Log in
English

ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା

Aug 19th, 2024 | 2 Min Read
Blog Thumnail

Category: Festivals

|

Language: Oriya

ହିନ୍ଦୁ ପଞ୍ଜିକା ଅନ୍ତର୍ଗତ ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିକୁ ରକ୍ଷାବନ୍ଧନ ରୂପରେ ପାଳନ କରାଯାଇ ଥାଏ | ଭାଈ-ଭଉଣୀଙ୍କର ସ୍ନେହ-ସମ୍ବନ୍ଧ ଉଦ୍ଦେଶ୍ୟରେ ସମର୍ପିତ ଏହି ପର୍ବରେ ଭଉଣୀ ନିଜ ଭାଈ ହାତରେ ରାଖୀ ବାନ୍ଧି ତାହାର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିଥାଏ ଏବଂ ଭାଈ ନିଜ ଭଉଣୀକୁ ସୁରକ୍ଷା ପ୍ରଦାନ କରିବାର ସଂକଳ୍ପ କରିଥାଏ |

ଅଧିକାଂଶ ହିନ୍ଦୁ ପର୍ବ ପରି ରକ୍ଷାବନ୍ଧନର ଆଧାର ମଧ୍ୟ ଆମର ଆଧ୍ୟାତ୍ମିକ ଐତିହ ସହିତ ଜଡିତ | ମହାଭାରତର ଏକ ଆଖ୍ୟାନ ଅନୁଯାୟୀ, ଶିଶୁପାଳ ବଧ ସମୟରେ ଥରେ ଭୁଲବଶତଃ ଭଗବାନ ଶ୍ରୀକୃଷ୍ଣଙ୍କର ଅଙ୍ଗୁଳି ସୁଦର୍ଶନ ଚକ୍ରର ଧାରରେ କଟି ଯାଇଥିଲା | କଟି ଯାଇଥିବା ଅଙ୍ଗୁଳିରୁ ରକ୍ତସ୍ରାବ ହେଉଥିବା ଦେଖି ଦ୍ରୌପଦୀ ଅତି ଶୀଘ୍ର ନିଜ କାନିପଣତ ଚିରି ଭଗବାନଙ୍କ ଅଙ୍ଗୁଳିରେ ବାନ୍ଧି ଦେଲେ | ଦ୍ରୌପଦୀଙ୍କର ଏହି ଛୋଟ ଅଥଚ ମଧୁର ଆଚରଣଟି ଉଦାରହୃଦୟ ଭଗବାନଙ୍କୁ ଏତେ ବେଶୀ ପ୍ରଭାବିତ କରିଥିଲା ଯେ ସେ ସେହିଠାରେ ହିଁ ଦ୍ରୌପଦୀଙ୍କୁ ସର୍ବଦା ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ |

ରକ୍ଷାବନ୍ଧନ ପର୍ବଟି ଭାଈ-ଭଉଣୀଙ୍କର ପରସ୍ପର ପ୍ରତି ରହିଥିବା ସ୍ନେହସମ୍ବନ୍ଧ ଏବଂ ସୁରକ୍ଷାଭାବନାର ପ୍ରତୀକ ଅଟେ | ବାସ୍ତବରେ,ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆମର ସବୁ ସମ୍ବନ୍ଧ ଏକମାତ୍ର ଈଶ୍ବରଙ୍କ ସହିତ ରହିଛି; ସେ ହିଁ ଆମର ପିତା, ମାତା, ଭାଈ, ଭଉଣୀ,ପ୍ରିୟତମ, ମିତ୍ର ଆଦି ସବୁକିଛି ଅଟନ୍ତି | ଜନ୍ମ-ଜନ୍ମାନ୍ତର ଧରି ଏକମାତ୍ର ଈଶ୍ବର ହିଁ ଆମ୍ଭମାନଙ୍କ ପରି ଜୀବାତ୍ମାମାନଙ୍କର ବାସ୍ତବିକ ରକ୍ଷକ ଅଟନ୍ତି |

ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବରେ ମୋ ଭକ୍ତର ସମସ୍ତ ଦାୟିତ୍ବ ବହନ କରିଥାଏ | ମୋ ଭକ୍ତର କେବେ ପତନ ହୁଏନାହିଁ |
ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ ।
ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।। ୯.୨୨।।
‘ଯେଉଁମାନେ ସର୍ବଦା, ଅନନ୍ୟ ଭକ୍ତିଯୁକ୍ତ ହୋଇ ମୋର ଧ୍ୟାନରେ ନିମଗ୍ନ ରହିଥାଆନ୍ତି, ଯାହାର ମନ ସର୍ବଦା ମୋ ଚିନ୍ତନରେ ବୁଡ଼ି ରହିଥାଏ, ମୁଁ ସେମାନଙ୍କ ପାଖରେ ଯାହା ନ ଥାଏ, ତାହା ପ୍ରଦାନ କରେ ଏବଂ ଯାହା ଥାଏ, ତାର ରକ୍ଷା କରେ ।‘
ସେଥିପାଇଁ ଦ୍ରୌପଦୀ ଯେପରି ନିଜର ସବୁଠାରୁ ବଡ ବିପତ୍ତି କାଳରେ ଭଗବାନଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ହୋଇ ଯାଇଥିଲେ, ଆମେ ଯଦି ସେହିପରି ଅନନ୍ୟ ଭାବ ରଖି ଭଗବାନଙ୍କ ପ୍ରତି ସମର୍ପିତ ହୋଇଯିବା, ତେବେ ଆମେ ମଧ୍ୟ ତାଙ୍କର ଦିବ୍ୟ ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ଆଶ୍ବସ୍ତ ହୋଇପାରିବା | ଭଗବାନଙ୍କର ନିରନ୍ତର ସ୍ମରଣର ଅଭ୍ୟାସ କରି ଆମେ ପରମପିତା ପରମାତ୍ମାଙ୍କ ସହିତ ମାନସିକ ସମ୍ବନ୍ଧର ଏହି ସ୍ଥିତି ପ୍ରାପ୍ତ କରିପାରିବା | ନିଜର ସାଂସାରିକ କର୍ତ୍ତବ୍ୟ-କର୍ମ କରୁଥିବା ସମୟରେ ଆମେ ଯଦି ନିଜର ସାକ୍ଷୀ ଏବଂ ରକ୍ଷକ ରୂପରେ ସଦାସର୍ବଦା ଭଗବାନଙ୍କୁ ନିଜ ସହିତ ଅନୁଭବ କରିପାରିବା, ତେବେ ଆମେ ଭୟମୁକ୍ତ ଏବଂ ପାପରହିତ ହୋଇଯିବା ଏବଂ ନୈତିକତା ଦୃଷ୍ଟିରୁ ମଧ୍ୟ ଆମର ପ୍ରତ୍ୟେକ କାର୍ଯ୍ୟ ଉଚ୍ଚ ମାନର ହୋଇଯିବ |

ବାସ୍ତବରେ, ଏହି ରକ୍ଷାବନ୍ଧନ ପର୍ବଟି ସର୍ବଶକ୍ତିମାନ ଭଗବାନଙ୍କ ସହିତ ଆମର ସାମଗ୍ରିକ ପବିତ୍ର ବନ୍ଧନର ଏକ ସ୍ମାରକ ଅଟେ | ଆସନ୍ତୁ, ଏହି ସୁନ୍ଦର ପର୍ବଟି ପାଳନ କରିବାକୁ ଯାଇ ଆମେ ଏହାର ପାରମ୍ପରିକ ଅନୁଷ୍ଠାନରୁ ଉପରକୁ ଉଠି, ଏହାର ଉପଯୋଗ ନିଜର ଆଧ୍ୟାତ୍ମିକ ବିକାଶ ନିମନ୍ତେ ଏକ ଅବସର ଭାବରେ କରିବା – ଭଗବାନଙ୍କ ସହିତ ନିଜର ବନ୍ଧନକୁ ଦୃଢ କରିବା ଦିଗରେ ଏହାକୁ ଏକ ଅନୁସ୍ମାରକ କରିବା, ଯାହା ଫଳରେ ନିଜକୁ ଭଗବାନଙ୍କର ଦିବ୍ୟ ସଂରକ୍ଷଣରେ ରହିଥିବା ଅନୁଭବ କରି ଆମେ ସାହସର ସହିତ ଜୀବନ-ସମସ୍ୟାର ମୁକାବିଲା କରିପାରିବା |