀତାମ୍ବରଧାରୀ ତଥା କିରୀଟ-କୁଣ୍ଡଳାଦିରେ ବିଭୂଷିତ କରିଦେଲେ | ଗୋକର୍ଣ୍ଣଙ୍କ କୃପାରୁ ସେହି ଗ୍ରାମର କୁକୁର ଏବଂ ଚାଣ୍ଡାଳ ଆଦି ଜୀବଙ୍କୁ ମଧ୍ୟ ବିମାନ ଆରୋହଣ କରିବାର ସୁଯୋଗ ମିଳିଲା ତଥା ଯୋଗିଜନ ଯେଉଁଠିକୁ ଯାଆନ୍ତି , ସେମାନଙ୍କୁ ସେହି ଭଗବତ୍-ଧାମକୁ ପଠାଇ ଦିଆଗଲା | ଗୋକର୍ଣ୍ଣଙ୍କୁ ସାଙ୍ଗରେ ନେଇ ଭକ୍ତବତ୍ସଳ ଭଗବାନ ଶ୍ରୀକୃଷ୍ଣ ଗୋପାଳବାଳକମାନଙ୍କର ପ୍ରିୟ ନିଜ ଗୋଲୋକଧାମକୁ ଚାଲିଗଲେ | ପୂର୍ବକାଳରେ ଯେପରି ଅଯୋଧ୍ୟାବାସୀ ଭଗବାନ ରାମଙ୍କ ସହିତ ସାକେତଲୋକକୁ ଯାଇଥିଲେ,ସେହିପରି ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ସେହି ଯୋଗୀଦୁର୍ଲଭ ଗୋଲୋକଧାମକୁ ନେଇଗଲେ | ଯେଉଁ ଲୋକକୁ ସୂର୍ଯ୍ୟ, ଚନ୍ଦ୍ର ଏବଂ ସିଦ୍ଧମାନଙ୍କର ମଧ୍ୟ ଗତି ନାହିଁ, କେବଳ ଶ୍ରୀମଦ୍ଭାଗବତ ଶ୍ରବଣ କରି ସେମାନେ ସେହି ଲୋକକୁ ଚାଲିଗଲେ |
ହେ ନାରଦ ! ସପ୍ତାହଯଜ୍ଞରେ କଥା-ଶ୍ରବଣର ଫଳ ବିଷୟରେ ଆମେ ଅଧିକ କ’ଣ କହିବୁ, ଯେଉଁମାନେ ନିଜ କର୍ଣ୍ଣପୁଟରେ ଗୋକର୍ଣ୍ଣଙ୍କ ଦ୍ବାରା ଉଚ୍ଚାରିତ ମାତ୍ର ଗୋଟିଏ ଅକ୍ଷର ଶ୍ରବଣ କରିଥିଲେ, ସେମାନଙ୍କୁ ମଧ୍ୟ ପୁନର୍ବାର ମାତୃଗର୍ଭକୁ ଆସିବାକୁ ପଡିଲା ନାହିଁ | ଲୋକେ କେବଳ ବାୟୁ, ଜଳ ବା ଶୁଷ୍କ ପତ୍ର ଭକ୍ଷଣ କରି ଶରୀରକୁ ଶୁଖାଇବା ଦ୍ବାରା, ବହୁକାଳ ଘୋର ତପସ୍ୟା କରିବା ଦ୍ବାରା ଏବଂ କଠିନ ଯୋଗାଭ୍ୟାସ ଦ୍ବାରା ଯେଉଁ ଗତିକୁ ପ୍ରାପ୍ତ କରିପାରନ୍ତି ନାହିଁ, ତାହା ସେମାନେ କେବଳ ସପ୍ତାହ-ଶ୍ରବଣ ଦ୍ବାରା ସହଜରେ ପ୍ରାପ୍ତ କରିନିଅନ୍ତି | ଚିତ୍ରକୂଟରେ ବିରାଜମାନ ମୁନୀଶ୍ବର ଶାଣ୍ଡିଲ୍ୟ ବ୍ରହ୍ମାନନ୍ଦରେ ମଗ୍ନ ରହି ମଧ୍ୟ ଏହି ପରମ ପବିତ୍ର ଇତିହାସର ପାଠ କରୁଥାଆନ୍ତି | ଏହି କଥା ଅତ୍ୟନ୍ତ ପବିତ୍ର ଅଟେ | ଏହାର ଥରେମାତ୍ର ଶ୍ରବଣରେ ସମସ୍ତ ପାପରାଶି ଭସ୍ମ ହୋଇଯାଏ | ଶ୍ରାଦ୍ଧ ସମୟରେ ଏହାର ପଠନ କରାଗଲେ, ପିତୃଗଣ ତୃପ୍ତ ହୋଇଥାଆନ୍ତି ଏବଂ ଏହାର ନିତ୍ୟ ପଠନ ଦ୍ବାରା ମୋକ୍ଷ ପ୍ରାପ୍ତ ହୋଇଥାଏ |
ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-1- ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତକାର
ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-1- ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତକାର