Log in
English

ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-1- ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତକାର

Aug 1st, 2024 | 9 Min Read
Blog Thumnail

Category: Bhagavat Purana

|

Language: Oriya

ସଚ୍ଚିଦାନନ୍ଦରୂପାୟ ବିଶ୍ବୋତ୍ପତ୍ତ୍ୟାଦିହେତବେ |
ତାପତ୍ରୟବିନାଶାୟ ଶ୍ରୀକୃଷ୍ଣାୟ ବୟଂ ନୁମଃ ||

ମୁଁ ସେହି ସଚ୍ଚିଦାନନ୍ଦସ୍ବରୂପ ଭଗବାନ ଶ୍ରୀକୃଷ୍ଣଙ୍କୁ ନମସ୍କାର କରୁଛି, ଯିଏ ଜଗତର ଉତ୍ପତ୍ତି, ସ୍ଥିତି ଓ ବିନାଶର ହେତୁ ତଥା ଆଧ୍ୟାତ୍ମିକ, ଆଧିଦୈବିକ ଏବଂ ଆଧିଭୌତିକ – ଏହି ତ୍ରିତାପର ନାଶକାରୀ ଅଟନ୍ତି |

ଶୁକଦେବ ମୁନିଙ୍କର ଯେତେବେଳେ ଯଜ୍ଞୋପବୀତ-ସଂସ୍କାର ହୋଇ ନ ଥିଲା ତଥା ତାଙ୍କ ଦ୍ବାରା ଲୌକିକ-ବୈଦିକ କର୍ମ ଅନୁଷ୍ଠାନ କରିବାର ଅବସର ମଧ୍ୟ ଆସି ନ ଥିଲା, ସେହି ସମୟରେ ସନ୍ୟାସ ଗ୍ରହଣ କରିବା ଉଦ୍ଦେଶ୍ୟରେ ତାଙ୍କୁ ଏକାକୀ ଘରୁ ବାହାରି ଯାଉଥିବା ଦେଖି, ପିତା ବେଦବ୍ୟାସ ବିରହ କାତର ହୋଇ ‘ପୁତ୍ର ! ପୁତ୍ର ! ତୁମେ କେଉଁଠିକୁ ଯାଉଛ ?’ – ଏପରି ଭାବରେ ତାଙ୍କୁ ଡାକିବାରେ ଲାଗିଲେ | ସେତେବେଳେ ଶୁକଦେବଙ୍କ ପକ୍ଷରୁ ବୃକ୍ଷମାନେ ପ୍ରତିଧ୍ବନି ମାଧ୍ୟମରେ ତାଙ୍କ ଡାକର ଉତ୍ତର ଦେଇଥିଲେ | ଏପରି ସର୍ବଭୂତ-ହୃଦୟସ୍ବରୂପ ଶ୍ରୀଶୁକଦେବ ମୁନିଙ୍କୁ ମୁଁ ନମସ୍କାର କରୁଛି |

ଏକଦା ଭଗବତ୍-କଥାମୃତର ରସାସ୍ବାଦନ କରିବାରେ କୁଶଳ ମୁନିବର ଶୌନକ ନୈମିଷାରଣ୍ୟ କ୍ଷେତ୍ରରେ ବିରାଜମାନ ମହାମତି ସୂତ ମୁନିଙ୍କୁ ପ୍ରଣାମ କରି ତାଙ୍କୁ ପଚାରିଲେ – ହେ ସୂତମହାଶୟ ! ଆପଣଙ୍କର ଜ୍ଞାନ ଅଜ୍ଞାନଅନ୍ଧକାରକୁ ନଷ୍ଟ କରିବା ନିମନ୍ତେ କୋଟି କୋଟି ସୂର୍ଯ୍ୟ ସଦୃଶ ଅଟେ | ଆପଣ ଆମ୍ଭମାନଙ୍କର କର୍ଣ୍ଣ ନିମନ୍ତେ ରସାୟନ – ଅମୃତସ୍ବରୂପ ସାରଗର୍ଭିତ କଥା ଆମକୁ ଶୁଣାନ୍ତୁ | ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟ ବଳରେ ପ୍ରାପ୍ତ ହେଉଥିବା ମହାନ୍ ବିବେକର ବୃଦ୍ଧି କିପରି ଭାବରେ ହୋଇଥାଏ ତଥା ବୈଷ୍ଣବମାନେ କିପରି ଭାବରେ ଏହି ମାୟା-ମୋହ କବଳରୁ ନିଜକୁ ମୁକ୍ତ କରନ୍ତି ? ଏହି ଘୋର କଳିକାଳରେ ଜୀବସମୁଦାୟ ପ୍ରାୟତଃ ଆସୁରୀ ସ୍ବଭାବର ହୋଇ ଯାଇଛନ୍ତି | ବିବିଧ କ୍ଲେଶରେ ଆକ୍ରାନ୍ତ ଏହି ଜୀବକୁ ଶୁଦ୍ଧ କରିବା ବା ଦୈବୀଶକ୍ତି-ସମ୍ପନ୍ନ କରିବାର ସର୍ବଶ୍ରେଷ୍ଠ ଉପାୟ କ’ଣ ?

ହେ ସୂତମହାଶୟ ! ଆପଣ ଆମ୍ଭମାନଙ୍କୁ ଏପରି କୌଣସି ଶାଶ୍ବତ ସାଧନ ନିର୍ଦ୍ଦେଶ କରନ୍ତୁ ଯାହା ସର୍ବାଧିକ କଲ୍ୟାଣକାରୀ ହୋଇଥିବ ଏବଂ ଯାହା ପବିତ୍ରକୁ ମଧ୍ୟ ପବିତ୍ର କରିପାରୁ ଥିବ ତଥା ଯାହା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରାପ୍ତି କରାଉଥିବ | ଚିନ୍ତାମଣି କେବଳ ଲୌକିକ ସୁଖ ଦେଇପାରେ ଏବଂ କଳ୍ପବୃକ୍ଷ ଅଧିକରୁ-ଅଧିକ ସ୍ବର୍ଗୀୟ ସମ୍ପତ୍ତି ଦେଇପାରେ; କିନ୍ତୁ ଗୁରୁଦେବ ପ୍ରସନ୍ନ ହେଲେ ଭଗବାନଙ୍କର ଯୋଗୀଦୁର୍ଲଭ ନିତ୍ୟ ବୈକୁଣ୍ଠ ଧାମ ପ୍ରଦାନ କରିଦିଅନ୍ତି |

ଶୌନକଙ୍କର ନିବେଦନ ଶୁଣି ସୂତ ମୁନି କହିଲେ – ହେ ଶୌନକ ! ତୁମ ହୃଦୟରେ ଭଗବାନଙ୍କର ପ୍ରେମ ରହିଛି | ସେଥିପାଇଁ ମୁଁ ବିଚାର କରି ସମ୍ପୂର୍ଣ୍ଣ ସିଦ୍ଧାନ୍ତର ନିଷ୍କର୍ଷ ତୁମକୁ ଶୁଣାଉଛି, ଯାହା ଜନ୍ମ-ମୃତ୍ୟୁର ଭୟକୁ ନାଶ କରିଦିଏ | ଯାହା ଭକ୍ତିର ପ୍ରବାହକୁ ବୃଦ୍ଧି କରିଥାଏ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସନ୍ନତାର ପ୍ରଧାନ କାରଣ ଅଟେ, ମୁଁ ତୁମକୁ ସେହି ସାଧନ ନିର୍ଦ୍ଦେଶ କରୁଛି;ସାବଧାନପୂର୍ବକ ଶ୍ରବଣ କର | କଳିଯୁଗରେ ଜୀବର କାଳରୂପୀ ସର୍ପମୁଖର ଗ୍ରାସ ହେବା ତ୍ରାସର ଆତ୍ୟନ୍ତିକ ନାଶ ନିମନ୍ତେ ଶ୍ରୀଶୁକଦେବ ମୁନି ଶ୍ରୀମଦ୍ ଭାଗବତ ଶାସ୍ତ୍ରର କଥନ ଆରମ୍ଭ କରିଥିଲେ | ମନର ଶୁଦ୍ଧି ନିମନ୍ତେ ଏହାଠାରୁ ଶ୍ରେଷ୍ଠ ଅନ୍ୟ କୌଣସି ସାଧନ ନାହିଁ | ମନୁଷ୍ୟର ଜନ୍ମ-ଜନ୍ମାନ୍ତରର ପୁଣ୍ୟର ଫଳ ସ୍ବରୂପ ତାକୁ ଏହି ଭାଗବତଶାସ୍ତ୍ରର ପ୍ରାପ୍ତି ହୋଇଥାଏ | 

ରାଜା ପରୀକ୍ଷିତଙ୍କୁ ଏହି ଭାଗବତ କଥା ଶୁଣାଇବା ପାଇଁ ଶ୍ରୀଶୁକଦେବ ମୁନି ଯେତେବେଳେ ସଭାରେ ବିରାଜମାନ ହେଲେ,ସେତେବେଳେ ଦେବତାମାନେ ଅମୃତ କଳସ ହାତରେ ଧରି ତାଙ୍କ ପାଖକୁ ଆସିଲେ | ଦେବତାମାନେ ନିଜର କାମ ହାସଲ କରିବାରେ ଅତିଶୟ କୁଶଳ ଅଟନ୍ତି | ଏଠାରେ ମଧ୍ୟ ସେମାନେ ସମସ୍ତେ ଶୁକଦେବ ମୁନିଙ୍କୁ ନମସ୍କାର କରି କହିଲେ, “ଆପଣ ଏହି ଅମୃତକୁ ଗ୍ରହଣ କରି ପ୍ରତିବଦଳରେ ଆମ୍ଭମାନଙ୍କୁ କଥାମୃତର ଦାନ ଦିଅନ୍ତୁ | ଏହି ପରସ୍ପର ବିନିମୟର ଫଳସ୍ବରୂପ ରାଜା ପରୀକ୍ଷିତ ଅମୃତ ପାନ କରି ଅମର ହୋଇଯିବେ ଏବଂ ଆମେ ସବୁ ଏହି ଶ୍ରୀମଦ୍ ଭାଗବତରୂପ ଅମୃତର ପାନ କରିପାରିବୁ |” ଏହି ସଂସାରରେ କାଚ ଏବଂ ମହାମୂଲ୍ୟ ମଣି ପରି ଅମୃତ ଏବଂ କଥାରସ ପରସ୍ପର ତୁଳନୀୟ ନୁହଁନ୍ତି | ଅତଏବ, ଶୁକଦେବ ମୁନି ଦେବତାମାନଙ୍କର କଥାକୁ ହସରେ ଉଡାଇ ଦେଲେ ଏବଂ ସେମାନଙ୍କୁ ଭକ୍ତିଶୂନ୍ୟ (କଥାର ଅନଧିକାରୀ) ଜାଣି କଥାମୃତ ଦାନ କଲେ ନାହିଁ | ଏହିପରି ଭାବରେ ଏହି ଶ୍ରୀମଦ୍ ଭାଗବତକଥା ଦେବତାମାନଙ୍କ ପାଇଁ ମଧ୍ୟ ଦୁର୍ଲଭ ଅଟେ | 

ପୂର୍ବକାଳରେ କେବଳ ଶ୍ରୀମଦ୍ ଭାଗବତ ଶ୍ରବଣ ଦ୍ବାରା ହିଁ ରାଜା ପରୀକ୍ଷିତ ମୁକ୍ତି ପ୍ରାପ୍ତ କରିଥିବା ଦେଖି ସ୍ବୟଂ ବ୍ରହ୍ମା ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ | ସତ୍ୟଲୋକରେ ସେ ଏକ ତରାଜୂ ବାନ୍ଧି ସମସ୍ତ ସାଧନକୁ ମାପ କରିଥିଲେ | ସେ ଦେଖିଲେ ଅନ୍ୟ ସବୁ ସାଧନ ତୁଳନାରେ ନିଜର ମହତ୍ତ୍ବକୁ ନେଇ ଭାଗବତ ହିଁ ସବୁଠାରୁ ଅଧିକ ଭାରି ସିଦ୍ଧ ହେଲା | ଏହା ଦେଖି ଋଷି-ମୁନିମାନଙ୍କର ବିସ୍ମୟର ସୀମା ରହିଲା ନାହିଁ ଏବଂ ସେମାନେ ଏକସ୍ବରରେ ଏହା ନିଶ୍ଚୟ କଲେ ଯେ କଳିଯୁଗରେ ଏହି ଭଗବଦ୍ରୂପ ଭାଗବତଶାସ୍ତ୍ରର ପଠନ-ଶ୍ରବଣ ହିଁ ତତ୍କାଳ ମୋକ୍ଷପ୍ରଦାୟକ ହେବ | ସପ୍ତାହ-ବିଧିରେ ଶ୍ରବଣ କରିବା ଦ୍ବାରା ଏହା ନିଶ୍ଚିତ ଭାବରେ ଭକ୍ତି ପ୍ରଦାନ କରିଥାଏ | ପୂର୍ବକାଳରେ ଦୟାପରାୟଣ ସନକାଦି ଋଷିମାନେ ଏହା ଦେବର୍ଷି ନାରଦଙ୍କୁ ଶୁଣାଇ ଥିଲେ | ଯଦିଓ ତା’ପୂର୍ବରୁ ଦେବର୍ଷି ନାରଦ ବ୍ରହ୍ମାଙ୍କ ମୁଖରୁ ଏହାର ଶ୍ରବଣ କରି ସାରିଥିଲେ, ତଥାପି ସପ୍ତାହ-ଶ୍ରବଣର ବିଧି ସମ୍ପର୍କରେ ସନକାଦି ହିଁ ସର୍ବପ୍ରଥମେ ତାଙ୍କୁ ଅବଗତ କରାଇ ଥିଲେ |

ଏଠାରେ ଶୌନକ ଋଷି ସୂତ ମୁନିଙ୍କୁ ପ୍ରଶ୍ନ କଲେ – ହେ ମୁନିବର ! ସାଂସାରିକ ପ୍ରପଞ୍ଚରୁ ମୁକ୍ତ ଏବଂ ବିଚରଣଶୀଳ ନାରଦ ମୁନିଙ୍କର ସନକାଦିଙ୍କ ସହିତ ସାକ୍ଷାତକାର କେଉଁଠାରେ ହେଲା ଏବଂ ବିଧି-ବିଧାନ ଶ୍ରବଣରେ ତାଙ୍କର ପ୍ରୀତି କିପରି ଉଦୟ ହେଲା ? ଶୌନକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୂତ ମୁନି କହିଲେ – ଏବେ ମୁଁ ତୁମକୁ ସେହି ଭକ୍ତିପୂର୍ଣ୍ଣ ଆଖ୍ୟାନ ଶୁଣାଉଛି, ଯାହା ମୋତେ ନିଜର ଅନନ୍ୟ ଶିଷ୍ୟ ଜାଣି ମୁନିବର ଶ୍ରୀଶୁକଦେବ ଏକାନ୍ତରେ ଶୁଣାଇ ଥିଲେ |

ଦିନେ ସନକାଦି ଚାରି ଋଷି ସତସଂଗ ଅଭିପ୍ରାୟରେ ବିଶାଳାପୁରୀକୁ ଆଗମନ କରିଥିବା ବେଳେ ସେଠାରେ ନାରଦ ମୁନିଙ୍କୁ ଦେଖି ପଚାରିଲେ – ବ୍ରହ୍ମନ୍ ! ଆପଣଙ୍କର ମୁଖ ଏପରି ଉଦାସ ଦେଖାଯାଉଛି କାହିଁକି ? କେଉଁ କାରଣରୁ ଆପଣ ଚିନ୍ତାତୁର ରହିଛନ୍ତି ? ଆପଣ କେଉଁଠାରୁ ଆଗମନ କଲେ ଏବଂ ପୁଣି ଏତେ ଶୀଘ୍ର ଶୀଘ୍ର ଆପଣ କେଉଁଠିକୁ ଯାଉଛନ୍ତି ? ଏହି ସମୟରେ ଆପଣ ସେହି ପୁରୁଷ ପରି ମନେ ହେଉଛନ୍ତି, ଯାହାର ସବୁ ଧନ ଲୁଟି ଯାଇଥାଏ | ଆପଣଙ୍କ ପରି ଆସକ୍ତିରହିତ ପୁରୁଷଙ୍କଠାରେ ଏହି ଚିନ୍ତା ସମୀଚିନ ନୁହେଁ | ଆପଣ ଏହାର କାରଣ ପ୍ରକାଶ କରନ୍ତୁ | ସନକାଦିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବର୍ଷି ନାରଦ କହିଲେ – ‘ମୁଁ ସର୍ବୋତ୍ତମ ଲୋକ ମନେକରି ପୃଥିବୀକୁ ଆସିଥିଲି | ଏଠାରେ ପୁଷ୍କର, ପ୍ରୟାଗ, କାଶୀ, ଗୋଦାବରୀ, ହରିଦ୍ବାର, କୁରୁକ୍ଷେତ୍ର,ଶ୍ରୀରଙ୍ଗ ଏବଂ ସେତୁବନ୍ଧ ଆଦି ଅନେକ ତୀର୍ଥରେ ମୁଁ ବିଚରଣ କଲି; କିନ୍ତୁ କେଉଁଠାରେ ମଧ୍ୟ ମୋତେ ସେହି ଶାନ୍ତି ମିଳିଲା ନାହିଁ,ଯାହା ମନକୁ ସନ୍ତୋଷ ପ୍ରଦାନ କରିଥାଏ | ଅଧର୍ମର ସହାୟକ କଳିଯୁଗ ଏହି ସମୟରେ ସାରା ପୃଥିବୀକୁ ପୀଡିତ କରି ରଖିଛି | ଏବେ ଏଠାରେ ସତ୍ୟ, ତପ, ଶୌଚ, ଦୟା, ଦାନ ଆଦିର ନାମଗନ୍ଧ ସୁଦ୍ଧା ନାହିଁ | ବିଚରା ଜୀବମାନେ ଏବେ ଏଠାରେ କେବଳ ନିଜର ପେଟପାଳନରେ ବ୍ୟସ୍ତ ରହିଛନ୍ତି | ସେମାନେ ଅସତ୍ୟଭାଷୀ, ଆଳସ୍ୟଯୁକ୍ତ, ମନ୍ଦବୁଦ୍ଧି, ଭାଗ୍ୟହୀନ, ଉପଦ୍ରବଗ୍ରସ୍ତ ହୋଇ ଯାଇଛନ୍ତି | ଯେଉଁମାନେ ସାଧୁ-ସନ୍ଥ ବୋଲାଉଛନ୍ତି, ସେମାନେ କେବଳ ବାହ୍ୟତଃ ବୈରାଗ୍ୟଯୁକ୍ତ ପ୍ରତୀତ ହେଉଥିଲେ ବି ମନରେ ସ୍ତ୍ରୀ, ଧନ ଆଦିରେ ଆସକ୍ତ ରହୁଛନ୍ତି | ଘରେ ସ୍ତ୍ରୀମାନଙ୍କର ରାଜତ୍ବ ରହିଛି, ଶାଳକମାନେ ପରାମର୍ଶଦାତା ସାଜି ବସିଛନ୍ତି,ଲୋଭବଶ ଲୋକେ କନ୍ୟାବିକ୍ରୟ କରୁଛନ୍ତି ଏବଂ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଛି | ମହାତ୍ମାମାନଙ୍କର ଆଶ୍ରମରେ ଏବଂ ତୀର୍ଥସ୍ଥଳୀମାନଙ୍କରେ ବିଧର୍ମୀମାନେ ଅଧିକାର କରି ବସିଛନ୍ତି | ବହୁତଗୁଡିଏ ଦେବାଳୟ ସେମାନେ ନଷ୍ଟ କରି ସାରିଲେଣି | ଏହି ସମୟରେ ଏଠାରେ କେହି ଯୋଗୀ ନାହାଁନ୍ତି କି କେହି ସିଦ୍ଧ ନାହାଁନ୍ତି; କେହି ଜ୍ଞାନୀ ନାହାଁନ୍ତି କି ସତ୍କର୍ମ କରିବା ଲୋକ ମଧ୍ୟ କେହି ନାହାଁନ୍ତି | କଳିରୂପ ଦାବାନଳରେ ସବୁ ସାଧନ ଜଳି ଭସ୍ମ ହୋଇ ଯାଇଛନ୍ତି | ଏହି କଳିଯୁଗରେ ସବୁ ଦେଶବାସୀ ବଣିକ ସାଜିଛନ୍ତି, ବ୍ରାହ୍ମଣମାନେ ଅର୍ଥ ନେଇ ବେଦର ଅଧ୍ୟାପନା କରାଉଛନ୍ତି ଏବଂ ସ୍ତ୍ରୀମାନେ ବେଶ୍ୟାବୃତ୍ତିରେ ନିର୍ବାହ କରୁଛନ୍ତି |

ଏହିପରି ଭାବରେ ସର୍ବତ୍ର କଳିଯୁଗର ଦୋଷ ଦର୍ଶନ କରି ପୃଥିବୀପୃଷ୍ଠରେ ବିଚରଣ କରୁ କରୁ ମୁଁ ଯମୁନାନଦୀର ତଟଦେଶରେ ପହଞ୍ଚିଲି, ଯାହା ଭଗବାନ ଶ୍ରୀକୃଷ୍ଣଙ୍କର ମଧୁର ଲୀଳାସ୍ଥଳୀ ଥିଲା | ସେଠାରେ ମୁଁ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲି – ଜଣେ ଯୁବତୀ ସ୍ତ୍ରୀ ଉଦାସ ମନରେ ବସିଛନ୍ତି ଏବଂ ତାଙ୍କର ଉଭୟ ପାର୍ଶ୍ବରେ ଦୁଇଜଣ ବୃଦ୍ଧ ପୁରୁଷ ଅଚେତ ଅବସ୍ଥାରେ ପଡି ଜୋର-ଜୋରରେ ଶ୍ବାସ ନେଉଛନ୍ତି | ତରୁଣୀ ଜଣକ ସେମାନଙ୍କର ସେବା କରିବାକୁ ଯାଇ କେବେ ସେମାନଙ୍କୁ ସଚେତ କରିବାକୁ ଚେଷ୍ଟା କରୁଛି ତ କେବେ ଅସହାୟ ଭାବରେ ରୋଦନ କରୁଛି | ତାଙ୍କ ଚତୁର୍ପାର୍ଶ୍ବରେ ଶହ ଶହ ସୁନ୍ଦରୀ ସ୍ତ୍ରୀ ଠିଆ ହୋଇ ପଂଖା କରିବା ସହିତ ତାକୁ ପ୍ରବୋଧନା ଦେବାରେ ଲାଗିଛନ୍ତି | ଦୂରରୁ ଏହି ଦୃଶ୍ୟ ଦେଖି ମୁଁ କୌତୁହଳବଶତଃ ତାଙ୍କ ପାଖକୁ ଗଲି | ମୋତେ ଦେଖି ସେ ସ୍ତ୍ରୀ ଠିଆ ହୋଇ ବ୍ୟାକୁଳ ଭାବରେ କହିବାରେ ଲାଗିଲା – ହେ ମହାତ୍ମା ! କିଛି କ୍ଷଣ ଏଠାରେ ରହି ମୋର ଚିନ୍ତା ଦୂର କରନ୍ତୁ | ଆପଣଙ୍କର ଦର୍ଶନ ତ ସଂସାରର ସମସ୍ତ ପାପକୁ ସର୍ବତୋ ଭାବରେ ନଷ୍ଟ କରିଦିଏ | ଆପଣଙ୍କ ବଚନ ଶୁଣି ମୋର ସବୁ ଦୁଃଖ ଶାନ୍ତ ହୋଇଯିବ | ବହୁତ ବଡ ସୌଭାଗ୍ୟରୁ ମନୁଷ୍ୟକୁ ଆପଣଙ୍କର ଦର୍ଶନ ପ୍ରାପ୍ତ ହୋଇଥାଏ | ତାଙ୍କ କଥା ଶୁଣି ମୁଁ ତାଙ୍କୁ ପଚାରିଲି – ଦେବୀ ! ତୁମେ କିଏ ? ଏହି ଦୁଇ ପୁରୁଷଙ୍କ ସହିତ ତୁମର ସମ୍ବନ୍ଧ କ’ଣ ? ତାଛଡା, ତୁମ ଚାରିପାଖରେ ଠିଆ ହୋଇଥିବା ଏହି କମଳନୟନୀ ଦେବୀମାନେ କିଏ ? ଏସବୁ କଥା ତଥା ତୁମ ଦୁଃଖର କାରଣ ମୋତେ ବିସ୍ତାରପୂର୍ବକ କୁହ |

ଯୁବତୀଟି କହିଲା – ଦେବର୍ଷି ! ମୁଁ ଭକ୍ତି ଅଟେ, ଏ ଦୁହେଁ ମୋର ପୁତ୍ର ଜ୍ଞାନ ଏବଂ ବୈରାଗ୍ୟ ଅଟନ୍ତି | ସମୟ ଚକ୍ରର ଘୂର୍ଣ୍ଣନ ଫଳରେ ଏମାନେ ଏପରି ଜର୍ଜର ଅବସ୍ଥାକୁ ପ୍ରାପ୍ତ ହୋଇଛନ୍ତି | ଏହି ଦେବୀମାନେ ଗଙ୍ଗା ଆଦି ନଦୀ ଅଟନ୍ତି | ଏମାନେ ସମସ୍ତେ ମୋର ସେବା କରିବା ନିମନ୍ତେ ଏଠାକୁ ଆସିଛନ୍ତି | ଏହିପରି ଭାବରେ ସାକ୍ଷାତ ଦେବୀମାନଙ୍କ ଦ୍ବାରା ସେବିତ ହୋଇ ମଧ୍ୟ ମୋତେ ସୁଖ-ଶାନ୍ତି ମିଳୁନାହିଁ | ହେ ମୁନିବର ! ମୁଁ ସବୁ ବୃତ୍ତାନ୍ତ ଆପଣଙ୍କ ଆଗରେ ଖୋଲି କହୁଛି | ମୋ ଦୁଃଖର କାରଣ ଜାଣି ଆପଣ କୃପା କରି ତାହାର ନିରାକରଣର ଉପାୟ କରନ୍ତୁ | 

ମୁଁ ଦ୍ରବିଡ ଦେଶରେ ଜନ୍ମ ହେଲି, କର୍ଣ୍ଣାଟକରେ ବଡ ହେଲି, ମହାରାଷ୍ଟ୍ରରେ ସ୍ଥାନେ-ସ୍ଥାନେ ସମ୍ମାନିତ ହେଲି; କିନ୍ତୁ ଗୁଜୁରାଟରେ ମୋତେ ବାର୍ଦ୍ଧକ୍ୟ ଆକ୍ରମଣ କଲା | ସେଠାରେ ଘୋର କଳିଯୁଗର ପ୍ରଭାବରେ ପାଖଣ୍ଡିମାନେ ମୋର ଅଙ୍ଗ-ଭଙ୍ଗ କରିଦେଲେ | ବହୁଦିନ ଧରି ସେପରି ଅବସ୍ଥା ରହିବା କାରଣରୁ ମୁଁ ନିଜ ପୁତ୍ରମାନଙ୍କ ସହିତ ଦୁର୍ବଳ ଏବଂ ନିସ୍ତେଜ ହୋଇଗଲି | ତାପରେ ଯେତେବେଳେ ମୁଁ ବୃନ୍ଦାବନ ଆସିଲି, ମୁଁ ପୁନର୍ବାର ପରମ ସୁନ୍ଦରୀ ଏବଂ ନବଯୌବନା ହୋଇଗଲି | କିନ୍ତୁ ମୋର ଏହି ଦୁଇ ପୁତ୍ର ଏବେ ବି ବାର୍ଦ୍ଧକ୍ୟର ଦୁଃଖ ଭୋଗ କରୁଛନ୍ତି | ମୁଁ ତରୁଣୀ ରହିଥିବା ବେଳେ ମୋର ପୁତ୍ରମାନେ ବୃଦ୍ଧ ହୋଇ ଯାଇଛନ୍ତି | ଏପରି କାହିଁକି ହେଲା ? ଆପଣ ପରମ ବୁଦ୍ଧିମାନ ଏବଂ ଯୋଗନିଧି ଅଟନ୍ତି | ଏହାର କାରଣ କ’ଣ ହୋଇପାରେ, ଆପଣ ତାହା ସ୍ପଷ୍ଟ କରନ୍ତୁ |

ଦେବର୍ଷି କହିଲେ – ହେ ସାଧ୍ବୀ ! ମୁଁ ନିଜ ଜ୍ଞାନଦୃଷ୍ଟିରେ ତୁମ ଦୁଃଖର କାରଣ ପୂର୍ଣ୍ଣତଃ ଦେଖିପାରୁଛି | ତୁମେ ବିଷାଦଗ୍ରସ୍ତ ହୁଅନାହିଁ | ଶ୍ରୀହରି ତୁମର କଲ୍ୟାଣ କରିବେ | ତଥାପି ତୁମ ଦୁଃଖର କାରଣ ବିଷୟରେ ତୁମେ ଯେତେବେଳେ ଜାଣିବାକୁ ଇଚ୍ଛା କରୁଛ, ମୁଁ ତାହା ତୁମକୁ କହୁଛି, ସାବଧାନପୂର୍ବକ ଶୁଣ | ଦେବୀ ! ଏହା ଦାରୁଣ କଳିଯୁଗ ଅଟେ | ଏହି ଯୁଗରେ ସଦାଚାର, ଯୋଗମାର୍ଗ ଏବଂ ତପ ଆଦି ଲୁପ୍ତ ହୋଇଯାଇଛି | ଲୋକେ ଶଠତା ଏବଂ ଦୁଷ୍କର୍ମରେ ରତ ରହି ଅଘାସୁର ହୋଇ ଯାଇଛନ୍ତି | ସଂସାରରେ ଯେଉଁଠାରେ ଦେଖ ସେହିଠାରେ ସତ୍-ପୁରୁଷମାନେ ଦୁଃଖରେ ମଳୀନ ଏବଂ ଦୁଷ୍ଟମାନେ ସୁଖରେ ପ୍ରଫୁଲ୍ଲିତ ଦେଖା ଯାଉଛନ୍ତି | ଏହି ସମୟରେ ଯେଉଁ ବୁଦ୍ଧିମାନ ପୁରୁଷ ଧୈର୍ଯ୍ୟ ଧାରଣ କରିପାରନ୍ତି, ସେ ହିଁ ବାସ୍ତବରେ ଜ୍ଞାନୀ ବା ପଣ୍ଡିତ ଅଟନ୍ତି | ପ୍ରତିବର୍ଷ ଭଗବାନ ଶେଷଦେବଙ୍କ ପାଇଁ ପୃଥିବୀ କ୍ରମଶଃ ଭାରସ୍ବରୂପ ହେବାରେ ଲାଗିଛି | ଏହା ସ୍ପର୍ଶ କରିବା ଯୋଗ୍ୟ କ’ଣ, ଦେଖିବା ଯୋଗ୍ୟ ମଧ୍ୟ ହୋଇ ରହିନାହିଁ; ମଙ୍ଗଳର ଚିହ୍ନ ସୁଦ୍ଧା ଏଠାରେ ଦେଖିବାକୁ ମିଳୁନାହିଁ | ଏବେ କେହି ମଧ୍ୟ ପୁତ୍ରମାନଙ୍କ ସହିତ ତୁମର ଦର୍ଶନ କରିପାରୁ ନାହାଁନ୍ତି | ବିଷୟାନୁରାଗ କାରଣରୁ ଅନ୍ଧ ହୋଇ ଯାଇଥିବା ଜୀବମାନଙ୍କ ଦ୍ବାରା ଉପେକ୍ଷିତ ହୋଇ ତୁମେ ଜର୍ଜର ଅବସ୍ଥାକୁ ପ୍ରାପ୍ତ ହୋଇଥିଲ | ବୃନ୍ଦାବନର ସଂଯୋଗରେ ତୁମେ ପୁନର୍ବାର ତରୁଣୀ ହୋଇଗଲ | ଧନ୍ୟ ଏହି ବୃନ୍ଦାବନ ଧାମ, ଯେଉଁଠି ସର୍ବତ୍ର ଭକ୍ତି ହିଁ ଭକ୍ତି ନୃତ୍ୟ କରୁଛି | କିନ୍ତୁ ଏଠାରେ ତୁମ ଦୁଇ ପୁତ୍ରଙ୍କର କେହି ଗ୍ରାହକ ନାହାଁନ୍ତି, ସେଥିପାଇଁ ସେମାନଙ୍କର ବାର୍ଦ୍ଧକ୍ୟ ଦୂର ହେଉନାହିଁ | ଏଠାରେ ସେମାନଙ୍କୁ ଭଗବତ୍-ସ୍ପର୍ଶଜନିତ କିଛି ଆତ୍ମସୁଖ ପ୍ରାପ୍ତ ହେଉଥିବା କାରଣରୁ ସେମାନେ ସୁପ୍ତ ପ୍ରତୀତ ହେଉଛନ୍ତି |

ନାରଦଙ୍କ ମୁଖରୁ ନିଜ ଦୁଃଖର କାରଣ ଜାଣି ଭକ୍ତି ଦେବୀ କହିଲେ – ଭଗବନ୍ ! ରାଜା ପରୀକ୍ଷିତ ଏହି ପାପୀ କଳିଯୁଗକୁ ପୃଥିବୀରେ କାହିଁକି ରହିବାକୁ ଦେଲେ ? ଏହାର ପ୍ରବେଶ ମାତ୍ରେ ସବୁ ବସ୍ତୁର ସାର କେଜାଣି କେଉଁଆଡେ ଚାଲିଗଲା | କରୁଣାମୟ ଶ୍ରୀହରି ମଧ୍ୟ ଏହି ସବୁ ଅଧର୍ମ କିପରି ଦେଖି ପାରୁଛନ୍ତି ? ହେ ମୁନିବର ! ଆପଣଙ୍କ ବଚନରୁ ମୋତେ ଅତୀବ ଶାନ୍ତି ପ୍ରାପ୍ତ ହେଉଛି; ଅତଏବ ଆପଣ ମୋର ଏହି ସନ୍ଦେହ ଦୂର କରନ୍ତୁ |

ନାରଦ କହିଲେ – ହେ କଲ୍ୟାଣୀ ! ଯଦି ତୁମେ ଶୁଣିବାକୁ ଇଚ୍ଛା କରୁଛ, ତେବେ ଶୁଣ | ମୁଁ ତୁମକୁ ସବୁ କଥା କହିବି, ଯଦ୍ବାରା ତୁମର ସମସ୍ତ ଦୁଃଖ ଦୂର ହୋଇଯିବ | ଯେଉଁ ଦିନ ଭଗବାନ ଶ୍ରୀକୃଷ୍ଣ ଏହି ଭୂଲୋକକୁ ଛାଡି ନିଜ ପରମଧାମକୁ ଗମନ କଲେ,ସେହି ଦିନଠାରୁ ସମ୍ପୂର୍ଣ୍ଣ ସାଧନରେ ବାଧାଉତ୍ପନ୍ନକାରୀ ଏହି କଳିଯୁଗ ଏଠାରେ ପ୍ରବେଶ କରିଛି | ଦିଗବିଜୟ ଯାତ୍ରାରେ ରାଜା ପରୀକ୍ଷିତଙ୍କର ଦୃଷ୍ଟି ଯେତେବେଳେ କଳିଯୁଗ ଉପରେ ପଡିଲା, ସେତେବେଳେ ସେ ଅତି ଦୀନହୀନ ଭାବରେ ରାଜାଙ୍କର ଶରଣ ଗ୍ରହଣ କରିଥିଲା | ଭ୍ରମର ପରି ସାରଗ୍ରାହୀ ରାଜା ବିଚାର ଦ୍ବାରା ଏହା ନିଶ୍ଚୟ କଲେ ଯେ ସେ ଏହାର ବଧ କରିବା ଉଚିତ୍ ନୁହେଁ; କାରଣ ଯେଉଁ ଫଳ ତପସ୍ୟା, ଯୋଗ, ସମାଧି ଆଦି ଦ୍ବାରା ମଧ୍ୟ ମିଳି ନ ଥାଏ, କଳିଯୁଗରେ ସେହି ଫଳ କେବଳ ଶ୍ରୀହରିକୀର୍ତ୍ତନ ଦ୍ବାରା ହିଁ ସହଜରେ ମିଳିଯାଏ | ତେଣୁ ଅନ୍ୟ ସବୁ ଦୃଷ୍ଟିରୁ ସାରହୀନ ହୋଇଥିଲେ ମଧ୍ୟ କେବଳ ଏହି ଗୋଟିଏ ଦୃଷ୍ଟିରୁ ତାହାକୁ ସାରଯୁକ୍ତ ଜାଣି କଳିଯୁଗରେ ଉତ୍ପନ୍ନ ହେବାକୁ ଥିବା ଜୀବର କଲ୍ୟାଣ ଉଦ୍ଦେଶ୍ୟରେ ରାଜା ତାହାକୁ ଏଠାରେ ରହିବାକୁ ଦେଲେ |

ଏହି ସମୟରେ ଲୋକେ କୁକର୍ମରେ ପ୍ରବୃତ୍ତ ରହିବା କାରଣରୁ ସବୁ ବସ୍ତୁର ସାର ନଷ୍ଟ ହୋଇଯାଇଛି ଏବଂ ପୃଥିବୀର ସବୁ ପଦାର୍ଥ ସାରହୀନ ତସୁ ସଦୃଶ ହୋଇଯାଇଛି | ବ୍ରାହ୍ମଣମାନେ କେବଳ ଅନ୍ନ-ଧନାଦି ଲୋଭବଶ ଘର-ଘର, ଗ୍ରାମ-ଗ୍ରାମ ବୁଲି ଭାଗବତ କଥା ଶୁଣାଉଛନ୍ତି, ସେଥିପାଇଁ କଥାର ସାର ଚାଲିଯାଇଛି | ତୀର୍ଥମାନଙ୍କରେ ନାନା ପ୍ରକାରର ଘୋର କର୍ମରେ ଲିପ୍ତ ନାସ୍ତିକ ଏବଂ ନାରକୀ ପୁରୁଷ ମଧ୍ୟ ବାସ କରୁଛନ୍ତି, ଯାହା ଫଳରେ ତୀର୍ଥର ପ୍ରଭାବ ହ୍ରାସ ପାଇଛି | ଯେଉଁମାନଙ୍କର ଚିତ୍ତ ନିରନ୍ତର କାମ,କ୍ରୋଧ, ଲୋଭ ଏବଂ ତୃଷ୍ଣାରେ ସନ୍ତପ୍ତ, ସେପରି ପୁରୁଷମାନେ ତପସ୍ବୀର ସ୍ବାଙ୍ଗ ପ୍ରଦର୍ଶନ କରୁଛନ୍ତି, ସେଥିପାଇଁ ତପୋବଳ କ୍ଷୀଣ ହୋଇଯାଇଛି | ମନ ଉପରେ ନିୟନ୍ତ୍ରଣର ଅଭାବ ତଥା ଲୋଭ, ଦମ୍ଭ ଓ ପାଖଣ୍ଡର ଆଶ୍ରୟ ଗ୍ରହଣ ଏବଂ ଶାସ୍ତ୍ର ଅଭ୍ୟାସ ବିନା ଧ୍ୟାନଯୋଗର ଫଳ ମିଳୁନାହିଁ | ପଣ୍ଡିତମାନେ ତ ନିଜ ସ୍ତ୍ରୀ-ସନ୍ତାନରେ ରମଣ କରି ମୁକ୍ତିସାଧନ ପ୍ରତି ନିଃସ୍ପୃହ ରହୁଛନ୍ତି | ସଚ୍ଚା ବୈଷ୍ଣବ କେଉଁଠାରେ ଦେଖିବାକୁ ହିଁ ମିଳୁ ନାହାଁନ୍ତି | ଏହିପରି ଭାବରେ ସର୍ବତ୍ର ସବୁ ବସ୍ତୁର ସାର ଲୁପ୍ତ ହୋଇଯାଇଛି | ଏହା ଏହି ଯୁଗର ହିଁ ସ୍ବଭାବ ଅଟେ, ଏଥିରେ କାହାର ଦୋଷ ନାହିଁ | ସେଥିପାଇଁ ପୁଣ୍ଡରୀକାକ୍ଷ ଭଗବାନ ଏସବୁ ଦେଖି ମଧ୍ୟ ସହ୍ୟ କରୁଛନ୍ତି |

ଦେବର୍ଷି ନାରଦଙ୍କର ବଚନ ଶୁଣି ଭକ୍ତି ଦେବୀ ଆଶ୍ଚର୍ଯ୍ୟ ହେବା ସହିତ ନିଜକୁ କୃତକୃତ୍ୟ ମନେକରି କହିଲେ – ହେ ଦେବର୍ଷି ! ଆପଣ ଧନ୍ୟ ଅଟନ୍ତି | ମୋର ବହୁତ ବଡ ସୌଭାଗ୍ୟ ଯେ ମୁଁ ଆପଣଙ୍କର ସାନ୍ନିଧ୍ୟ ଲାଭ କଲି | ସଂସାରରେ ସାଧୁମାନଙ୍କର ଦର୍ଶନ ହିଁ ସମସ୍ତ ସିଦ୍ଧିର ପରମ କାରଣ ଅଟେ | ଆପଣଙ୍କର କେବଳ ଗୋଟିଏ ଥର ଉପଦେଶ ଗ୍ରହଣ କରିବାର ସୌଭାଗ୍ୟ ଲାଭ କରି କୟାଧୁକୁମାର ପ୍ରହ୍ଲାଦ ମାୟା ଉପରେ ବିଜୟ ପ୍ରାପ୍ତ କରିନେଲେ | ଧ୍ରୁବ ମଧ୍ୟ ଆପଣଙ୍କ କୃପାରୁ ଧ୍ରୁବପଦ ପ୍ରାପ୍ତ କରିଥିଲେ | ଆପଣ ସର୍ବମଙ୍ଗଳମୟ ସ୍ବୟଂ ବ୍ରହ୍ମାଙ୍କର ପୁତ୍ର ଅଟନ୍ତି; ମୁଁ ଆପଣଙ୍କୁ ନମସ୍କାର କରୁଛି |

ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-2- ଭକ୍ତି ଦେବୀଙ୍କର ଦୁଃଖ ଦୂର କରିବା ନିମନ୍ତେ ନାରଦଙ୍କର ଉଦ୍ୟୋଗ