ନାରଦ କହିଲେ – କଲ୍ୟାଣୀ ! ତୁମେ ବୃଥାରେ ଚିନ୍ତାତୁର ହୋଇ ନିଜକୁ ଦୁଃଖୀ କରୁଅଛ | ଭଗବାନ ଶ୍ରୀକୃଷ୍ଣଙ୍କ ଚରଣକମଳର ଚିନ୍ତନ କର, ତୁମର ସବୁ ଦୁଃଖ ଦୂର ହୋଇଯିବ | ଯିଏ କୌରବମାନଙ୍କର ଅତ୍ୟାଚାରରୁ ଦ୍ରୌପଦୀଙ୍କୁ ରକ୍ଷା କରିଥିଲେ ଏବଂ ଗୋପସୁନ୍ଦରୀଙ୍କୁ ସନାଥ କରିଥିଲେ, ସେହି ଶ୍ରୀକୃଷ୍ଣ ଭଲା ଅନ୍ୟ କେଉଁଠିକୁ କିପରି ଚାଲିଯିବେ ? ତାଛଡା ତୁମେ ତ ଭକ୍ତି ଅଟ,ତାଙ୍କୁ ସର୍ବଦା ପ୍ରାଣଠାରୁ ମଧ୍ୟ ଅଧିକ ପ୍ରିୟ; ତୁମ ଡାକରାରେ ଭଗବାନ ନୀଚଠାରୁ ମଧ୍ୟ ନୀଚ ପ୍ରାଣୀର ଘରକୁ ଧାଇଁ ଆସନ୍ତି | ସତ୍ୟ, ତ୍ରେତା ଏବଂ ଦ୍ବାପର – ଏହି ତିନି ଯୁଗରେ ଜ୍ଞାନ ଏବଂ ବୈରାଗ୍ୟ ମୁକ୍ତିର ସାଧନ ଥିଲା; କିନ୍ତୁ କଳିଯୁଗରେ ତ କେବଳ ଭକ୍ତି ଦ୍ବାରା ହିଁ ବ୍ରହ୍ମସାୟୂଜ (ମୋକ୍ଷ) ପ୍ରାପ୍ତ ହୋଇଯାଏ | ଏହି ବିଚାରରେ ହିଁ ପରମାନନ୍ଦଚିନ୍ମୂର୍ତ୍ତି ଜ୍ଞାନସ୍ବରୂପ ଶ୍ରୀହରି ନିଜ ସତ୍-ସ୍ବରୂପରେ ତୁମର ରଚନା କରିଛନ୍ତି | ତୁମେ ସାକ୍ଷାତ୍ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ପ୍ରିୟା ପରମ ସୁନ୍ଦରୀ ଅଟ | ଦିନେ ଯେତେବେଳେ ତୁମେ ହାତ ଯୋଡି ଏହା ପଚାରି ଥିଲ, ‘ମୁଁ କ’ଣ କରିବି ?’, ସେତେବେଳେ ସେ ତୁମକୁ ଏହି ଆଜ୍ଞା ଦେଇଥିଲେ ଯେ ‘ମୋ ଭକ୍ତମାନଙ୍କର ପୋଷଣ କର’ | ତୁମେ ଭଗବାନଙ୍କର ସେହି ଆଜ୍ଞା ସ୍ବୀକାର କରିଥିଲ; ସେଥିରେ ତୁମ ପ୍ରତି ଅତି ପ୍ରସନ୍ନ ହୋଇ ଶ୍ରୀହରି ମୁକ୍ତିମାନଙ୍କୁ ତୁମର ସେବାକାରୀ ରୂପରେ ନିଯୁକ୍ତ କଲେ ଏବଂ ଏହି ଜ୍ଞାନ-ବୈରାଗ୍ୟଙ୍କୁ ପୁତ୍ର ରୂପରେ ତୁମକୁ ଦେଲେ | ତୁମେ ନିଜ ସାକ୍ଷାତ୍ ସ୍ବରୂପରେ ବୈକୁଣ୍ଠଧାମରେ ହିଁ ଭକ୍ତମାନଙ୍କର ପୋଷଣ କରିଥାଅ; ଭୂଲୋକରେ ତ ସେମାନଙ୍କର ପୁଷ୍ଟି ନିମନ୍ତେ ତୁମେ କେବଳ ଛାୟାରୂପ ଧାରଣ କରିଅଛ |
ତାପରେ ତୁମେ ମୁକ୍ତି, ଜ୍ଞାନ ଓ ବୈରାଗ୍ୟଙ୍କୁ ସଙ୍ଗରେ ଧରି ପୃଥିବୀତଳକୁ ଆସିଲ ଏବଂ ସତ୍ୟଯୁଗରୁ ଦ୍ବାପର ପର୍ଯ୍ୟନ୍ତ ଏଠାରେ ଅତି ଆନନ୍ଦରେ ରହିଲ | କଳିଯୁଗରେ ତୁମର ଦାସୀ ମୁକ୍ତି ପାଖଣ୍ଡରୋଗରେ ପୀଡିତ ହୋଇ କ୍ଷୀଣ ହେବାରେ ଲାଗିଲା, ସେଥିପାଇଁ ତୁମ ଆଜ୍ଞାରେ ସେ ଯଥାଶୀଘ୍ର ବୈକୁଣ୍ଠଲୋକକୁ ଚାଲିଗଲା | ଏହି ଲୋକରେ ତୁମେ ଯେତେବେଳେ ତାକୁ ସ୍ମରଣ କର, ସେ ତୁମ ସେବାରେ ଉପସ୍ଥିତ ହୁଏ ଏବଂ ପୁଣି ଚାଲିଯାଏ | କିନ୍ତୁ ଏହି ଜ୍ଞାନ-ବୈରାଗ୍ୟଙ୍କୁ ତୁମେ ପୁତ୍ର ମନେକରି ନିଜ ପାଖରେ ରଖି ନେଲ | କଳିଯୁଗରେ ଲୋକେ ଏମାନଙ୍କର ଉପେକ୍ଷା କରୁଥିବା କାରଣରୁ ଏମାନେ ଉତ୍ସାହହୀନ ଏବଂ ବୃଦ୍ଧ ହୋଇ ଯାଇଛନ୍ତି | କିନ୍ତୁ ତୁମେ ଚିନ୍ତା କରନାହିଁ; ମୁଁ ଏମାନଙ୍କ ନବଜୀବନର ଉପାୟ ଚିନ୍ତା କରୁଛି |
କଳିନା ସଦୁଶଃ କୋଽପି ଯୁଗୋ ନାସ୍ତି ବରାନନେ |
ତସ୍ମିଂସ୍ତ୍ବାଂ ସ୍ଥାପୟିଷ୍ୟାମି ଗେହେ ଗେହେ ଜନେ ଜନେ ||
ହେ ସୁମୁଖୀ ! କଳିଯୁଗ ସଦୃଶ ଅନ୍ୟ କୌଣସି ଯୁଗ ନୁହେଁ; ଏହି ଯୁଗରେ ମୁଁ ଘରେ-ଘରେ ପ୍ରତ୍ୟେକ ପୁରୁଷର ହୃଦୟରେ ତୁମକୁ ସ୍ଥାପିତ କରିବି | ଅନ୍ୟ ସବୁ ଧର୍ମକୁ ତଳକୁ ଠେଲି ଭକ୍ତିବିଷୟକ ମହୋତ୍ସବକୁ ସର୍ବାଗ୍ରେ ରଖି ମୁଁ ଯଦି ସଂସାରରେ ତୁମର ପ୍ରଚାର ନ କରିଛି, ତେବେ ମୁଁ ଶ୍ରୀହରିଙ୍କର ଦାସ ନୁହେଁ | ଏହି କଳିଯୁଗରେ ଯେଉଁ ଜୀବ ଭକ୍ତିଯୁକ୍ତ ହେବେ, ସେ ପାପୀ ହୋଇଥିଲେ ବି ଅକ୍ଲେଶରେ ଭଗବାନ ଶ୍ରୀକୃଷ୍ଣଙ୍କର ଅଭୟ ଧାମକୁ ପ୍ରାପ୍ତ ହୋଇଯିବେ | ଯେଉଁମାନଙ୍କ ହୃଦୟରେ ନିରନ୍ତର ପ୍ରେମରୂପିଣୀ ଭକ୍ତି ନିବାସ କରିଥାଏ, ସେହି ଶୁଦ୍ଧାନ୍ତଃକରଣ ପୁରୁଷ ସ୍ବପ୍ନରେ ସୁଦ୍ଧା ଯମରାଜଙ୍କର ଦର୍ଶନ କରନ୍ତି ନାହିଁ | ଯେଉଁମାନଙ୍କ ହୃଦୟରେ ଭକ୍ତି ମହାରାଣୀ ନିବାସ କରିଥାଆନ୍ତି, ସେମାନଙ୍କୁ ପ୍ରେତ, ପିଶାଚ, ରାକ୍ଷସ ବା ଦୈତ୍ୟ ସ୍ପର୍ଶ ମଧ୍ୟ କରିପାରନ୍ତି ନାହିଁ | ତପ,ବେଦାଧ୍ୟୟନ, ଜ୍ଞାନ, କର୍ମ ଆଦି କୌଣସି ସାଧନ ଦ୍ବାରା ଭଗବାନ ବଶୀଭୂତ ହୁଅନ୍ତି ନାହିଁ, ସେ କେବଳ ଭକ୍ତି ଦ୍ବାରା ହିଁ ବଶୀଭୂତ ହୋଇଥାଆନ୍ତି | ଶ୍ରୀଗୋପୀଜନ ଏହାର ପ୍ରମାଣ ଅଟନ୍ତି | ସହସ୍ର ଜନ୍ମର ପୁଣ୍ୟର ପ୍ରତାପରୁ ମନୁଷ୍ୟର ଭକ୍ତିରେ ଅନୁରାଗ ହୋଇଥାଏ | କଳିଯୁଗରେ କେବଳ ଭକ୍ତି ହିଁ ସାର ଅଟେ; କେବଳ ଭକ୍ତି ଦ୍ବାରା ହିଁ ସାକ୍ଷାତ ଶ୍ରୀକୃଷ୍ଣଚନ୍ଦ୍ର ଭକ୍ତ ସମ୍ମୁଖରେ ପ୍ରକଟ ହୋଇଥାଆନ୍ତି | ଯେଉଁମାନେ ଭକ୍ତି ପ୍ରତି ଦ୍ରୋହ କରନ୍ତି, ସେମାନଙ୍କୁ ତ୍ରିଲୋକରେ ସର୍ବତ୍ର କେବଳ ଦୁଃଖ ହିଁ ଦୁଃଖ ମିଳିଥାଏ | ପୂର୍ବକାଳରେ ଭକ୍ତର ତିରସ୍କାର କରି ଦୁର୍ବାସା ମୁନିଙ୍କୁ ବହୁ କଷ୍ଟ ଭୋଗ କରିବାକୁ ପଡିଥିଲା | ବାସ୍, ବ୍ରତ, ତୀର୍ଥ, ଯୋଗ, ଯଜ୍ଞ ଏବଂ ଜ୍ଞାନଚର୍ଚ୍ଚା ଆଦି ଅଧିକ ସାଧନର କୌଣସି ଆବଶ୍ୟକତା ନାହିଁ; ଏକମାତ୍ର ଭକ୍ତି ହିଁ ମୁକ୍ତି ପ୍ରଦାନ କରିବାକୁ ପର୍ଯ୍ୟାପ୍ତ ଅଟେ |
ନାରଦ ମୁନିଙ୍କ ଦ୍ବାରା ନିଜ ମାହାତ୍ମ୍ୟର ଏପରି ନିରୂପଣ ଶ୍ରବଣ କରି ଭକ୍ତିଦେବୀଙ୍କର ସମସ୍ତ ଅଙ୍ଗ ପୁଷ୍ଟ ହୋଇଗଲା ଏବଂ ସେ କହିଲେ – ହେ ଦେବର୍ଷି ! ଆପଣ ଧନ୍ୟ ଅଟନ୍ତି | ମୋ ପ୍ରତି ଆପଣଙ୍କର ନିଶ୍ଚଳ ପ୍ରୀତି ରହିଛି; ତେଣୁ ମୁଁ ସର୍ବଦା ଆପଣଙ୍କ ହୃଦୟରେ ରହିବି, ଆପଣଙ୍କୁ କେବେ ଛାଡି ଯିବିନାହିଁ | ଆପଣ ପରମ କୃପାଳୁ ଅଟନ୍ତି; ନିମିଷକରେ ଆପଣ ମୋର ସମସ୍ତ ଦୁଃଖ ଦୂର କରିଦେଲେ | କିନ୍ତୁ ମୋର ପୁତ୍ରମାନେ ଏବେ ବି ଚେତନାଶୂନ୍ୟ ରହିଛନ୍ତି; ଆପଣ ଶୀଘ୍ର ହିଁ ଏମାନଙ୍କୁ ସଚେତନ କରିଦିଅନ୍ତୁ |
ଭକ୍ତିଦେବୀଙ୍କର ପ୍ରାର୍ଥନା ଶୁଣି ଦେବର୍ଷି ନାରଦଙ୍କର ହୃଦୟ କରୁଣାରେ ଦ୍ରବୀଭୂତ ହୋଇଗଲା ଏବଂ ସେ ତାଙ୍କର ଦୁଇ ପୁତ୍ରଙ୍କୁ ହାତରେ ହଲାଇ ଉଠାଇବାକୁ ଚେଷ୍ଟା କଲେ | ତାପରେ ସେମାନଙ୍କ କାନ ପାଖରେ ମୁହଁ ଲଗାଇ ‘ହେ ଜ୍ଞାନ ! ଜଲଦି ଉଠ’, ହେ ବୈରାଗ୍ୟ ! ଜଲଦି ଉଠ’ – ଏହିପରି ଉଚ୍ଚ ସ୍ବରରେ କହିବାରେ ଲାଗିଲେ | ତଦନନ୍ତର ସେ ବେଦଧ୍ବନି, ବେଦାନ୍ତଘୋଷ ଏବଂ ବାରମ୍ବାର ଗୀତାପାଠ କରି ସେମାନଙ୍କୁ ଜଗାଇଵାକୁ ଚେଷ୍ଟା କଲେ | ଏବେ ସେମାନେ ବହୁ କଷ୍ଟରେ ଜାଗ୍ରତ ହେଲେ | କିନ୍ତୁ ଆଳସ୍ୟବଶତଃ ସେମାନେ ଆଖି ନ ଖୋଲି ହାଇ ମାରିବାରେ ଲାଗିଲେ | ସେମାନଙ୍କର କେଶ ବଗର ରଙ୍ଗ ସଦୃଶ ଶ୍ବେତବର୍ଣ୍ଣ ଧାରଣ କରିଥିଲା, ଶରୀରର ଅଙ୍ଗ-ପ୍ରତ୍ୟଙ୍ଗ ଶୁଷ୍କ କାଷ୍ଠ ସଦୃଶ ନିସ୍ତେଜ ଏବଂ କଠୋର ହୋଇ ଯାଇଥିଲା | ଭୋକ-ଶୋଷରେ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଥିବା କାରଣରୁ ସେମାନେ ପୁନଃ ଶୋଇଯିଵା ଦେଖି ଦେବର୍ଷି ଅତିଶୟ ଚିନ୍ତିତ ହୋଇ ଉଠିଲେ | ସେ ଚିନ୍ତା କରିବାରେ ଲାଗିଲେ, ଏବେ ମୁଁ କ’ଣ କରିବା ଉଚିତ୍ | ଏମାନଙ୍କର ଏହି ନିଦ୍ରା ଏବଂ ତା’ଠାରୁ ବଳି ଏହି ବାର୍ଦ୍ଧକ୍ୟଜନିତ ଦୁରାବସ୍ଥା କିପରି ଦୂର ହେବ ? ଏହିପରି ଚିନ୍ତା କରି କରି ସେ ଭଗବାନଙ୍କର ସ୍ମରଣ କରିବାରେ ଲାଗିଲେ | ସେହି ସମୟରେ ଏପରି ଆକାଶବାଣୀ ହେଲା, “ମୁନିବର ! ଦୁଃଖ କର ନାହିଁ | ତୁମର ଏହି ଉଦ୍ୟୋଗ ନିଃସନ୍ଦେହ ଭାବରେ ସଫଳ ହେବ | ହେ ଦେବର୍ଷି ! ଏଥିପାଇଁ ତୁମେ ଏକ ବର୍ଷ ସତ୍-କର୍ମ କର; ସନ୍ଥ ମହାନୁଭବମାନେ ସେହି କର୍ମ ବିଷୟରେ ତୁମକୁ କହିବେ | ସେହି ସତ୍-କର୍ମର ଅନୁଷ୍ଠାନ ଦ୍ବାରା ଅତି ଶୀଘ୍ର ଏମାନଙ୍କର ନିଦ୍ରା ଏବଂ ବାର୍ଦ୍ଧକ୍ୟ ଚାଲିଯିବ ତଥା ସର୍ବତ୍ର ଭକ୍ତିର ପ୍ରସାର ହେବ |” ଏହି ଆକାଶବାଣୀ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଅତି ସ୍ପଷ୍ଟ ଭାବରେ ଶୁଣା ଯାଉଥିଲା | ଦେବର୍ଷି ନାରଦ ସେହି ବାଣୀ ଶୁଣି ଅତିଶୟ ବିସ୍ମିତ ହୋଇ କହିଲେ, “ମୁଁ ତ ଏହାର ଅଭିପ୍ରାୟ ଆଦୌ ବୁଝି ପାରିଲି ନାହିଁ | ସେହି ସତ୍-କର୍ମରୂପୀ ସାଧନ କ’ଣ, ଯାହା ଦ୍ବାରା କାର୍ଯ୍ୟ-ସିଦ୍ଧି ହେବ ଏବଂ ସେହି ସନ୍ଥ ମହାପୁରୁଷ କିଏ ଏବଂ କେଉଁଠାରେ ମିଳିବେ, ଯିଏ ମୋତେ ସେହି ସାଧନ ନିର୍ଦ୍ଦେଶ କରିବେ ? ଏବେ ଏହି ଆକାଶବାଣୀ ଅନୁସାରେ ମୁଁ କ’ଣ କରିବା ଉଚିତ୍ ?”
ଏହାପରେ ଜ୍ଞାନ-ବୈରାଗ୍ୟଙ୍କୁ ସେଠାରେ ଛାଡି ନାରଦ ମୁନି ଆଗକୁ ଚାଲିଲେ ଏବଂ ପ୍ରତ୍ୟେକ ତୀର୍ଥକୁ ଯାଇ ମୁନୀଶ୍ବରମାନଙ୍କୁ ସେହି ସାଧନ ବିଷୟରେ ପଚାରିଲେ | ସେମାନେ ସମସ୍ତେ ତାଙ୍କ କଥା ଶୁଣିଲେ, କିନ୍ତୁ କେହି ମଧ୍ୟ କିଛି ନିଶ୍ଚିତ ଉତ୍ତର ଦେଇପାରିଲେ ନାହିଁ | ସର୍ବତ୍ର ବିଦ୍ବାନମାନେ ପରସ୍ପର ଚର୍ଚ୍ଚା କରିବାରେ ଲାଗିଲେ – ‘ଭାଈ ! ଯେଉଁଠି ବେଦଧ୍ବନି, ବେଦାନ୍ତଘୋଷ ଏବଂ ବାରମ୍ବାର ଗୀତା ଶୁଣାଇବା ପରେ ମଧ୍ୟ ଏମାନେ ଚେତନା ଲାଭ କଲେନାହିଁ, ସେଠାରେ ଆଉ ଅବା କ’ଣ ଉପାୟ ଅଛି | ଯାହା ବିଷୟରେ ସ୍ବୟଂ ନାରଦ ମୁନି ଜାଣନ୍ତି ନାହିଁ, ଅନ୍ୟ ସଂସାରୀ ଲୋକ ସେହି ସାଧନ ବିଷୟରେ କିପରି ଜାଣିବେ ?’ ଏହିପରି ଭାବରେ ଯେଉଁ ଯେଉଁ ଋଷିଙ୍କୁ ଜ୍ଞାନ-ବୈରାଗ୍ୟଙ୍କୁ ସଚେତନ କରିବାର ଉପାୟ ବିଷୟରେ ପଚରା ଗଲା, ସେମାନେ ସମସ୍ତେ ଏହି ନିର୍ଣ୍ଣୟ ଦେଲେ ଯେ ଏହା ଦୁଃସାଧ୍ୟ ଅଟେ |
ତଦନନ୍ତର ଚିନ୍ତାତୁର ଅବସ୍ଥାରେ ନାରଦ ମୁନି ବଦରୀବନକୁ ଗଲେ | ସେଠାରେ ପହଞ୍ଚି ସେ ଜ୍ଞାନ-ବୈରାଗ୍ୟଙ୍କୁ ଜଗାଇବା ଉଦ୍ଦେଶ୍ୟରେ ତପସ୍ୟା କରିବାକୁ ନିଶ୍ଚୟ କଲେ | ଏହି ସମୟରେ ତାଙ୍କୁ ନିଜ ସମ୍ମୁଖରେ କୋଟିଏ ସୂର୍ଯ୍ୟଙ୍କ ସମାନ ତେଜସ୍ବୀ ସନକାଦି ମୁନୀଶ୍ବରଙ୍କର ଦର୍ଶନ ହେଲା | ସେମାନଙ୍କୁ ଦେଖି ଦେବର୍ଷି ନାରଦ କହିଲେ – ହେ ମୁନୀଶ୍ବର ! ଆଜି ମୋର ବହୁତ ବଡ ଭାଗ୍ୟରୁ ଆପଣମାନଙ୍କ ସହିତ ସମାଗମ ହୋଇଛି | ଆପଣମାନେ କୃପା କରି ମୋତେ ସେହି ସାଧନ ନିର୍ଦ୍ଦେଶ କରନ୍ତୁ,ଯଦ୍ବାରା ମୋ ସମସ୍ୟାର ଅନ୍ତ ହୋଇପାରିବ | ଆପଣମାନେ ସମସ୍ତେ ପରମ ଯୋଗୀ, ବୁଦ୍ଧିମାନ ଏବଂ ବିଦ୍ବାନ ଅଟନ୍ତି | ବାହ୍ୟତଃ ଆପଣମାନେ ପଞ୍ଚବର୍ଷୀୟ ବାଳକ ପ୍ରତୀତ ହେଉଥିଲେ ବି, ଆପଣମାନେ ବାସ୍ତବରେ ପୂର୍ବଜମାନଙ୍କର ମଧ୍ୟ ପୂର୍ବଜ ଅଟନ୍ତି | ଆପଣମାନେ ସର୍ବଦା ବୈକୁଣ୍ଠଧାମରେ ନିବାସ କରନ୍ତି, ନିରନ୍ତର ହରି କୀର୍ତ୍ତନରେ ତତ୍ପର ରହନ୍ତି, ଭଗବତ୍-ଲୀଳାମୃତର ରସାସ୍ବାଦନ କରି ସଦା ତହିଁରେ ଉନ୍ମତ୍ତ ରହନ୍ତି ଏବଂ ଏକମାତ୍ର ଭଗବତ୍-କଥା ହିଁ ଆପଣମାନଙ୍କ ଜୀବନର ଆଧାର ଅଟେ | ଆପଣମାନଙ୍କ ମୁଖରୁ ସର୍ବଦା ‘ହରି ଶରଣମ୍’ (ଭଗବାନ ହିଁ ଆମର ରକ୍ଷକ ଅଟନ୍ତି) ମନ୍ତ୍ର ଉଚ୍ଚାରିତ ହେଉଥାଏ, ସେଥିପାଇଁ କାଳପ୍ରେରିତ ବାର୍ଦ୍ଧକ୍ୟ ଆପଣମାନଙ୍କୁ ସ୍ପର୍ଶ କରିପାରେ ନାହିଁ | ପୂର୍ବକାଳରେ ଆପଣମାନଙ୍କର ଭ୍ରୂଭଙ୍ଗମାତ୍ରେ ଭଗବାନ ବିଷ୍ଣୁଙ୍କର ଦ୍ବାରପାଳ ଜୟ ଏବଂ ବିଜୟଙ୍କର ଧରାତଳକୁ ପତନ ହୋଇ ଯାଇଥିଲା ଏବଂ ପରେ ଆପଣମାନଙ୍କ କୃପାରୁ ହିଁ ସେମାନେ ପୁନର୍ବାର ବୈକୁଣ୍ଠଲୋକକୁ ଫେରି ଆସିଥିଲେ | ମୋର ବହୁତ ବଡ ସୌଭାଗ୍ୟରୁ ଆଜି ମୋତେ ଆପଣମାନଙ୍କର ଦର୍ଶନ ପ୍ରାପ୍ତ ହୋଇଛି | ଏହି ସମୟରେ ମୁଁ ନିଜକୁ ଅତ୍ୟନ୍ତ ଦୀନ ଏବଂ ଅସହାୟ ମନେକରୁଛି | ଆପଣମାନେ ତ ସ୍ବଭାବତଃ ଦୟାଳୁ ଅଟନ୍ତି; ଆଶା କରୁଛି, ଆପଣମାନେ ନିଶ୍ଚିତ ଭାବରେ ମୋ ପ୍ରତି କୃପା କରିବେ | ଆକାଶବାଣୀ ମାଧ୍ୟମରେ ମୁଁ ଯାହା ଶୁଣିଥିଲି, ସେହି ସାଧନଟି କ’ଣ ଏବଂ କିପରି ଭାବରେ ମୁଁ ତାହାର ଅନୁଷ୍ଠାନ କରିବି – ସେହି ସବୁ ବିଷୟର ବର୍ଣ୍ଣନା ଆପଣମାନେ ବିସ୍ତାରପୂର୍ବକ କରନ୍ତୁ | କିପରି ଭାବରେ ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟ ସୁଖୀ ହୋଇପାରିବେ ଏବଂ କିପରି ଭାବରେ ସମସ୍ତ ବର୍ଣ୍ଣରେ ପ୍ରେମପୂର୍ବକ ସେମାନଙ୍କର ପ୍ରତିଷ୍ଠା କରାଯାଇ ପାରିବ – ତାହାର ଉପାୟ ନିର୍ଦ୍ଦେଶ କରନ୍ତୁ |
ସନକାଦି ମୁନୀଶ୍ବର କହିଲେ – ହେ ଦେବର୍ଷି ! ଆପଣ ଚିନ୍ତିତ ନ ହୋଇ ପ୍ରସନ୍ନ ରହନ୍ତୁ | ସେମାନଙ୍କ ଉଦ୍ଧାରର ଏକ ସରଳ ଉପାୟ ବହୁ ପୂର୍ବରୁ ବିଦ୍ୟମାନ ରହିଛି | ଆପଣ ଧନ୍ୟ ଅଟନ୍ତି; ବୈରାଗୀମାନଙ୍କର ଶିରୋମଣି ଅଟନ୍ତି | ଶ୍ରୀକୃଷ୍ଣଦାସମାନଙ୍କର ପଥ-ପ୍ରଦର୍ଶକ ଏବଂ ଭକ୍ତିଯୋଗର ଭାସ୍କର ଅଟନ୍ତି | ଆପଣ ଭକ୍ତିର ପ୍ରସାର ନିମନ୍ତେ ଯେଉଁ ଉଦ୍ୟୋଗ କରୁଛନ୍ତି, ତାହା ଆପଣଙ୍କ ପାଇଁ କିଛି ବିଚିତ୍ର କଥା ନୁହେଁ | ଭଗବାନଙ୍କର ଭକ୍ତମାନଙ୍କ ପକ୍ଷରେ ଭକ୍ତିର ସମ୍ୟକ ସ୍ଥାପନା କରିବା ତ ସର୍ବତୋ ଭାବରେ ବିଧେୟ ଅଟେ | ମୁନି-ଋଷିମାନେ ସଂସାରରେ ଅନେକ ମାର୍ଗ ପ୍ରଚଳନ କରିଛନ୍ତି; କିନ୍ତୁ ସେହି ସବୁ ମାର୍ଗ ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ ଏବଂ ପରିଣାମସ୍ବରୂପ ପ୍ରାୟତଃ ସ୍ବର୍ଗର ପ୍ରାପ୍ତି ହିଁ କରାଇ ଥାଆନ୍ତି | ଏପର୍ଯ୍ୟନ୍ତ ଭଗବତ୍-ପ୍ରାପ୍ତିର ମାର୍ଗ ତ ଗୁପ୍ତ ହିଁ ରହିଛି | ତାହାର ଉପଦେଷ୍ଟା ମିଳିବା ବହୁତ ବଡ ସୌଭାଗ୍ୟ ଅଟେ | ଆକାଶବାଣୀ ମାଧ୍ୟମରେ ଆପଣଙ୍କୁ ଯେଉଁ ସତ୍-କର୍ମର ସଂକେତ ମିଳିଥିଲା, ତାହାର ନିର୍ଦ୍ଦେଶ ଆମେ ବର୍ତ୍ତମାନ କରିବାକୁ ଯାଉଛୁ | ଆପଣ ପ୍ରସନ୍ନ ଏବଂ ସମାହିତ ଚିତ୍ତରେ ତାହାର ଶ୍ରବଣ କରନ୍ତୁ | ହେ ନାରଦ ! ଦ୍ରବ୍ୟଯଜ୍ଞ, ତପୋଯଜ୍ଞ, ଏବଂ ସ୍ବାଧ୍ୟାୟରୂପୀ ଜ୍ଞାନଯଜ୍ଞ – ଏସବୁ ତ ସ୍ବର୍ଗପ୍ରାପ୍ତି କରାଉଥିବା କର୍ମ ଅଭିମୁଖରେ ସଂକେତ କରନ୍ତି | ପଣ୍ଡିତମାନେ ଜ୍ଞାନଯଜ୍ଞକୁ ହିଁ ସତକର୍ମର ସୂଚକ ମନେକରନ୍ତି | ତାହା ଶ୍ରୀମଦ୍ ଭାଗବତ ପାରାୟଣ ଅଟେ,ଯାହାର ଗାୟନ ଶୁକାଦି ମହାନୁଭବ କରନ୍ତି | ଏହାର ଶବ୍ଦ ଶ୍ରବଣ କରି ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟଙ୍କୁ ଅପର୍ଯ୍ୟାପ୍ତ ବଳ ମିଳିବ | ତଦ୍ବାରା ଜ୍ଞାନ-ବୈରାଗ୍ୟଙ୍କର କଷ୍ଟ ଦୂର ହୋଇଯିବ ଏବଂ ଭକ୍ତି ଆନନ୍ଦିତ ହେବ | ସିଂହର ଗର୍ଜନ ଶୁଣି ଶୃଗାଳମାନେ ଧାଇଁ ପଳାଇବା ପରି ଶ୍ରୀମଦ୍ଭାଗବତର ଧ୍ବନିରେ କଳିଯୁଗର ସବୁ ଦୋଷ ନଷ୍ଟ ହୋଇଯିବ | ତାପରେ ଜ୍ଞାନ-ବୈରାଗ୍ୟଙ୍କ ସହିତ ପ୍ରେମରସ ପ୍ରବାହିତ କରୁଥିବା ଭକ୍ତି ପ୍ରତ୍ୟେକ ଘର ଏବଂ ବ୍ୟକ୍ତିଙ୍କ ହୃଦୟରେ କ୍ରୀଡା କରିବ |
ସନକାଦିଙ୍କର ଉପଦେଶ ଶୁଣି ଦେବର୍ଷି ନାରଦ କହିଲେ – ହେ ମହାନୁଭବ ! ମୁଁ ବେଦ-ବେଦାନ୍ତର ଧ୍ବନି ଏବଂ ଗୀତାପାଠ ଦ୍ବାରା ସେମାନଙ୍କୁ ଜଗାଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ସେମାନେ ଉଠିଲେ ନାହିଁ | ଏପରି ସ୍ଥିତିରେ ଶ୍ରୀମଦ୍ଭାଗବତ ଶୁଣାଇବା ଦ୍ବାରା ସେମାନେ ଜାଗ୍ରତ ହେବେ କିପରି ? ଶ୍ରୀମଦ୍ଭାଗବତର ପ୍ରତ୍ୟେକ ଶ୍ଲୋକ ଏବଂ ପଦ ତ ବେଦର ହିଁ ସାରାଂଶ ଅଟେ | ଆପଣମାନେ ଶରଣାଗତବତ୍ସଳ ଅଟନ୍ତି ତଥା ଆପଣମାନଙ୍କର ଦର୍ଶନ କଦାପି ବ୍ୟର୍ଥ ହୋଇ ନ ଥାଏ | ତେଣୁ ଆପଣମାନେ ବିଳମ୍ବ ନ କରି ଅତିଶୀଘ୍ର ମୋର ଏହି ସନ୍ଦେହ ଦୂର କରନ୍ତୁ | ସନକାଦି ମୁନୀଶ୍ବର କହିଲେ – ହେ ଦେବର୍ଷି ! ଶ୍ରୀମଦ୍ ଭାଗବତ କଥା ବେଦ ଓ ଉପନିଷଦର ସାରକୁ ନେଇ ପ୍ରସ୍ତୁତ | ଏହା ସେମାନଙ୍କର ଫଳରୂପ ହୋଇଥିବା କାରଣରୁ ଏହାର ସ୍ବାଦ ସେମାନଙ୍କଠାରୁ ମଧ୍ୟ ଉତ୍ତମ ଅଟେ | ବୃକ୍ଷର ମୂଳଠାରୁ ଆରମ୍ଭ କରି ଶାଖାପର୍ଯ୍ୟନ୍ତ ସର୍ବତ୍ର ରସ ରହିଛି, କେହି ତାହାର ଆସ୍ବାଦନ କରନ୍ତି ନାହିଁ | କିନ୍ତୁ ସେହି ରସ ଯେତେବେଳେ ଫଳ ରୂପ ଧାରଣ କରେ, ସେତେବେଳେ ତାହା ସମସ୍ତଙ୍କ ଦ୍ବାରା ଆସ୍ବାଦିତ ହୋଇଥାଏ | କ୍ଷୀରରେ ଘୃତ ସର୍ବତ୍ର ବ୍ୟାପ୍ତ, କିନ୍ତୁ ସମୁଚିତ ପ୍ରକ୍ରିୟାରେ ତାହାକୁ କ୍ଷୀରଠାରୁ ପୃଥକ୍ କରିବା ପରେ ଘୃତର ସ୍ବାଦ ଅନୁଭବରେ ଆସିଥାଏ | ଆଖୁରେ ସର୍ବତ୍ର ମଧୁରିମା ହିଁ ମଧୁରିମା ଭରିରହିଛି, କିନ୍ତୁ ମିଶ୍ରିରେ ରୂପାନ୍ତରିତ ହୋଇ ତାହାର ମଧୁରିମା ଆହୁରି ବୃଦ୍ଧି ଲାଭ କରିଥାଏ | ଭାଗବତ କଥା ଠିକ୍ ସେହିପରି ଅଟେ |
ଇଦଂ ଭାଗବତଂ ନାମ ପୁରାଣଂ ବ୍ରହ୍ମସମ୍ମିତମ୍ |
ଭକ୍ତିଜ୍ଞାନବିରାଗାଣାଂ ସ୍ଥାପନାୟ ପ୍ରକାଶିତମ୍ ||
ଏହି ଭାଗବତପୁରାଣ ବେଦ ସମତୁଲ୍ୟ ଅଟେ | ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟର ସ୍ଥାପନା ଉଦ୍ଦେଶ୍ୟରେ ଶ୍ରୀବେଦବ୍ୟାସ ଏହାକୁ ପ୍ରକାଶିତ କରିଛନ୍ତି | ପୂର୍ବକାଳରେ ବେଦ-ବେଦାନ୍ତର ପାରଦର୍ଶୀ ଏବଂ ଗୀତାର ରଚୟିତା ଭଗବାନ ବ୍ୟାସଦେବ ଯେତେବେଳେ ବିଷର୍ଣ୍ଣ ହୋଇ ଅଜ୍ଞାନସମୁଦ୍ରରେ ଥଳକୂଳ ପାଉ ନ ଥିଲେ, ସେତେବେଳେ ଆପଣ ହିଁ ଚାରୋଟି ଶ୍ଲୋକ ମାଧ୍ୟମରେ ତାଙ୍କୁ ଏହାର ଉପଦେଶ ପ୍ରଦାନ କରିଥିଲେ | ଏହାର ଶ୍ରବଣ କରି ତାଙ୍କର ସବୁ ଚିନ୍ତା ଦୂର ହୋଇଗଲା | ତେଣୁ ଆପଣ ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କୁ ଏପରି ପ୍ରଶ୍ନ କରିବାର କାରଣ କ’ଣ ? ଏବେ ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟଙ୍କର ଦୁଃଖ-ଶୋକ ବିନାଶ କରିବା ପାଇଁ ଆପଣ ସେମାନଙ୍କୁ ସେହି ଭାଗବତପୁରାଣ ଶୁଣାନ୍ତୁ |
ଏହା ଶୁଣି ନାରଦ ମୁନି ଆଶ୍ବସ୍ତ ହୋଇ କହିଲେ – ହେ ମହାନୁଭବ ! ଆପଣମାନଙ୍କର ଦର୍ଶନ ଜୀବର ସମସ୍ତ ପାପକୁ ତତ୍କାଳ ନଷ୍ଟ କରିଦିଏ ଏବଂ ସଂସାରର ଦୁଃଖରୂପ ଦାବାନଳରେ ଅହରହ ସନ୍ତପ୍ତ ଜୀବ ଉପରେ ଶାନ୍ତିର ବର୍ଷା କରିଥାଏ | ଭଗବାନ ଶେଷଦେବଙ୍କର ସହସ୍ର ମୁଖରେ ଗାନ କରା ଯାଉଥିବା ଭଗବତ୍-କଥାମୃତର ରସ ଆପଣମାନେ ନିରନ୍ତର ପାନ କରୁଥାଆନ୍ତି | ପ୍ରେମଲକ୍ଷଣା ଭକ୍ତିକୁ ପ୍ରକାଶିତ କରିବା ପାଇଁ ମୁଁ ଆପଣମାନଙ୍କର ଶରଣ ଗ୍ରହଣ କରୁଛି | ଅନେକ ଜନ୍ମର ସଂଚିତ ପୁଣ୍ୟପୁଞ୍ଜର ଉଦୟରେ ମନୁଷ୍ୟକୁ ଯେତେବେଳେ ସତସଂଗ ମିଳିଥାଏ, ସେତେବେଳେ ତାହାର ଅଜ୍ଞାନଜନିତ ମୋହ-ମଦରୂପ ଅନ୍ଧକାର ନାଶ ହୋଇ ବିବେକର ଉଦୟ ହୋଇଥାଏ |
ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-1- ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତକଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-3- ଭକ୍ତିର କଷ୍ଟନିବୃତ୍ତି
ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-1- ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତକଶ୍ରୀମଦ୍ ଭାଗବତ ମାହାତ୍ମ୍ୟ-3- ଭକ୍ତିର କଷ୍ଟନିବୃତ୍ତି