Log in
English

ପ୍ରଥମ ରଥଯାତ୍ରା: ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତି ଏବଂ ରାଧାକୃଷ୍ଣଙ୍କ ସହିତ ତାହାର ସମ୍ବନ୍ଧ

Jul 13th, 2024 | 7 Min Read
Blog Thumnail

Category: Festivals

|

Language: Oriya

ରଥଯାତ୍ରା, ଯାହା ରଥ ମହୋତ୍ସବ ଭାବରେ ମଧ୍ୟ ଜଣାଶୁଣା, କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଅଟେ ଯାହା ଲକ୍ଷ ଲକ୍ଷ ଭକ୍ତଙ୍କ ହୃଦୟରେ ପୁନଃ ପ୍ରତିରୂପିତ ହୋଇଥାଏ | ଏହା ଭଗବାନ ଜଗନ୍ନାଥଙ୍କର ନିଜ ଭାଈ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ଓଡିଶାର ପୁରୀ ସହରର ଜଗନ୍ନାଥ ମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବାର୍ଷିକ ଯାତ୍ରାର ସ୍ମରଣ କରାଇଥାଏ। ଆସନ୍ତୁ, ପୂଜ୍ୟ ସ୍ବାମୀ ମୁକୁନ୍ଦାନନ୍ଦଙ୍କର ବର୍ଣ୍ଣନା ଅନୁଯାୟୀ ଏହି ଉତ୍ସବର ଗଭୀର ଆଧ୍ୟାତ୍ମିକ ମହତ୍ତ୍ବର ଅନୁଧ୍ୟାନ କରିବା ଏବଂ ଏହା ସହିତ ଜଡ଼ିତ ଚିତ୍ତାକର୍ଷକ ଲୀଳାର ଆସ୍ବାଦନ କରିବା |

ରଥଯାତ୍ରାର ଇତିହାସ 

ରଥଯାତ୍ରାର ଏହି  ପରମ୍ପରାର ଆଧାର ପ୍ରାଚୀନ କାଳ ସହିତ ଗଭୀର ଭାବରେ ଜଡ଼ିତ ଯାହାର ରହସ୍ୟ  ହିନ୍ଦୁ ଶାସ୍ତ୍ର ଏବଂ କିମ୍ବଦନ୍ତୀ ମାଧ୍ୟମରେ ଜାଣିହେବ | ଏହି ଜୀବନ୍ତ ପର୍ବଟି ଶ୍ରୀକୃଷ୍ଣଙ୍କର ଏକ ଅଭିବ୍ୟକ୍ତି ଭଗବାନ ଜଗନ୍ନାଥ ତଥା ତାଙ୍କର ଭାଈଭଉଣୀ ଶ୍ରୀ ବଳରାମ ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତି ଉତ୍ସର୍ଗୀକୃତ | କିମ୍ବଦନ୍ତୀ ଅନୁଯାୟୀ, ତିନି ଠାକୁର ପ୍ରତିବର୍ଷ ସେମାନଙ୍କର ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି, ଯାହା ଏହି ଶୋଭାଯାତ୍ରାକୁ ପ୍ରେରିତ କରିଥାଏ |

ରଥଯାତ୍ରା ଓ ଶ୍ରୀକୃଷ୍ଣ ଏବଂ ବ୍ରଜଗୋପୀ ମାନଙ୍କର ଦିବ୍ୟଲୀଳା 

ରଥଯାତ୍ରାର ମହତ୍ତ୍ବ ବ୍ରଜ ଗୋପୀମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା ଅନ୍ତର୍ଗତ ଭକ୍ତି ଭାବନା  ସହିତ ଗଭୀର ଭାବରେ ଜଡ଼ିତ | ରଥଯାତ୍ରାର ସମକାଳୀନ ପାଳନ ସମଗ୍ର ଭାରତରେ ତଥା ବିଶ୍ବ ସ୍ତରରେ ସ୍ୱୀକୃତିପ୍ରାପ୍ତ ହୋଇଥିବାବେଳେ, ମାନବ ଇତିହାସରେ ପ୍ରଥମ ରଥଯାତ୍ରାର ଉତ୍ପତ୍ତି କାଳ ଅପେକ୍ଷାକୃତ ଅସ୍ପଷ୍ଟ ରହିଛି।

ଶ୍ରୀକୃଷ୍ଣ ବୃନ୍ଦାବନ ବା ବ୍ରଜ ଛାଡି ଚାଲିଯିବା ପରେ ରାଧାରାଣୀ ଏବଂ ଗୋପୀମାନଙ୍କୁ ଏକ ଶତାବ୍ଦୀ ଧରି ତାଙ୍କ ବିୟୋଗଜନିତ ହୃଦୟବିଦାରକ ପୀଡା ସହ୍ୟ କରିବାକୁ ପଡିଥିଲା, ଯଦିଓ ସେମାନଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ହୃଦୟରେ ଗଭୀର ସ୍ନେହ ରହିଥିଲା | ଶାରୀରିକ ରୂପରେ ଯଦିଓ ସେମାନେ ପୃଥକ ରହିଥିଲେ, ସେମାନଙ୍କର ମନ ନିରନ୍ତର ଶ୍ରୀକୃଷ୍ଣଙ୍କ ସହିତ ସଂଯୁକ୍ତ ରହିଥିଲା, ଏବଂ ସେମାନଙ୍କର ପ୍ରେମ ଆହୁରି ପ୍ରଗାଢ଼ ଏବଂ ନିଷ୍କାମ ହୋଇ ଯାଇଥିଲା | ଏହି ଦିବ୍ୟ ବିୟୋଗ ସେମାନଙ୍କର ନିଷ୍କାମ ପ୍ରେମକୁ ଅଧିକ ଗଭୀର କରିଥିଲା, ତାହାକୁ କଳ୍ପନାତୀତ ପରିମାଣରେ ଶୁଦ୍ଧ କରିଥିଲା | ଏକ ଶତାବ୍ଦୀ ବ୍ୟାକୁଳ ପ୍ରତୀକ୍ଷାର ଅବସାନ ଘଟି ଅନ୍ତତଃ ଗୋପୀମାନେ ସେମାନଙ୍କର ପରମ ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହୋଇ ଦିବ୍ୟ ପ୍ରେମର ଆନନ୍ଦ ଅନୁଭବ କଲେ, ସେମାନଙ୍କର ହୃଦୟ ଅନିର୍ବଚନୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଗଲା |

ସୂର୍ଯ୍ୟ ଗ୍ରହଣ ସମୟରେ କୁରୁକ୍ଷେତ୍ର ନିକଟସ୍ଥ ବ୍ରହ୍ମ ହ୍ରଦର କୁଣ୍ଡ (ପୁଷ୍କରିଣୀ) ରେ ସ୍ନାନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନଙ୍କର ସମାଗମ ହୋଇଥାଏ, ଏହି ବିଶ୍ବାସରେ ଯେ ଏହି ସ୍ନାନ ଏକ ଅଶ୍ବମେଧ ଯଜ୍ଞର ଅନୁଷ୍ଠାନ ପରି ଶୁଭ ଫଳଦାୟକ ଅଟେ | ଶ୍ରୀକୃଷ୍ଣ, ତାଙ୍କର ୧୬୧୦୮ ରାଣୀ ଏବଂ ଅନ୍ୟ ଯଦୁବଂଶୀମାନଙ୍କ ସହିତ ସେହି ବ୍ରହ୍ମ କୁଣ୍ଡ ପରିଦର୍ଶନରେ ଆସିଥିଲେ | ରାଧାରାଣୀ ଏବଂ ଗୋପୀମାନେ ମଧ୍ୟ ବ୍ରଜରୁ ସେହି ହ୍ରଦ ପର୍ଯ୍ୟନ୍ତ ଯାତ୍ରା କରିଥିଲେ | ଦୀର୍ଘ ଏକ ଶତାବ୍ଦୀ ପରେ ଶ୍ରୀକୃଷ୍ଣଙ୍କୁ ଦେଖି ସେମାନଙ୍କ ଆନନ୍ଦର ସୀମା ରହିଲା ନାହିଁ | ଅବଶ୍ୟ, ତାଙ୍କୁ ଦ୍ୱାରକାର ଐଶ୍ବର୍ଯ୍ୟଶାଳୀ ରାଜା ରୂପରେ ଦେଖି ସେମାନେ ସେପରି ମଧୁର ଏବଂ ଦିବ୍ୟ ଆନନ୍ଦ ଅନୁଭବ କରି ନ ଥିଲେ | ସେମାନେ ତାଙ୍କୁ ବ୍ରଜକୁ ଫେରି ଆସିବାକୁ କହିଥିଲେ ଯେଉଁଠି ସେମାନେ ତାଙ୍କୁ ନିଜର ପ୍ରିୟତମ ଶ୍ୟାମସୁନ୍ଦର ରୂପରେ ପାଇ ତାଙ୍କ ସ୍ନେହପୂର୍ଣ୍ଣ ବିଳାସରେ ବ୍ରଜରସର ଆସ୍ବାଦନ କରିପାରିବେ | ସେମାନଙ୍କର ସେହି ଇଚ୍ଛାକୁ ସହାନୁଭୂତି ସହ ବିଚାର କରି ଶ୍ରୀକୃଷ୍ଣ ସେଥିରେ ସହମତ ହେଲେ ।

ଶ୍ରୀକୃଷ୍ଣ, ବଳରାମ, ଏବଂ ସୁଭଦ୍ରାଙ୍କୁ ନେଇ ଯିବା ପାଇଁ ଗୋପୀମାନେ ଏକ ରଥ ପ୍ରସ୍ତୁତ  କରନ୍ତି ଏବଂ ଗଭୀର ଅନୁରାଗରେ ତାହାକୁ କୁରୁକ୍ଷେତ୍ରରୁ ବ୍ରଜକୁ ଟାଣି ନିଅନ୍ତି । ଗୋପୀମାନଙ୍କର ନିଷ୍କାମ ପ୍ରେମ ଏବଂ ଗହନ ଭକ୍ତିଭାବକୁ ଦେଖି ଶ୍ରୀକୃଷ୍ଣ ମହାଭାବକୁ ପ୍ରାପ୍ତ ହୋଇ ଦିବ୍ୟ ପରମାନନ୍ଦ ଅନୁଭବରେ ସମାଧିସ୍ଥ ହୋଇଯାଆନ୍ତି | ତାଙ୍କର ଗଭୀର ଆନ୍ତରିକ ସ୍ଥିତି ତାଙ୍କର ବିସ୍ତୃତ ଆଖି ଏବଂ ନିଶ୍ଚଳ ଶରୀରରେ ପ୍ରତିଫଳିତ ହେଉଥାଏ | ତାଙ୍କ ଦିବ୍ୟ ସ୍ଥିତିରେ ଅନୁପ୍ରାଣିତ ହୋଇ ବଳରାମ ଏବଂ ସୁଭଦ୍ରା ମଧ୍ୟ ମହାଭାବ ସମାଧିକୁ ଚାଲି ଯାଆନ୍ତି |

ରଥ ଯେତେବେଳେ ବ୍ରଜରେ ପ୍ରବେଶ କରେ, ସମସ୍ତ ସ୍ଥାନୀୟ ଲୋକ ସେମାନଙ୍କର ପ୍ରିୟ ଶ୍ୟାମସୁନ୍ଦରଙ୍କ ସହ ପୁନଃମିଳିତ ହେବା ଆଶାରେ ଖୁସୀରେ ଚାହିଁ ରହିଥାଆନ୍ତି  | ସେଠାରେ, ଶ୍ରୀକୃଷ୍ଣ ତାଙ୍କର ରାଜକୀୟ ରୂପ ତ୍ୟାଗ କରି ଏକ ମିତ୍ର, ପୁତ୍ର ଏବଂ ପ୍ରିୟତମ ଭାବରେ ଚତୁର୍ଦ୍ଦିଗରେ ବିଶୁଦ୍ଧ ଆନନ୍ଦର ବିସ୍ତାର କରନ୍ତି |

ଚୈତନ୍ୟ ମହାପ୍ରଭୂ: ରଥଯାତ୍ରାରେ ରାଧା - ପ୍ରେମର ମୂର୍ତ୍ତିମାନ ବିଗ୍ରହ 

ପୂଜ୍ୟ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ୱାରା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ଥରେ ରାଧାଙ୍କର ତାଙ୍କ ପ୍ରତି ଥିବା ଗଭୀର ପ୍ରେମ ଦ୍ୱାରା ଶ୍ରୀକୃଷ୍ଣ ବହୁତ ବେଶୀ ପ୍ରଭାବିତ ହୋଇଥିଲେ | ସେ ଚିନ୍ତା କଲେ, "ରାଧାଙ୍କ ପ୍ରେମର ପ୍ରକୃତି କ’ଣ? ମୁଁ ତାହାକୁ କିପରି ବୁଝିବି?" ଏହାପରେ ଶ୍ରୀକୃଷ୍ଣ ଭାବିଲେ ଯେ ସେ ଯଦି ରାଧା ହୋଇପାରନ୍ତେ, ତେବେ ସେ ତାଙ୍କର ପ୍ରେମକୁ ପ୍ରାପ୍ତ କରିନିଅନ୍ତେ ଏବଂ ଅନ୍ତତଃ ସେ ତାଙ୍କ ପ୍ରତି ଥିବା ରାଧାଙ୍କର ଭକ୍ତିଭାବକୁ ବୁଝିପାରନ୍ତେ | ସେ ଆହୁରି ମଧ୍ୟ ଭାବିଲେ ଯେ ତାଙ୍କଠାରେ ଏପରି କ’ଣ ଅଛି ଯାହା ରାଧାଙ୍କର ଅତୁଟ ଧ୍ୟାନକୁ ତାଙ୍କ ପ୍ରତି ଆକର୍ଷିତ କରୁଛି |

ତାଙ୍କର ପ୍ରତି ରୋମମୂଳରୁ "କୃଷ୍ଣ, କୃଷ୍ଣ, କୃଷ୍ଣ" ଏବଂ "ଶ୍ୟାମ, ଶ୍ୟାମ, ଶ୍ୟାମ" ଧ୍ବନି ଗୁଞ୍ଜରିତ ହେଉଛି | ଶ୍ରୀକୃଷ୍ଣ ଭାବିଲେ, ମୋର ଏପରି ଭକ୍ତି କରି ରାଧାଙ୍କୁ କି ଆନନ୍ଦ ମିଳୁଛି | ନିଜ ଭିତରେ ଉଠିଥିବା ଏହି ସବୁ ଜିଜ୍ଞାସାର ଉତ୍ତର ପାଇବା ନିମନ୍ତେ ଶ୍ରୀକୃଷ୍ଣ ଏକ ନୂତନ ରୂପ ନେବାକୁ ସ୍ଥିର କଲେ | ନିଜ ଦିବ୍ୟ ଲୀଳା ଅନ୍ତର୍ଗତ ନିଜକୁ ରାଧା ଭାବରେ ରୂପାନ୍ତରିତ କରିବାକୁ ଅସମର୍ଥ ମନେକରି, ସେ ରାଧାଭାବର ମୂର୍ତ୍ତିମାନ ସ୍ବରୂପ ନିଜର ଜଣେ ସର୍ବଶ୍ରେଷ୍ଠ ଭକ୍ତ ଭାବରେ ଅବତରିତ ହେବାକୁ ସଂକଳ୍ପ କଲେ | ଏହିପରି ଭାବରେ ସେ ଚୈତନ୍ୟ ମହାପ୍ରଭୁ ରୂପେ ଅଭିବ୍ୟକ୍ତ ହେଲେ |

ପୁରୀରେ, ଯେଉଁଠାରେ ଶ୍ରୀ ଚୈତନ୍ୟ ମହାପ୍ରଭୂ ନିବାସ କରୁଥିଲେ, ରଥଯାତ୍ରାର କାଳଜୟୀ ପରମ୍ପରା ପ୍ରତିବର୍ଷ ମହାନ ଆଡମ୍ବର ଏବଂ ଶ୍ରଦ୍ଧାର ସହିତ ପାଳନ କରାଯାଏ | ଭଗବାନ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରାଙ୍କ ସହିତ ପ୍ରସ୍ତୁତ ଭବ୍ୟ ରଥରେ ବିରାଜମାନ କରନ୍ତି | ତିନି କିଲୋମିଟରରୁ ଅଧିକ ଦୂର ଗୁଣ୍ଡିଚା ମନ୍ଦିର, ଯାହା ମାଉସୀମା ମନ୍ଦିର ନାମରେ ମଧ୍ୟ ଜଣାଶୁଣା, ଭକ୍ତମାନଙ୍କ ଦ୍ବାରା ଟଣା ଯାଉଥିବା ରଥରଏହି ଶୋଭାଯାତ୍ରା କେବଳ ଏକ ଦୃଶ୍ୟ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଉତ୍ସାହ ଏବଂ ଦିବ୍ୟ ମିଳନର ଏକ ଗଭୀର ନିଦର୍ଶନ ଅଟେ |

ଚୈତନ୍ୟ ମହାପ୍ରଭୁ ଭଗବାନ ଜଗନ୍ନାଥଙ୍କୁ କେବଳ ଏକ ପ୍ରତିମା ନୁହେଁ ବରଂ ତାଙ୍କର ପ୍ରିୟତମ ଶ୍ରୀକୃଷ୍ଣଙ୍କର ଅବତାର ଭାବରେ ଦେଖୁଥିଲେ । ସେ ତାଙ୍କର ଦିବ୍ୟ ଦର୍ଶନ ପାଇଁ ବ୍ୟାକୁଳିତ ରହୁଥିଲେ ଏବଂ ସେଥିପାଇଁ ବାରମ୍ବାର ମନ୍ଦିରକୁ ଯାଉଥିଲେ | କିନ୍ତୁ ପ୍ରଭୁଙ୍କର ଦିବ୍ୟ ବିଗ୍ରହକୁ ସେ କିଞ୍ଚିତ୍ ଦୂରରେ ରହି ଅବଲୋକନ କରୁଥିଲେ, ଅଧିକ ନିକଟକୁ ଯିବା ପ୍ରତି ସେ ସାବଧାନ ରହୁଥିଲେ, ଏଥିପାଇଁ ଯେ କାଳେ ତାଙ୍କର ବିବେକଶୀଳ ଦୃଷ୍ଟି ପ୍ରଭୁଙ୍କଠାରେ ଦୋଷ ଦର୍ଶନ କରି ତାଙ୍କର ବିଶୁଦ୍ଧ ଭକ୍ତିକୁ କଳୁଷିତ କରିଦେବ | ତାଙ୍କ ହୃଦୟର ବ୍ୟାକୁଳତା ଏତେ ବେଶୀ ଥିଲା ଯେ ଭକ୍ତିଭାବରେ ସେ ଯେତେବେଳେ ମନ୍ଦିରର ପ୍ରସ୍ତର ଦୁଆରବନ୍ଧକୁ ସ୍ପର୍ଶ କରୁଥିଲେ, ତାଙ୍କ ପ୍ରଗାଢ଼ ପ୍ରେମର ତାପରେ ପଥର ତରଳି ଯାଉଥିଲା ଏବଂ ସେଠାରେ ତାଙ୍କ ହସ୍ତଅଙ୍ଗୁଳିର ସ୍ଥାୟୀ ଛାପ ରହି ଯାଉଥିଲା, ଯାହା ତାଙ୍କ ଦିବ୍ୟ ଭାବର ନିଦର୍ଶନ ରୂପେ ଆଜି ମଧ୍ୟ ପୁରୀ ମନ୍ଦିରରେ ଦେଖିବାକୁ ମିଳିଥାଏ |

ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ଏକ ପବିତ୍ର ଅନ୍ତରାଳ ଆସିଥାଏ, ଯେଉଁ ସମୟରେ ଭଗବାନ ଜଗନ୍ନାଥ ଅସୁସ୍ଥ ରହନ୍ତି ଏବଂ ଭକ୍ତମାନଙ୍କ ପାଇଁ ମନ୍ଦିର କବାଟ ପନ୍ଦର ଦିନ ବନ୍ଦ ରହେ | ସେହି ସମୟରେ ଚୈତନ୍ୟ ମହାପ୍ରଭୁ ନିଜ ଭିତରେ ତୀବ୍ର ବିରହର ପୀଡା ଅନୁଭବ କରନ୍ତି | ଦର୍ଶନ ନିମନ୍ତେ ସେ ସେଠାରୁ ୧୮ କିଲୋମିଟର୍ ଦୂରରେ ସ୍ଥିତ ଅଲାରନାଥ ତୀର୍ଥକୁ ଯାଆନ୍ତି ଏବଂ ସେଠାରେ ଶୋଇ ରହନ୍ତି | ତାଙ୍କ ବିରହର ତାପରେ ଯେଉଁ ପଥର ଉପରେ ସେ ଶୟନ କରିଥାଆନ୍ତି, ସେହି ପଥରଟି ମଧ୍ୟ ତରଳି ଯାଏ | ଏହା ତାଙ୍କର ଉତ୍କଟ ଭକ୍ତିଭାବର ପ୍ରମାଣ ଅଟେ, ଯାହା ଯୁଗ ଯୁଗ ଧରି ସ୍ପଷ୍ଟ ପ୍ରତୀୟମାନ |

ପରିଶେଷରେ ଯେତେବେଳେ ମନ୍ଦିର ଦ୍ବାର ଖୋଲେ ଏବଂ ଜଗନ୍ନାଥ ପ୍ରକଟ ହୋଇଥାଆନ୍ତି, ସେତେବେଳେ ଲୋକମାନଙ୍କର ଉତ୍ସୁକତା ସ୍ପଷ୍ଟ ପ୍ରତୀତ ହୋଇଥାଏ | ରଥଯାତ୍ରାର ବିରାଟ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଅତ୍ୟନ୍ତ ସାବଧାନପୂର୍ବକ୍ ତାଙ୍କର ଭକ୍ତମାନଙ୍କୁ ଭିନ୍ନ ଭିନ୍ନ ଦଳରେ ସଂଗଠିତ କରିଥାଆନ୍ତି | ପ୍ରତ୍ୟେକ ଦଳରେ ସେ ମୃଦଙ୍ଗ-ବାଦକ, ଗାୟକ ଏବଂ ପାଳିଆମାନଙ୍କୁ ରଖିଥାଆନ୍ତି, ଯେପରି କି ଶୋଭାଯାତ୍ରାର ପ୍ରତ୍ୟେକ କ୍ଷଣ ଭକ୍ତି ଏବଂ ଉତ୍ସବର ସ୍ବରରେ ଝଂକୃତ ହେବ |

ରଥଗୁଡିକ ଯେତେବେଳେ ଆଗକୁ ଗଡିବାକୁ ଆରମ୍ଭ କରନ୍ତି, ଭକ୍ତମାନେ ଉନ୍ମାଦପୂର୍ଣ୍ଣ ଆନନ୍ଦରେ ନୃତ୍ୟ କରିବାରେ ଲାଗନ୍ତି | ସମସ୍ତଙ୍କର କେନ୍ଦ୍ରସ୍ଥଳୀରେ ମହାପ୍ରଭୁ ଦିବ୍ୟ ଉତ୍ସାହରେ ନୃତ୍ୟ କରିବାରେ ଲାଗନ୍ତି | ତାଙ୍କର ନୃତ୍ୟ କିଛି ଭୌତିକ ମୁଦ୍ରାର ପ୍ରଦର୍ଶନ ନ ଥାଏ, ବରଂ ଦିବ୍ୟ ପ୍ରେମର ଏକ ଅଭିବ୍ୟକ୍ତି ଥାଏ, ଯାହା ତାଙ୍କଠାରେ ସେହି ରାଧାଭାବର ଉଦ୍ରେକ କରିଥାଏ ଯେ ସେ ଶ୍ରୀକୃଷ୍ଣଙ୍କୁ ବୃନ୍ଦାବନକୁ ଫେରାଇ ନେଉଛନ୍ତି | ନିଜ ହୃଦୟରେ ମହାପ୍ରଭୁ ରାଧାଙ୍କର ସେହି କୋମଳ ଆହ୍ଲାଦ ଅନୁଭବ କରିଥାଆନ୍ତି | ପୁନର୍ମିଳନ ଏବଂ ପ୍ରେମର ଦିବ୍ୟ ଭାବନାରେ ଓତପ୍ରୋତ ସେହିପରି ଆନନ୍ଦ ଗୋପୀମାନେ ଅନୁଭବ କରିଥିଲେ ଯେତେବେଳେ ସେମାନେ ଶ୍ରୀକୃଷ୍ଣ, ବଳରାମ ଏବଂ ସୁଭଦ୍ରାଙ୍କୁ ରଥରେ ବସାଇ କୁରୁକ୍ଷେତ୍ରରୁ ବ୍ରଜକୁ ନେଇ ଆସୂଥିଲେ |

ରଥ ସମ୍ମୁଖରେ ମହାପ୍ରଭୁଙ୍କର ଭାବପୂର୍ଣ୍ଣ ନୃତ୍ୟ ରଥଯାତ୍ରାର ଆଧ୍ୟାତ୍ମିକ ଗୌରବକୁ ଉନ୍ନୀତ କରି ନୂତନ ଉତ୍କର୍ଷତା ପ୍ରଦାନ କରିଥାଏ | ମହାପ୍ରଭୁଙ୍କର ଭକ୍ତି ଭାବରେ ପ୍ରେରିତ ହୋଇ ଅଧୁନା ବିଶ୍ବର ଅନେକ ସହରରେ ଭକ୍ତମାନେ ଶ୍ରଦ୍ଧାର ସହିତ କେବଳ ଜଗନ୍ନାଥ ଭଗବାନଙ୍କର ନୁହେଁ, ରାଧାକୃଷ୍ଣ, ସୀତାରାମ ଏବଂ ଅନ୍ୟ ଅନେକ ଦିବ୍ୟ ବିଗ୍ରହମାନଙ୍କର ରଥଯାତ୍ରା ପାଳନ କରୁଛନ୍ତି |

ରଥଯାତ୍ରାର ମହତ୍ତ୍ବ 

ଭକ୍ତମାନଙ୍କ ପାଇଁ ରଥଯାତ୍ରାର ଗଭୀର ଆଧ୍ୟାତ୍ମିକ ମହତ୍ତ୍ବ ରହିଛି | ଏହା ଜୀବନ-ଯାତ୍ରାର ପ୍ରତୀକ ଅଟେ, ଯହିଁରେ ଦିବ୍ୟ ରଥମାନଙ୍କର ଗତି ଆତ୍ମାର ମୁକ୍ତି ଅଭିମୁଖରେ ମହାନ୍ ଯାତ୍ରାକୁ ସୂଚାଇ ଥାଏ | ରଥ ଟଣାକୁ ଈଶ୍ବରୀୟ କୃପା ପ୍ରାପ୍ତ କରିବା ଏବଂ ପାପ କ୍ଷୟ କରିବାର ସାଧନ ରୂପେ ଗ୍ରହଣ କରାଯାଏ | ଏହି ଉତ୍ସବରେ ଭଗବାନ ଜଗନ୍ନାଥ ନିଜ ଭାଈଭଉଣୀଙ୍କ ସହିତ ଭକ୍ତ ଗହଣରେ ରହିବା ପାଇଁ ଗର୍ଭଗୃହ ଛାଡି ବାହାରକୁ ଆସିଥାଆନ୍ତି, ଯାହା ଭଗବାନଙ୍କ ସୁଲଭତାର ସ୍ମରଣ କରାଇ ଥାଏ |

ଜଗନ୍ନାଥ ରଥଯାତ୍ରାର ଭବ୍ୟ ମହୋତ୍ସବ

ରଥଯାତ୍ରାର ପ୍ରସ୍ତୁତି ମାସକ ପୂର୍ବରୁ ଆରମ୍ଭ ହୋଇଥାଏ | କୁଶଳ କାରିଗରମାନଙ୍କ ଦ୍ବାରା ଅତ୍ୟନ୍ତ ସାବଧାନପୂର୍ବକ କାଠର ସେହି ବିଶାଳ ରଥଗୁଡିକ ନିର୍ମାଣ କରାଯାଇ ଥାଏ | ପ୍ରତ୍ୟେକ ରଥର ରଚନାଶୈଳୀ ଏବଂ ମହତ୍ତ୍ବ ସ୍ବତନ୍ତ୍ର ଅଟେ |

  1. ନନ୍ଦିଘୋଷ: ଭଗବାନ ଜଗନ୍ନାଥଙ୍କର ରଥ, ଯାହା ହଳଦିଆ ଏବଂ ଲାଲ ରଙ୍ଗର ବସ୍ତ୍ରରେ ସୁସଜ୍ଜିତ |
  2. ତାଳଧ୍ବଜ: ଶ୍ରୀ ବଳଭଦ୍ରଙ୍କର ରଥ ସବୁଜ ଏବଂ ଲାଲ ରଙ୍ଗର ବସ୍ତ୍ରରେ ସୁସଜ୍ଜିତ |
  3. ଦର୍ପଦଳନ: ଦେବୀ ସୁଭଦ୍ରାଙ୍କର ରଥ କଳା ଏବଂ ଲାଲ ରଙ୍ଗର ବସ୍ତ୍ରରେ ସଜ୍ଜିତ |

ଉତ୍ସବ ଦିନ ବିଗ୍ରହମାନଙ୍କୁ ମହା ସମାରୋହରେ ଜଗନ୍ନାଥ ମନ୍ଦିର ଭିତରୁ ଆଣି ତାଙ୍କ ନିଜ-ନିଜ ରଥ ଉପରେ ଅଧିଷ୍ଠିତ କରାଯାଇ ଥାଏ | ମନ୍ତ୍ରୋଚ୍ଚାରଣ, ଭକ୍ତି ସଙ୍ଗୀତ ଏବଂ ଢୋଲ-ମୃଦଙ୍ଗର ତାଳେ ତାଳେ ଲକ୍ଷ ଲକ୍ଷ ଭକ୍ତ ବଡଦାଣ୍ଡରେ ରଥଗୁଡିକୁ ତିନି କିଲୋମିଟର୍ ଦୂର ଗୁଣ୍ଡିଚା ମନ୍ଦିରକୁ ଟାଣି ନିଅନ୍ତି | ଏହି ଯାତ୍ରା, ଯାହାକୁ ପହଣ୍ଡି ଯାତ୍ରା ମଧ୍ୟ କହନ୍ତି, ଭକ୍ତି ଏବଂ ଶକ୍ତିର ଏକ ସମ୍ମୋହନକାରୀ ଦୃଶ୍ୟ ଅଟେ |
ବିଗ୍ରହମାନେ ଗୁଣ୍ଡିଚା ମନ୍ଦିରରେ ଏକ ସପ୍ତାହ ରହିବା ପରେ ପୁନର୍ବାର ସେହିପରି ଏକ ଭବ୍ୟ ଶୋଭାଯାତ୍ରାରେ, ଯାହାକୁ ବାହୁଡା ଯାତ୍ରା କହନ୍ତି, ଜଗନ୍ନାଥ ମନ୍ଦିରକୁ ଫେରି ଆସନ୍ତି | ଭଗବାନଙ୍କର ବାହୁଡା ଯାତ୍ରା ମଧ୍ୟ ସେହିପରି ଚିତ୍ତାକର୍ଷକ ଅଟେ ଏବଂ ଏହା ଉତ୍ସବର ସମାପ୍ତି ସୂଚିତ କରିଥାଏ |

ରଥଯାତ୍ରା କେବଳ ଏକ ପର୍ବ ବା ଉତ୍ସବ ନୁହେଁ; ଏହା ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ଐତିହର ଏକ ଜୀବନ୍ତ ଅଭିବ୍ୟକ୍ତି ଅଟେ | ଏହା ଜାତି, ଧର୍ମ, ବିଶ୍ବାସ ଏବଂ ରାଷ୍ଟ୍ରୀୟତା ଆଦି ବାଧାର ଉର୍ଦ୍ଧ୍ବରେ ଲୋକଙ୍କୁ ଜଗନ୍ନାଥଙ୍କ ପ୍ରତି ସେମାନଙ୍କ ହୃଦୟରେ ଥିବା ପ୍ରେମଭାବରେ ଏକଜୁଟ କରିଥାଏ | ଆପଣ ଭଗବତ୍-ଅନୁରାଗୀ ଜଣେ ଭକ୍ତ ହୋଇଥାଆନ୍ତୁ କିମ୍ବା ଜଣେ ଜିଜ୍ଞାସୁ ଯାତ୍ରୀ ହୋଇଥାଆନ୍ତୁ, ସମସ୍ତଙ୍କ ପାଇଁ ରଥଯାତ୍ରାର ଅନୁଭବ ଆଧ୍ୟାତ୍ମିକ ଜାଗରଣ ଏବଂ ସାଂସ୍କୃତିକ ଉଦବୁଦ୍ଧତାର ଏକ ଯାତ୍ରା ଅଟେ | ରାସ୍ତାରେ ରଥଗୁଡିକ ଗଡି ଯାଉଥିବା ବେଳେ ସେମାନେ ପ୍ରେମ, ଏକତା ଏବଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଶାଶ୍ବତ ବନ୍ଧନର ଚିରନ୍ତନ ସନ୍ଦେଶ ବହନ କରି ଚାଲିଥାଆନ୍ତି |