ଶ୍ରୀସୂତ ମୁନି କହୁଛନ୍ତି – ହେ ମୁନିବର ! ସେହି ସମୟରେ ନିଜ ଭକ୍ତମାନଙ୍କ ହୃଦୟରେ ଅଲୌକିକ ଭକ୍ତିର ପ୍ରାଦୁର୍ଭାବ ଦେଖି ଭକ୍ତବତ୍ସଳ ଶ୍ରୀଭଗବାନ ନିଜ ଧାମ ଛାଡି ସେଠାକୁ ଆଗମନ କଲେ | ତାଙ୍କ ଗଳାରେ ବନମାଳା ଶୋଭା ପାଉଥିଲା, ଶ୍ରୀଅଙ୍ଗ ସଜଳ ଜଳଧର ସଦୃଶ ଶ୍ୟାମବର୍ଣ୍ଣ ଥିଲା, ତା’ ଉପରେ ମନୋହର ପୀତାମ୍ବର ସୁଶୋଭିତ ଥିଲା, କଟିପ୍ରଦେଶ କିଂକିଣିର ଝରାରେ ସୁସଜ୍ଜିତ ଥିଲା, ମସ୍ତକରେ ମୁକୁଟ ଢଳି ରହିଥିଲା ଏବଂ କାନରେ କୁଣ୍ଡଳ ଝଲମଲ ହେଉଥିଲା | ଲଳିତତ୍ରିଭଙ୍ଗୀ ଭଙ୍ଗିରେ ଠିଆ ହୋଇ ସେ ଚିତ୍ତକୁ ଚୋରାଇ ନେଉଥିଲେ | ତାଙ୍କର ବକ୍ଷସ୍ଥଳରେ କୌସ୍ତୁଭମଣି ଚମକି ଉଠୁଥିଲା, ସମ୍ପୂର୍ଣ୍ଣ ଅଙ୍ଗ ଚନ୍ଦନ-ଚର୍ଚ୍ଚିତ ଥିଲା ଏବଂ ସେହି ରୂପର ଶୋଭା ସତେ ଯେପରି କୋଟି-କୋଟି କାମଦେବଙ୍କର ରୂପମାଧୁରୀକୁ ଲଜ୍ଜିତ କରୁଥିଲା | ସେହି ପରମାନନ୍ଦଚିନ୍ମୂର୍ତ୍ତି ମଧୁରାତିମଧୁର ମୁରଲୀଧର ଏପରି ଅନୁପମ ଛବିରେ ନିଜ ଭକ୍ତମାନଙ୍କର ନିର୍ମଳ ଚିତ୍ତରେ ଆବିର୍ଭୂତ ହେଲେ | ସେଠାକୁ ଭଗବାନଙ୍କର ନିତ୍ୟ ଲୋକନିବାସୀ ଲୀଳାପରିକର ଉଦ୍ଧବାଦି ମଧ୍ୟ କଥା ଶ୍ରବଣ କରିବାକୁ ଆସିଥିଲେ | ପ୍ରଭୁ ପ୍ରକଟ ହେବା ମାତ୍ରେ ଚତୁର୍ଦ୍ଦିଗ ‘ଜୟ ହୋ’ ‘ଜୟ ହୋ’ ଧ୍ବନିରେ ମୁଖରିତ ହୋଇ ଉଠିଲା | ସେହି ସମୟରେ ଭକ୍ତିର ଅଦ୍ଭୁତ ପ୍ରବାହ ହେବାରେ ଲାଗିଲା | ବାରମ୍ବାର ଶଂଖଧ୍ବନି ସହିତ ଅବୀର-ରଙ୍ଗ ଏବଂ ପୁଷ୍ପବୃଷ୍ଟି ହେବାରେ ଲାଗିଲା | ସଭାରେ ଯେତେ ଲୋକ ଉପସ୍ଥିତ ଥିଲେ କାହାର ବି ନିଜ ଦେହ, ଗେହ ଏବଂ ଆତ୍ମାର ସୁଧି ରହିଲା ନାହିଁ | ତାହା ଦେଖି ଦେବର୍ଷି ନାରଦ କହିଲେ –
ହେ ମୁନୀଶ୍ବରଗଣ ! ଆଜି ସପ୍ତାହ-ଶ୍ରବଣର ଏହି ଅଲୌକିକ ମହିମା ମୁଁ ନିଜ ଆଖିରେ ଦେଖିବାକୁ ପାଇଲି | ଏହାର ପ୍ରଭାବରେ ତ ଏଠାରେ ଉପସ୍ଥିତ ସମସ୍ତ ମୂର୍ଖ, ଦୁଷ୍ଟ ଏବଂ ପଶୁ-ପକ୍ଷୀ ମଧ୍ୟ ନିଷ୍ପାପ ହୋଇଗଲେ | ଅତଏବ ଏହା ନିଃସନ୍ଦେହ ଯେ ଏହି କଳିକାଳରେ ଚିତ୍ତ ଶୁଦ୍ଧି ନିମନ୍ତେ ଶ୍ରୀମଦ୍ଭାଗବତକଥା ସଦୃଶ ମର୍ତ୍ତ୍ୟଲୋକର ପାପପୁଞ୍ଜ ନାଶକାରୀ ଅନ୍ୟ କୌଣସି ପବିତ୍ର ସାଧନ ନାହିଁ | ହେ ମୁନିବର ! ଆପଣମାନେ ଅତିଶୟ କୃପାଳୁ ଅଟନ୍ତି | ସଂସାରର କଲ୍ୟାଣ ବିଷୟରେ ଚିନ୍ତା କରି ଆପଣମାନେ ଏପରି ଏକ ଅଭୂତପୂର୍ବ ମାର୍ଗର ନିରୂପଣ କରିଛନ୍ତି | ତେବେ ଏହି କଥାରୂପ ସପ୍ତାହଯଜ୍ଞର ଅନୁଷ୍ଠାନ କରି କେଉଁ କେଉଁ ଲୋକ ପବିତ୍ର ହୋଇଯାଆନ୍ତି, ଆପଣମାନେ କୃପା କରି ସେହି ବିଷୟରେ କିଛି କୁହନ୍ତୁ |
ସନକାଦି କହିଲେ – ଯେଉଁମାନେ ସର୍ବଦା ନାନା ପ୍ରକାରର ପାପକର୍ମ କରୁଥାଆନ୍ତି, ଦୁରାଚାରରେ ତତ୍ପର ରହିଥାଆନ୍ତି ଏବଂ ବିପରୀତ ମାର୍ଗରେ ଚାଲିଥାଆନ୍ତି ତଥା ଯେଉଁମାନେ କ୍ରୋଧାଗ୍ନିରେ ଜଳୁ ଥାଆନ୍ତି, କୁଟିଳ ଏବଂ କାମପରାୟଣ ଅଟନ୍ତି – ଏହି କଳିଯୁଗରେ ସେମାନେ ସମସ୍ତେ ଏହି ସପ୍ତାହଯଜ୍ଞ ଦ୍ବାରା ପବିତ୍ର ହୋଇଯାଆନ୍ତି | ଯେଉଁମାନେ ସତ୍ୟରୁ ଚ୍ୟୁତ, ମାତା-ପିତାଙ୍କର ନିନ୍ଦକ, ଆଶ୍ରମଧର୍ମ ରହିତ, ଦମ୍ଭୀ, ତୃଷ୍ଣାରେ ସଦା ବ୍ୟାକୁଳ, ଈର୍ଷ୍ୟାଯୁକ୍ତ ଏବଂ ପରପୀଡକ ଅଟନ୍ତି, ସେମାନେ ମଧ୍ୟ କଳିଯୁଗରେ ସପ୍ତାହଯଜ୍ଞ ଦ୍ବାରା ପବିତ୍ର ହୋଇଯାଆନ୍ତି | ଯିଏ ମଦିରାପାନ, ବ୍ରହ୍ମହତ୍ୟା, ସୁବର୍ଣ୍ଣଚୋରୀ, ଗୁରୁସ୍ତ୍ରୀଗମନ ଏବଂ ବିଶ୍ବାସଘାତ – ଏହି ପଞ୍ଚ ମହାପାପରେ ଗ୍ରସ୍ତ ଅଟନ୍ତି; ଯିଏ ଛଳ-ଛଦ୍ମପରାୟଣ, କ୍ରୂର, ପିଶାଚମାନଙ୍କ ପରି ନିର୍ଦୟୀ ଏବଂ ବ୍ୟଭିଚାରୀ ଅଟନ୍ତି, ସେମାନେ ମଧ୍ୟ କଳିଯୁଗରେ ଏହି ସପ୍ତାହଯଜ୍ଞ ଦ୍ବାରା ପବିତ୍ର ହୋଇଯାଆନ୍ତି | ଯେଉଁ ଦୁଷ୍ଟ ବ୍ୟକ୍ତି ମନ, ବାଣୀ, ଶରୀରରେ ଆଗ୍ରହପୂର୍ବକ ପାପ କରୁଥାଆନ୍ତି, ଅନ୍ୟର ଧନରେ ପୁଷ୍ଟ ଅଟନ୍ତି ତଥା ମଳୀନ ମନ ଏବଂ ପାପ ହୃଦୟବିଶିଷ୍ଟ ଅଟନ୍ତି, ସେମାନେ ମଧ୍ୟ ଏହା ଦ୍ବାରା ପବିତ୍ର ହୋଇଯାଆନ୍ତି |
ହେ ନାରଦ ! ଏହି ପ୍ରସଙ୍ଗରେ ଏବେ ଆମେ ତୁମକୁ ଏକ ପ୍ରାଚୀନ ଇତିହାସ ଶୁଣାଉଛୁ | ପୂର୍ବକାଳରେ ତୁଙ୍ଗଭଦ୍ରା ନଦୀ ତୀରରେ ଏକ ନଗର ଥିଲା | ସେଠାରେ ସବୁ ବର୍ଣ୍ଣର ଲୋକ ନିଜ-ନିଜ ଧର୍ମର ଆଚରଣ କରି ସତ୍ୟ ଏବଂ ସତ୍-କର୍ମରେ ପ୍ରବୃତ୍ତ ରହିଥିଲେ | ସେହି ନଗରରେ ସମସ୍ତ ବେଦର ବିଶେଷଜ୍ଞ ଏବଂ ଶ୍ରୌତ-ସ୍ମାର୍ତ କର୍ମରେ ନିପୁଣ ଆତ୍ମଦେବ ନାମକ ଜଣେ ବ୍ରାହ୍ମଣ ରହୁଥିଲେ | ଦେଖିବାକୁ ସେ ସାକ୍ଷାତ୍ ସୂର୍ଯ୍ୟଙ୍କ ପରି ତେଜସ୍ବୀ ଥିଲେ | ସେ ଧନୀ ହୋଇ ମଧ୍ୟ ଭିକ୍ଷାଜୀବୀ ଥିଲେ | ତାଙ୍କର ପତ୍ନୀ ଧୁନ୍ଧୁଳୀ ସୁନ୍ଦରୀ ଏବଂ କୁଳୀନ ପରିବାରର ହୋଇଥିଲେ ବି ଅତି ବେଶୀ ଜିଦଖୋର ଥିଲେ | ଲୋକଙ୍କର ଚୁଗୁଲି କରିବାରେ ତାଙ୍କୁ ସୁଖ ମିଳୁଥିଲା; ପ୍ରାୟତଃ ସେ କିଛି ନା କିଛି କୁଚର୍ଚ୍ଚା କରୁଥାଆନ୍ତି | ଗୃହକାର୍ଯ୍ୟରେ ସେ ନିପୁଣ ଥିଲେ, କିନ୍ତୁ ସ୍ବଭାବତଃ ସେ କୃପଣ,କ୍ରୂର ଏବଂ ଅତ୍ୟନ୍ତ କଳିହୁଡି ଥିଲେ | ଯାହାହେଉ, ସେହି ବ୍ରାହ୍ମଣଦମ୍ପତି ନିଜ ଘରେ ପ୍ରେମପୂର୍ବକ ବିହାର କରୁଥିଲେ | ତାଙ୍କ ପାଖରେ ଅର୍ଥ ଏବଂ ଭୋଗ-ବିଳାସ ସାମଗ୍ରୀ ବହୁତ ଥିଲା | ଘର-ଦ୍ବାର ମଧ୍ୟ ବୈଭବପୂର୍ଣ୍ଣ ଥିଲା, କିନ୍ତୁ ମନରେ ସେମାନଙ୍କର ସୁଖ ନ ଥିଲା | ବୟସ ଅତିକ୍ରାନ୍ତ ହୋଇ ଯାଉଥିବା ଦେଖି ସେମାନେ ସନ୍ତାନ-ପ୍ରାପ୍ତି ହେତୁ ନାନାଦି ପ୍ରକାରର ପୁଣ୍ୟକର୍ମ କରିବାକୁ ଆରମ୍ଭ କରିଦେଲେ | ଦୀନ-ଦୁଃଖୀଙ୍କୁ ଗୌ, ପୃଥିବୀ, ସୁବର୍ଣ୍ଣ ଏବଂ ବସ୍ତ୍ରାଦି ଦାନ କରିବାରେ ଲାଗିଲେ | ଏହିପରି ଦାନ-ଧର୍ମରେ ତାଙ୍କର ଅର୍ଦ୍ଧେକ ଧନ ସମାପ୍ତ ହୋଇଗଲା, ଅଥଚ ତାଙ୍କୁ ପୁତ୍ର ବା ପୁତ୍ରୀ କାହାର ବି ମୁଖଦର୍ଶନ କରିବାକୁ ମିଳିଲା ନାହିଁ | ସେଥିପାଇଁ ବ୍ରାହ୍ମଣ ଜଣକ ଅତିଶୟ ଚିନ୍ତାତୁର ରହିବାରେ ଲାଗିଲେ |
ଦିନେ ସେହି ବ୍ରାହ୍ମଣଦେବତା ଅତି ଦୁଃଖରେ ଘରୁ ବାହାରି ବଣକୁ ଚାଲିଗଲେ | ଦ୍ବିପ୍ରହର ସମୟରେ ତୃଷା ଅନୁଭବ କରି ସେ ଏକ ପୁଷ୍କରିଣୀ ନିକଟକୁ ଆସିଲେ ଏବଂ କ୍ଲାନ୍ତ ହୋଇ ଯାଇଥିବାରୁ ଜଳପାନ କରି ସେ ସେଠାରେ ବସି ରହିଲେ | କିଛି ସମୟ ପରେ ଜଣେ ସନ୍ୟାସୀ ମହାତ୍ମା ସେଠାକୁ ଆଗମନ କଲେ | ବ୍ରାହ୍ମଣଦେବତା ତାଙ୍କ ସମୀପକୁ ଆସି ତାଙ୍କ ଚରଣରେ ନମସ୍କାର କଲେ ଏବଂ ଆର୍ତ୍ତ ଭାବରେ ଅଶ୍ରୁପୂର୍ଣ୍ଣ ନେତ୍ରରେ ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଲେ | ସନ୍ୟାସୀ ଜଣକ ପଚାରିଲେ – ହେ ବ୍ରାହ୍ମଣଦେବତା ! ତୁମେ କାନ୍ଦୁଛ କାହିଁକି ? କେଉଁ ଚିନ୍ତାରେ ତୁମେ ବ୍ୟଥିତ ରହିଛ ? ତୁମ ଦୁଃଖର କାରଣ ମୋତେ କୁହ | ନିଜ ଦୁଃଖ ବଖାଣ କରି ବ୍ରାହ୍ମଣ କହିଲେ – ମହାଭାଗ ! ମୁଁ ନିଜ ପୂର୍ବଜନ୍ମ ପାପର ସଞ୍ଚିତ ଦୁଃଖ ବିଷୟରେ କ’ଣ କହିବି, ଏବେ ମୋର ପିତୃପୁରୁଷ ମୋ ଦ୍ବାରା ଅର୍ପିତ ଜଳକୁ ନିଜର ଚିନ୍ତାଜନିତ ଶ୍ବାସରେ ଗରମ କରି ପାନ କରୁଛନ୍ତି | ଦେବତା ଏବଂ ବ୍ରାହ୍ମଣମାନେ ମୋ ଦ୍ବାରା ପ୍ରଦତ୍ତ ଦ୍ରବ୍ୟକୁ ପ୍ରସନ୍ନ ମନରେ ସ୍ବୀକାର କରୁନାହାଁନ୍ତି | ସନ୍ତାନ ଅଭାବରେ ସାରା ସଂସାର ମୋତେ ଶୂନ୍ୟ ପ୍ରତୀତ ହେଉଛି | ଦୁଃଖରେ ପ୍ରାଣ ବିସର୍ଜନ କରିବା ପାଇଁ ମୁଁ ଏଠାକୁ ଆସିଛି | ମୋର ସନ୍ତାନହୀନ ଜୀବନକୁ ଧିକ୍କାର, ସନ୍ତାନହୀନ ଗୃହକୁ ଧିକ୍କାର, ସନ୍ତାନହୀନ ଧନକୁ ଧିକ୍କାର ଏବଂ ସନ୍ତାନହୀନ କୁଳକୁ ଧିକ୍କାର | ମୁଁ ଯେଉଁ ଗାଈ ରଖୁଛି, ସେ ବନ୍ଧ୍ୟା ରହୁଛି ଏବଂ ଯେଉଁ ଗଛ ଲଗାଉଛି, ସେଥିରେ ମଧ୍ୟ ଫୁଲ-ଫଳ ହେଉନାହିଁ | ଏପରି ଅଭାଗା ଏବଂ ପୁତ୍ରହୀନ ଜୀବନ ଧାରଣ କରିବାରେ କି ଲାଭ ? ଏପରି କହି ବ୍ରାହ୍ମଣ ଜଣକ ଅତିଶୟ ଦୁଃଖରେ ବ୍ୟାକୁଳ ହୋଇ ସେହି ସନ୍ୟାସୀ ମହାତ୍ମାଙ୍କ ସମ୍ମୁଖରେ କ୍ରନ୍ଦନ କରିବାରେ ଲାଗିଲେ | ତାହା ଦେଖି ସନ୍ୟାସୀଙ୍କ ହୃଦୟ କରୁଣାରେ ଦ୍ରବୀଭୂତ ହୋଇଗଲା | ସେ ତ ଯୋଗନିଷ୍ଠ ଥିଲେ; ଅତଏବ ବ୍ରାହ୍ମଣଦେବତାଙ୍କର ଲଲାଟକୁ ଚାହିଁ ସେ ସମସ୍ତ ବୃତ୍ତାନ୍ତ ଜାଣି ପାରୁଥିଲେ | ଏହାପରେ ସେ ବିସ୍ତାରପୂର୍ବକ କହିବାରେ ଲାଗିଲେ – ହେ ବ୍ରାହ୍ମଣଦେବତା ! ପୁତ୍ରପ୍ରାପ୍ତିର ମୋହ ତ୍ୟାଗ କର | କର୍ମର ଗତି ପ୍ରବଳ ଅଟେ, ସେଥିପାଇଁ ବିବେକର ଆଶ୍ରୟ ଗ୍ରହଣ କରି ସଂସାର ବାସନା ତ୍ୟାଗ କର | ବିପ୍ରବର ! ତୁମର ପ୍ରାରବ୍ଧକୁ ଦେଖି ମୁଁ ଜାଣିପାରୁଛି ଯେ ସାତ ଜନ୍ମ ଯାଏଁ ତୁମର ସନ୍ତାନ-ପ୍ରାପ୍ତିର ଯୋଗ ନାହିଁ | ପୂର୍ବକାଳରେ ରାଜା ସଗରଙ୍କୁ ଏବଂ ରାଜା ଅଙ୍ଗଙ୍କୁ ଏହି ସନ୍ତାନ-କାମନା କାରଣରୁ ବହୁ ଦୁଃଖ ଭୋଗ କରିବାକୁ ପଡିଥିଲା | ତେଣୁ ତୁମେ କୁଟୁମ୍ବର ଆଶା ପରିତ୍ୟାଗ କର | ବାସ୍ତବରେ ସନ୍ୟାସରେ ହିଁ ସବୁ ସୁଖ ରହିଛି |
ସବୁ ଶୁଣି ବ୍ରାହ୍ମଣ ଜଣକ କହିଲେ – ହେ ମହାତ୍ମା ! ଏହି ବିବେକ ଲାଭରୁ ମୋତେ କ’ଣ ମିଳିବ ? କେମିତି ହେଉ, ଆପଣ ମୋତେ ଏକ ପୁତ୍ର ପ୍ରଦାନ କରନ୍ତୁ; ନଚେତ୍ ଏଇଠି ଆପଣଙ୍କ ସମ୍ମୁଖରେ ହିଁ ମୁଁ ଶୋକମୂର୍ଚ୍ଛିତ ହୋଇ ପ୍ରାଣତ୍ୟାଗ କରିବି | ଯହିଁରେ ପୁତ୍ର-ସ୍ତ୍ରୀ ଆଦିର ସୁଖ ନାହିଁ, ସେପରି ସନ୍ୟାସ ତ ସର୍ବତୋ ଭାବରେ ନୀରସ ଅଟେ | ସଂସାରରେ ସରସ ତ ପୁତ୍ର-ପୌତ୍ରାଦିରେ ପରିପୂର୍ଣ୍ଣ ଗୃହସ୍ଥାଶ୍ରମ ହିଁ ଅଟେ |
ବ୍ରାହ୍ମଣଙ୍କର ଏପରି ଦୁରାଗ୍ରହ ଦେଖି ସେହି ତପସ୍ବୀ ଜଣକ କହିଲେ – ଦେଖ, ବିଧାତାର ଲେଖନକୁ ଅନ୍ୟଥା କରିବାର ଜିଦରେ ରାଜା ଚିତ୍ରକେତୁଙ୍କୁ ବହୁତ କଷ୍ଟ ଭୋଗ କରିବାକୁ ପଡିଥିଲା | ସେଥିପାଇଁ ଦୈବ ଯାହାର ସମସ୍ତ ଉଦ୍ୟମକୁ ବିଫଳ କରି ଦେଇଥାଏ, ସେହି ପୁରୁଷଙ୍କ ପରି ତୁମକୁ ମଧ୍ୟ ପୁତ୍ରସୁଖ ମିଳିବ ନାହିଁ | କିନ୍ତୁ ତୁମେ ତ ଜିଦ୍ କରି ମୋ ସମ୍ମୁଖରେ ଶବରୂପରେ ଠିଆ ହୋଇଛ; ଏପରି ସ୍ଥିତିରେ ମୁଁ ତୁମକୁ କ’ଣ ଅବା କହିବି ? ତାପରେ ମହାତ୍ମା ସେହି ବ୍ରାହ୍ମଣଙ୍କୁ ଗୋଟିଏ ଫଳ ଦେଇ କହିଲେ – ଠିକ୍ ଅଛି, ଏହି ଫଳଟିକୁ ତୁମେ ନିଜ ପତ୍ନୀଙ୍କୁ ଖାଇବାକୁ ଦେବ, ତଦ୍ବାରା ତାଙ୍କଠାରୁ ଏକ ପୁତ୍ରସନ୍ତାନ ଜାତ ହେବ | କିନ୍ତୁ ସେଥିପାଇଁ ତୁମ ସ୍ତ୍ରୀ ଏକ ବର୍ଷ ସତ୍ୟ, ଶୌଚ, ଦୟା, ଦାନ ଏବଂ ଦିନରେ ଏକ ସମୟ ଅନ୍ନ ଗ୍ରହଣ କରିବାର ନିୟମ ରଖିବା ଆବଶ୍ୟକ | ତାହାହେଲେ ବାଳକଟି ଶୁଦ୍ଧ ସ୍ବଭାବବିଶିଷ୍ଟ ହେବ |
ଏପରି କହି ଯୋଗୀରାଜ ସେଠାରୁ ଚାଲିଗଲେ ଏବଂ ବ୍ରାହ୍ମଣ ମଧ୍ୟ ଘରକୁ ଫେରି ନିଜକୁ ପତ୍ନୀଙ୍କ ହାତରେ ଫଳଟିକୁ ଦେଇ ସବୁ କଥା ବୁଝାଇ କହିବା ପରେ ସ୍ବୟଂ ଅନ୍ୟତ୍ର ଚାଲିଗଲେ | ତାଙ୍କ ସ୍ତ୍ରୀ ତ କୁଟୀଳ ସ୍ବଭାବର ଥିଲେ | ଫଳଟିକୁ ହାତରେ ଧରି ସେ କାନ୍ଦି-କାନ୍ଦି ନିଜର ଜଣେ ସଖୀଙ୍କୁ କହିଲେ – ମୁଁ ଘୋର ଚିନ୍ତାରେ ପଡିଯାଇଛି, ତେଣୁ ମୁଁ ଏହି ଫଳଟିକୁ ଖାଇବି ନାହିଁ | ଫଳଟିକୁ ଖାଇ ମୁଁ ଗର୍ଭବତୀ ହେବି, ମୋର ପେଟ ବଢିଯିବ, ଯାହା ଫଳରେ ନ ଖାଇ ନ ପିଇ ମୋର ଶକ୍ତି କ୍ଷୀଣ ହୋଇଯିବ | ସେପରି ସ୍ଥିତିରେ ଘରର କାମଧନ୍ଦା ଚଳିବ କିପରି ? ଦୈବବଶ ସେତେବେଳେ ଯଦି ଡାକୁମାନେ ଗ୍ରାମକୁ ଆକ୍ରମଣ କରିବେ, ତେବେ ମୁଁ ଗର୍ଭିଣୀ ସ୍ତ୍ରୀ ଧାଇଁ ପଳାଇ ସେମାନଙ୍କ କବଳରୁ ନିଜକୁ ରକ୍ଷା କରିବି କିପରି ? ପୁଣି ଯଦି ଶୁକଦେବଙ୍କ ପରି ଏହି ସନ୍ତାନ ଗର୍ଭରେ ହିଁ ରହିଯିବ, ତେବେ ତାହାକୁ ବାହାର କରାଯିବ କିପରି ? ପ୍ରସବକାଳରେ ଶିଶୁର ସ୍ଥିତି ଯଦି ବକ୍ର ହୋଇଯିବ, ତେବେ ତ ମୋର ପ୍ରାଣ ପ୍ରତି ସଂକଟ ରହିଛି | ଏମିତି ତ ପ୍ରସବକାଳରେ ଭୀଷଣ ପୀଡାର ଅନୁଭବ ହୋଇଥାଏ; ମୁଁ ସୁକୁମାରୀ ତାହା ସହ୍ୟ କରିବି କିପରି ? ଗର୍ଭ ଧାରଣ କରି ମୁଁ ଯେତେବେଳେ ଘରକାମ କରିବାକୁ ଅକ୍ଷମ ହୋଇଯିବି, ସେତେବେଳେ ମୋର ନଣନ୍ଦ ଘରକୁ ଆସି ସବୁ ଧନ-ସମ୍ପଦ ଲୁଟି ନେବ | ତାଛଡା ଗର୍ଭାବସ୍ଥାରେ ଏହି ସବୁ ସତ୍ୟ-ଶୌଚାଦି ନିୟମ ପାଳନ କରିବା ମୋ ପକ୍ଷରେ ସମ୍ଭବ ନୁହେଁ | ପୁତ୍ରବତୀ ସ୍ତ୍ରୀମାନଙ୍କୁ ପୁତ୍ରର ଲାଳନ-ପାଳନ ନିମନ୍ତେ ବହୁତ କଷ୍ଟ ଉଠାଇବାକୁ ପଡିଥାଏ; ମୋ ବିଚାରରେ ତ ବନ୍ଧ୍ୟା ଅଥବା ବିଧବା ସ୍ତ୍ରୀମାନେ ହିଁ ଅଧିକ ସୁଖୀ ଅଟନ୍ତି |
ମନରେ ଏପରି ଅନେକ ପ୍ରକାରର କୁତର୍କ ଜାତ ହେବାରୁ ବ୍ରାହ୍ମଣପତ୍ନୀ ଫଳଟିକୁ ଖାଇଲେ ନାହିଁ ଏବଂ ପରେ ଯେତେବେଳେ ତାଙ୍କର ପତି ସେହି ବିଷୟରେ ତାଙ୍କୁ ପ୍ରଶ୍ନ କଲେ, ସେ ମିଛରେ ‘ଖାଇଛି’ ବୋଲି କହିଦେଲେ | ଦିନେ ତାଙ୍କର ଭଉଣୀ ଘରକୁ ଆସିଥିବା ବେଳେ ସେ ତାଙ୍କୁ ସବୁ ବୃତ୍ତାନ୍ତ ଶୁଣାଇ କହିଲେ – ଭଉଣୀ ! ମିଛ କହିଦେଲି ସିନା, ଏବେ କିନ୍ତୁ ସେହି ଚିନ୍ତାରେ ଘାରି ହୋଇ ମୁଁ ଦୁର୍ବଳ ହୋଇଯାଉଛି | ମୁଁ କ’ଣ କରିବି କହ | ଭଉଣୀ କହିଲା – ଚିନ୍ତା କରନାହିଁ | ମୁଁ ଏବେ ଗର୍ଭବତୀ ଅଛି | ପ୍ରସବ ପରେ ସେହି ବାଳକକୁ ମୁଁ ତୁମକୁ ଦେଇ ଦେବି | ମୋ ସ୍ବାମୀଙ୍କୁ କିଛି ଧନ ଦେଇଦେଲ ସେ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଯିବେ | ସେତିକି ଦିନ ତୁମେ ଗର୍ଭ ଧାରଣ କରିଥିବା ପରି ଗୁପ୍ତରେ ଘର ଭିତରେ ରୁହ | ମୁଁ ଏପରି ପ୍ରଚାର କରାଇବି ଯେ ମୋର ସନ୍ତାନ ଛଅ ମାସର ହୋଇ ମରିଗଲା ଏବଂ ମୁଁ ପ୍ରତିଦିନ ତୁମ ଘରକୁ ଆସି ସେହି ବାଳକର ପାଳନ-ପୋଷଣ କରିବି | ତୁମ ପତି ଯେଉଁ ଫଳ ତୁମକୁ ଦେଇଥିଲେ, ତାହାର ପ୍ରଭାବ ପରୀକ୍ଷା କରିବା ପାଇଁ ତୁମେ ସେହି ଫଳଟିକୁ ଗାଈକୁ ଖାଇବାକୁ ଡେଇ ଦିଅ |
ତତ୍ପଶ୍ଚାତ୍ ସମୟାନୁସାରେ ଭଉଣୀ ଗର୍ଭରୁ ଯେଉଁ ପୁତ୍ର ସନ୍ତାନ ଜାତ ହେଲା, ତାହାକୁ ତା’ର ପିତା ଗୁପ୍ତରେ ଆଣି ଧୁନ୍ଧୁଲୀଙ୍କୁ ଦେଇଦେଲା ତଥା ଆତ୍ମଦେବଙ୍କୁ ଏହା ଜଣାଇ ଦେଲା ଯେ ସୁଖପୂର୍ବକ ତାଙ୍କ ପତ୍ନୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହୋଇଛି | ଆତ୍ମଦେବଙ୍କୁ ପୁତ୍ର ପ୍ରାପ୍ତ ହୋଇଥିବା ଜାଣି ସମସ୍ତେ ବହୁତ ଆନନ୍ଦିତ ହେଲେ | ବ୍ରାହ୍ମଣଦେବତା ନିଜ ପୁତ୍ରର ଜାତକର୍ମ ସଂସ୍କାର କରାଇବାକୁ ଯାଇ ଅନ୍ୟ ବ୍ରାହ୍ମଣମାନଙ୍କୁ ଦାନ ଦେଲେ | ତାଙ୍କ ଦ୍ବାରଦେଶରେ ଗାନ-ବାଜଣା ତଥା ଅନେକ ପ୍ରକାରର ମାଙ୍ଗଳିକ କୃତ୍ୟ ହେବାରେ ଲାଗିଲା | ଧୁନ୍ଧୁଲୀ ନିଜ ପତିଙ୍କୁ କହିଲା – ମୋ ସ୍ତନରୁ ଆଦୌ ଦୁଗ୍ଧସ୍ରାବ ହେଉ ନାହିଁ | ଗୋ ଆଦି ଅନ୍ୟ ଜୀବର ଦୁଗ୍ଧରେ ବାଳକର ପାଳନ କରିବା ଅପେକ୍ଷା ମୁଁ ଭାବୁଛି ମୋ ଭଉଣୀର ତ ପୁତ୍ର ଜାତ ହୋଇ ଛଅ ମାସରେ ମରିଯାଇଛି; ତାକୁ ଡକାଇ ଆଣିଲେ ସେ ଆମ ପୁତ୍ରର ପାଳନ-ପୋଷଣ କରନ୍ତା | ସ୍ତ୍ରୀଙ୍କ ପ୍ରସ୍ତାବରେ ଆତ୍ମଦେବ ରାଜି ହୋଇଗଲେ | ମାତା ଧୁନ୍ଧୁଲୀ ସେହି ବାଳକର ନାମ ଧୁନ୍ଧୁକାରୀ ରଖିଲେ |
ଏହାର ତିନି ମାସ ପରେ ଆତ୍ମଦେବଙ୍କର ଗାଈଠାରୁ ଏକ ମନୁଷ୍ୟାକାର ଶିଶୁ ଜାତ ହେଲା | ଦେଖିବାକୁ ସେ ସର୍ବାଙ୍ଗସୁନ୍ଦର,ଦିବ୍ୟ, ନିର୍ମଳ ତଥା ସୁବର୍ଣ୍ଣକାନ୍ତିଯୁକ୍ତ ଥିଲା | ତାକୁ ଦେଖି ବ୍ରାହ୍ମଣଦେବତା ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ନିଜ ହାତରେ ସେ ତାହାର ସବୁ ପ୍ରକାରର ସଂସ୍କାର କଲେ | ଏହି ସମାଚାର ଶୁଣି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହେବା ସହିତ ବାଳକକୁ ଦେଖି ପରସ୍ପର ଆଲୋଚନା କରିବାରେ ଲାଗିଲେ – ଭାଈ ! ଆତ୍ମଦେବଙ୍କର ଭାଗ୍ୟକୁ ଦେଖ, ତାଙ୍କ ଗାଈଠାରୁ ମଧ୍ୟ ଏପରି ଦିବ୍ୟସୁନ୍ଦର ବାଳକ ଉତ୍ପନ୍ନ ହୋଇଛି | ଦୈବଯୋଗରୁ ଏହାର ରହସ୍ୟ ବିଷୟରେ କେହି କିଛି ଜାଣି ପାରିଲେ ନାହିଁ | ବାଳକଟିର ଗାଈ ପରି କାନ ଥିବା ଦେଖି ଆତ୍ମଦେବ ତାହାର ନାମ ଗୋକର୍ଣ୍ଣ ରଖିଲେ |
କିଛି କାଳ ବିତିଯିବା ଉପରାନ୍ତେ ବାଳକ ଦୁହେଁ ଯୁବକରେ ପରିଣତ ହେଲେ | ଦୁହିଁଙ୍କ ମଧ୍ୟରୁ ଗୋକର୍ଣ୍ଣ ତ ଜଣେ ବହୁତ ବଡ ପଣ୍ଡିତ ଏବଂ ଜ୍ଞାନୀ ହେଲେ, କିନ୍ତୁ ଧୁନ୍ଧୁକାରୀ ଜଣେ ଦୁଷ୍ଟ ଯୁବକ ହେଲା | ସ୍ନାନ-ଶୌଚାଦି ବ୍ରାହ୍ମଣୋଚିତ ଆଚାରର ନାମ-ଗନ୍ଧ ସୁଦ୍ଧା ତା’ଠାରେ ପରିଦୃଶ୍ୟ ହେଉ ନ ଥିଲା | ଖାଦ୍ୟ-ପେୟରେ ସଂଯମ ନ ଥିଲା | ସେ ଅତିଶୟ କ୍ରୋଧୀ ଥିଲା | ଯେତେ ସବୁ ଖରାପ-ଖରାପ ବସ୍ତୁର ସଂଗ୍ରହରେ ବ୍ୟସ୍ତ ରହୁଥିଲା | ଶବ ହାତରୁ ମଧ୍ୟ ଅନ୍ନ ଛଡାଇ ଖାଇ ନେଉଥିଲା | ଚୋରୀ କରିବା ଏବଂ ଅନ୍ୟମାନଙ୍କ ପ୍ରତି ଦ୍ବେଷ କରିବା ତ ତାହାର ଯେପରି ସ୍ବଭାବ ହୋଇ ଯାଇଥିଲା | ଲୁଚି-ଛପି ସେ ଅନ୍ୟମାନଙ୍କ ଘରେ ନିଆଁ ଲଗାଇ ଦେଉଥିଲା | କାହାର ଖେଳୁଥିବା ପିଲାକୁ କୋଳକୁ ଉଠାଇ କୂଅରେ ଫିଙ୍ଗି ଦେଉଥିଲା | ହିଂସା ତ ତାହାର ଯେପରି ବ୍ୟସନ ହୋଇ ଯାଇଥିଲା | ସବୁ ସମୟରେ ସେ ଅସ୍ତ୍ରଶସ୍ତ୍ର ହାତରେ ଧରି ବିଚରଣ କରୁଥିଲା ଏବଂ ଅନ୍ଧ ଓ ଦୀନ-ଦୁଃଖୀମାନଙ୍କୁ ଅକାରଣରେ ହଇରାଣ କରୁଥିଲା | ଚାଣ୍ଡାଳମାନଙ୍କ ପ୍ରତି ତା’ର ବିଶେଷ ପ୍ରେମ ଥିଲା; ବାସ୍, କୁକୁର ଦଳଙ୍କୁ ସାଙ୍ଗରେ ନେଇ ହାତରେ ଜାଲ ଧରି ସେ ଶିକାର କରିବା ଉଦ୍ଦେଶ୍ୟରେ ଘୂରି ବୁଲୁଥିଲା | ବେଶ୍ୟାମାନଙ୍କ ଫାନ୍ଦରେ ପଡି ସେ ନିଜ ପିତାଙ୍କର ସମସ୍ତ ସମ୍ପତ୍ତି ନଷ୍ଟ କରିଦେଲା ଏବଂ ଦିନେ ମାତା-ପିତାଙ୍କୁ ମାରି-ପିଟି ଘରର ସବୁ ବାସନ-କୁସନ ଆସବାବ-ପତ୍ର ଉଠାଇ ନେଇଗଲା |
ଏହିପରି ଭାବରେ ଯେତେବେଳେ ସବୁ ସମ୍ପତ୍ତି ସ୍ବାହା ହୋଇଗଲା, ସେତେବେଳେ ତା’ର ପିତା କାନ୍ଦି କାନ୍ଦି ଭାବିଲେ – ଏହାର ମା’ବାଁଝ ରହିଥିଲେ ଭଲ ହୋଇଥାଆନ୍ତା; କୁପୁତ୍ରଠାରୁ ବଡ ଦୁଃଖ ଆଉ କିଛି ନାହିଁ | ହାୟ, ମୁଁ ଏବେ କେଉଁଠିକୁ ଯିବି, କେଉଁଠାରେ ରହିବି ? ମୋ ଉପରକୁ ଏହି ଯେଉଁ ମହାବିପତ୍ତି ମାଡି ଆସିଲା, ଏହି କାରଣରୁ ସମ୍ଭବତଃ ମୋତେ ନିଜର ପ୍ରାଣ ତ୍ୟାଗ କରିବାକୁ ପଡିବ | କିଏ ମୋତେ ଏହି ସଂକଟରୁ ଉଦ୍ଧାର କରିବ ? ସେହି ସମୟରେ ପରମ ଜ୍ଞାନୀ ଗୋକର୍ଣ୍ଣ ସେଠାରେ ଆସି ପହଞ୍ଚିଲେ ଏବଂ ସେ ନିଜ ପିତାଙ୍କୁ ବୈରାଗ୍ୟର ଉପଦେଶ ଦେଇ ବହୁତ ବୁଝାଇଲେ | ସେ କହିଲେ – ପିତାଶ୍ରୀ ! ଏହି ସଂସାର ଅସାର ଅଟେ | ଏହା ଅତ୍ୟନ୍ତ ଦୁଃଖରୂପ ଏବଂ ମୋହର କାରଣ ଅଟେ | କାହାର ପୁତ୍ର ? କାହାର ଧନ ? ସ୍ନେହବଶ ପୁରୁଷ ଏଠାରେ ଦିନ-ରାତି ପ୍ରଦୀପ ପରି ଜଳିବାରେ ଲାଗିଥାଏ | ସୁଖ ଇନ୍ଦ୍ରଙ୍କୁ ମିଳେନାହିଁ କି ଚକ୍ରବର୍ତ୍ତୀ ସମ୍ରାଟଙ୍କୁ ମିଳେନାହିଁ; ସୁଖ ତ ଏକମାତ୍ର ବିରକ୍ତ ଏବଂ ଏକାନ୍ତଜୀବୀ ମୁନିଙ୍କୁ ମିଳିଥାଏ | ତେଣୁ ଆପଣ ‘ଇଏ ମୋର ପୁତ୍ର ଅଟେ’ ଏହି ଅଜ୍ଞାନକୁ ତ୍ୟାଗ କରନ୍ତୁ | ଏହି ଶରୀର ତ ନଷ୍ଟ ହେବା ସୁନିଶ୍ଚିତ; ମୋହ ଯୋଗୁଁ ଏହାର ନର୍କ-ପ୍ରାପ୍ତି ହେବ | ସେଥିପାଇଁ ସବୁ କିଛି ତ୍ୟାଗ କରି ଆପଣ ବଣକୁ ଚାଲିଯାଆନ୍ତୁ |
ଗୋକର୍ଣ୍ଣଙ୍କର କଥା ଶୁଣି ଆତ୍ମଦେବ ବଣକୁ ଯିବାକୁ ପ୍ରସ୍ତୁତ ହୋଇଗଲେ | ସେ ପଚାରିଲେ – ପୁତ୍ର ! ବଣରେ ରହି ମୁଁ କ’ଣ କରିବା ଉଚିତ୍, ତାହା ମୋତେ ବିସ୍ତାରପୂର୍ବକ କୁହ | ମୁଁ ବହୁତ ବଡ ମୂର୍ଖ ଅଟେ | ଆଜିଯାଏଁ କର୍ମବଶ ସ୍ନେହପାଶରେ ବାନ୍ଧି ହୋଇ ମୁଁ ଅପଙ୍ଗମାନଙ୍କ ପରି ଏହି ଗୃହରୂପ ଅନ୍ଧାର କୂଅରେ ପଡିରହିଛି | ତୁମେ ଅତ୍ୟନ୍ତ ଦୟାଳୁ ଅଟ; ଏବେ ତୁମେ ମୋର ଉଦ୍ଧାର କର | ଗୋକର୍ଣ୍ଣ କହିଲେ – ପିତାଶ୍ରୀ ! ଏହି ଶରୀର ହାଡ, ମାଂସ ଏବଂ ରୁଧିରର ପିଣ୍ଡ ଅଟେ | ଏହାକୁ ଆପଣ ‘ମୁଁ’ମନେ କରନ୍ତୁ ନାହିଁ ଏବଂ ସ୍ତ୍ରୀ-ପୁତ୍ର ଆଦିଙ୍କୁ ‘ମୋର’ ମନେ କରନ୍ତୁ ନାହିଁ | ଏହି ସଂସାରକୁ ସର୍ବଦା କ୍ଷଣଭଙ୍ଗୁର ଜ୍ଞାନ କରନ୍ତୁ | ସଂସାରର କୌଣସି ବସ୍ତୁକୁ ସ୍ଥାୟୀ ମନେ କରି ତାହା ପ୍ରତି ଆସକ୍ତି କରନ୍ତୁ ନାହିଁ | ଏକମାତ୍ର ବୈରାଗ୍ୟ-ରସର ରସିକ ହୋଇ ଭଗବାନଙ୍କର ଭକ୍ତିରେ ନିଜକୁ ନିୟୋଜିତ ରଖନ୍ତୁ | ଭଗବଦ୍-ଭଜନ ହିଁ ସବୁଠାରୁ ବଡ ଧର୍ମ ଅଟେ, ନିରନ୍ତର ତାହାର ଆଶ୍ରୟ ଗ୍ରହଣ କରନ୍ତୁ | ଅନ୍ୟ ସବୁ ପ୍ରକାରର ଲୌକିକ ଧର୍ମରୁ ବିରକ୍ତ ହୋଇଯାଆନ୍ତୁ | ସର୍ବଦା ସାଧୁଜନଙ୍କର ସେବା କରନ୍ତୁ | ଭୋଗଲାଳସାରୁ ଦୂରରେ ରହନ୍ତୁ ତଥା ଅତି ଶୀଘ୍ର ଅନ୍ୟର ଗୁଣ-ଦୋଷର ବିଚାର କରିବା ଛାଡି ଏକମାତ୍ର ଭଗବତ୍-ସେବା ଏବଂ ଭଗବତ୍-କଥାର ରସ ପାନ କରନ୍ତୁ |
ପୁତ୍ରର ବାଣୀରେ ବହୁତ ବେଶୀ ପ୍ରଭାବିତ ହୋଇ ଆତ୍ମଦେବ ଗୃହ ତ୍ୟାଗ କଲେ ଏବଂ ବନକୁ ଯାତ୍ରା କଲେ | ତାଙ୍କର ଆୟୁ ଯଦିଓ ସେତେବେଳକୁ ଷାଠିଏ ବର୍ଷ ହୋଇ ଯାଇଥିଲା, ତଥାପି ତାଙ୍କ ବୁଦ୍ଧିରେ ପୂର୍ଣ୍ଣ ଦୃଢତା ରହିଥିଲା | ବଣକୁ ଯାଇ ସେଠାରେ ଦିନ-ରାତି ଭଗବାନଙ୍କର ସେବା-ପୂଜା କରି ଏବଂ ନିୟମପୂର୍ବକ ଭାଗବତ ଦଶମସ୍କନ୍ଧର ପାଠ କରି ସେ ଭଗବାନ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ପ୍ରାପ୍ତ କରିନେଲେ |
ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-1- ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତକାର
ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-1- ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତକାର