Log in
English

ବ୍ୟାସ ପୂର୍ଣ୍ଣିମା: ମହର୍ଷି ବେଦବ୍ୟାସଙ୍କର ପ୍ରାକଟ୍ୟ ଦିବସ

Jul 19th, 2024 | 5 Min Read
Blog Thumnail

Category: Festivals

|

Language: Oriya

ଜୀବର ଅଜ୍ଞାନ ଦୂର କରି, ତା’ ସମ୍ମୁଖରେ ସତ୍ୟଜ୍ଞାନର ମାର୍ଗ ପ୍ରକାଶିତ କରିବା ଉଦ୍ଦେଶ୍ୟରେ ଜ୍ଞାନର ଆକାଶଦୀପ ଭାବରେ ଅନାଦି କାଳରୁ ସନ୍ଥ ଏବଂ ଋଷି-ମୁନିମାନେ ଏହି ଭୂଲୋକରେ ଅବତରିତ ହୋଇ ଆସିଛନ୍ତି | ସେହି ସବୁ ପ୍ରଖ୍ୟାତ ବିଭୂତିମାନଙ୍କ ମଧ୍ୟରେ କୃଷ୍ଣ ଦ୍ବୈପାୟନ, ଯିଏ ମହର୍ଷି ବେଦବ୍ୟାସ ଭାବରେ ଅଧିକ ପରିଚିତ, ଭାରତୀୟ ଐତିହର ମହାନ୍ ଚିତ୍ରପଟରେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରନ୍ତି | ତେଜସ୍ବୀ ସୂର୍ଯ୍ୟ ସଦୃଶ ଯିଏ ଜ୍ଞାନର ମୂର୍ତ୍ତିମାନ ବିଗ୍ରହ ଅଟନ୍ତି, ଭଗବଦ୍ ଗୀତାରେ ସ୍ବୟଂ ଭଗବାନ ଘୋଷଣା କରିଥିବା ପ୍ରକାରେ, ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଅବତାର ମନେ କରାଯାଇ ଥାଏ |

ତାଙ୍କର ପ୍ରାକଟ୍ୟ ଦିବସ (ଏହି ବର୍ଷ ତାହା ଜୁଲାଇ ୨୧ ତାରିଖ) କୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଇ ଥାଏ |

ଅଷ୍ଟାଦଶ ପୁରାଣ, ବ୍ରହ୍ମ ସୂତ୍ର ପରି ଶାସ୍ତ୍ରକୃତି ଏବଂ ମହାଭାରତ ପରି ମହାକାବ୍ୟର ରଚୟିତା ଭାବରେ ଖ୍ୟାତ, ମହର୍ଷି ବେଦବ୍ୟାସ, ବୈଦିକ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅଥାହ କାର୍ଯ୍ୟ ମାଧ୍ୟମରେ ମାନବତାର ଏକାଧିକ ପିଢିର ମାର୍ଗଦର୍ଶନ କରିଛନ୍ତି |   

ବେଦ କୌଣସି ପୁସ୍ତକର ନାମ ନୁହେଁ | ଜଗତର ଉତ୍ପତ୍ତି କାଳରେ ଭଗବାନ ବେଦକୁ ପ୍ରକଟ କରିଥିଲେ | ସର୍ବପ୍ରଥମେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ବେଦକୁ ପ୍ରକାଶିତ କରିଥିଲେ | ପରେ ଯୁଗ ଯୁଗ ଧରି ଏହି ବେଦ ମୌଖିକ ପରମ୍ପରାରେ ଗୁରୁଙ୍କଠାରୁ ଶିଷ୍ୟ ପାଖକୁ ଯିବାରେ ଲାଗିଲା; ସେଥିପାଇଁ ଏହାର ଅନ୍ୟ ଏକ ନାମ ଶ୍ରୁତି ଅଟେ (ଶ୍ରବଣ ଦ୍ବାରା ଗୃହୀତ ଜ୍ଞାନ) | ଏହାକୁ ଅପୌରୁଷେୟ ମଧ୍ୟ କୁହାଯାଏ (କୌଣସି ମାନବ ଦ୍ବାରା ରଚିତ ନୁହେଁ) | ବେଦ ଜ୍ଞାନ ରୂପରେ ସ୍ବୟଂ ଈଶ୍ବର-ରୂପ ଅଟେ | ସେଥିପାଇଁ ଭାରତୀୟ ଦର୍ଶନରେ କୌଣସି ଆଧ୍ୟାତ୍ମିକ ସିଦ୍ଧାନ୍ତର ପୁଷ୍ଟିକରଣ ନିମନ୍ତେ ବେଦକୁ ସର୍ବୋଚ୍ଚ ପ୍ରାଧିକାରୀ ରୂପେ ଗ୍ରହଣ କରାଯାଇ ଥାଏ |

ବେଦବ୍ୟାସ ସେହି ମହାନ୍ ବିଭୂତି ଅଟନ୍ତି ଯିଏ ବେଦକୁ ଲିଖିତ ରୂପ ପ୍ରଦାନ କରିଥିଲେ ଏବଂ ତାହାକୁ ଚାରି ଭାଗରେ ବିଭକ୍ତ କରିଥିଲେ: ଋକବେଦ, ଯଜୁର୍ବେଦ, ସାମବେଦ ଏବଂ ଅଥର୍ବ ବେଦ | ତଦ୍ଦ୍ୱାରା ସେ ବେଦବ୍ୟାସ ନାମରେ ଖ୍ୟାତ ହେଲେ, ବେଦର ବିଭାଜକ |
ମହର୍ଷି ବେଦବ୍ୟାସଙ୍କୁ ପ୍ରାୟତଃ ଲୋକେ ଭ୍ରମବଶତଃ ବେଦର ଉଦ୍ଭାବକ ମନେକରନ୍ତି; କିନ୍ତୁ ବାସ୍ତବରେ ସେ ବେଦର ଉପଯୋଗିତାକୁ ଲୋକଲୋଚନରେ, ବିଶେଷତଃ କଳିଯୁଗ ପାଇଁ, ସ୍ପଷ୍ଟ କରିଥିଲେ | ସେ ବୈଦିକ ଜ୍ଞାନକୁ କୁଶଳତାପୂର୍ବକ ସରଳ ଏବଂ ଅଧିକ ବୋଧଗମ୍ୟ ରୂପରେ ବ୍ୟବସ୍ଥିତ ଏବଂ ପ୍ରସ୍ତୁତ କରିଥିଲେ, ଠିକ୍ ଯେପରି ମାନବ ଜାତି ଗୁରୁତ୍ବାକର୍ଷଣର ପ୍ରାକୃତିକ ନିୟମ ଏବଂ ଭୌତିକ ପ୍ରଗତି ନିମନ୍ତେ ତା’ର ପ୍ରୟୋଗ ସମ୍ବନ୍ଧରେ ଖୋଜି ବାହାର କରିଥିଲା |

ଜଣେ ବାସ୍ତବିକ ଆଧ୍ୟାତ୍ମିକ ଗୁରୁ ଜ୍ଞାନ ଏବଂ ପ୍ରଜ୍ଞାକୁ କେବଳ ବିଦ୍ବାନମାନଙ୍କ ମଧ୍ୟରେ ସୀମିତ ରଖିବା ପରିବର୍ତ୍ତେ, ତାହାକୁ ସାଧାରଣ ମନୁଷ୍ୟ ନିମନ୍ତେ ବୋଧଗମ୍ୟ ଏବଂ ଗ୍ରହଣୀୟ ରୂପରେ ପ୍ରସାରିତ କରିବାର ପ୍ରୟାସ କରିଥାଆନ୍ତି | ଉପନିଷଦ, ଯାହା ବେଦର ଦାର୍ଶିନିକ ସାରର ପ୍ରତିନିଧିତ୍ବ କରିଥାଏ, ସାଧାରଣ ବ୍ୟକ୍ତିଙ୍କ ପାଇଁ ତାହା ପର୍ଯ୍ୟାପ୍ତ ମାତ୍ରାରେ ଗଭୀର ସାବ୍ୟସ୍ତ ହୋଇପାରେ | ମହର୍ଷି ବେଦବ୍ୟାସ ମାନବ ଜାତିର କଲ୍ୟାଣ ହେତୁ ଉପନିଷଦର ସାରାଂଶ ରୂପେ ବ୍ରହ୍ମସୂତ୍ର ରଚନା କରିଥିଲେ, ଯାହା ବୈଦିକ ଜ୍ଞାନର ଦାର୍ଶନିକ ନିଷ୍କର୍ଷ ଅଟେ |

ଜ୍ଞାନର ମହୋଦଧି ମହାଭାରତ, ଯାହା ଜୀବନର ପ୍ରତ୍ୟେକ ଦିଶାକୁ ପ୍ରକାଶିତ କରିଥାଏ, ତାହା ମଧ୍ୟ ମହର୍ଷି ବେଦବ୍ୟାସଙ୍କ ଦ୍ବାରା ରଚିତ ଅଟେ | ପଞ୍ଚମ ବେଦ ଭାବରେ ସମ୍ମାନିତ ଏହି ମହାକାବ୍ୟ ଅଧର୍ମ ଉପରେ ଧର୍ମର ବିଜୟକୁ ଉଜାଗର କରିଥାଏ | ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ଭୂମିକାକୁ ସେ ଦିବ୍ୟ ଅବତାର ରୂପରେ ସ୍ପଷ୍ଟ କରିଛନ୍ତି ଏବଂ ମାନବତାକୁ କାଳଜୟୀ ଭଗବଦ୍ ଗୀତାର ଗହନ ସନ୍ଦେଶ ପ୍ରଦାନ କରିଛନ୍ତି, ଯାହା ବିଶ୍ବସ୍ତରରେ ସର୍ବୋଚ୍ଚ ଜ୍ଞାନର ଗ୍ରନ୍ଥ ରୂପେ ସମ୍ମାନର ସହ ଆଦୃତ | ମହର୍ଷି ବ୍ୟାସ ଜ୍ଞାନର ଏପରି ସମୃଦ୍ଧ ଐତିହ ଛାଡି ଯାଇଛନ୍ତି, ଯାହା ବାସ୍ତବରେ ଅବିସ୍ମରଣୀୟ !!

ଗୁରୁ ଭକ୍ତିର ମହିମା

ଆଦି ଜଗଦଗୁରୁ ଶ୍ରୀ ଶଂକରାଚାର୍ଯ୍ୟଙ୍କର ଜଣେ ଶିଷ୍ୟ ଥିଲେ ସନନ୍ଦ, ଯାହାଙ୍କ ହୃଦୟରେ ନିଜ ଗୁରୁଙ୍କ ପ୍ରତି ଅତୁଟ ଶ୍ରଦ୍ଧା ଥିଲା | ଗୁରୁ ଶଂକରାଚାର୍ଯ୍ୟ ଅନ୍ୟ ଶିଷ୍ୟମାନଙ୍କ ଅପେକ୍ଷା ସନନ୍ଦଙ୍କୁ ଶାସ୍ତ୍ରଜ୍ଞାନ କରାଇବା ଦିଗରେ ଅଧିକ ମହତ୍ତ୍ବ ଦେଉଥିଲେ, ସେଥିପାଇଁ ଅନ୍ୟ ଶିଷ୍ୟମାନେ ସନନ୍ଦଙ୍କ ପ୍ରତି ଈର୍ଷ୍ୟାଭାବ ରଖୁଥିଲେ | ସର୍ବଜ୍ଞ ଗୁରୁ ଶଂକରାଚାର୍ଯ୍ୟ କୃପା କରି ସେମାନଙ୍କ ସମକ୍ଷରେ ସନନ୍ଦଙ୍କ ସମର୍ପଣର ମହାନତା ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ଦୋଷମୁକ୍ତ କରିବାର ନିର୍ଣ୍ଣୟ କଲେ |

ଦିନେ ସନ୍ଧ୍ୟାରେ ଗୁରୁ ଏବଂ ତାଙ୍କର ଶିଷ୍ୟ ଗଙ୍ଗା ନଦୀର ତଟଦେଶରେ ଏକତ୍ରିତ ହୋଇଥିଲେ | ଶଂକରାଚାର୍ଯ୍ୟ ସନନ୍ଦଙ୍କର ନାମ ଧରି ଉଚ୍ଚ ସ୍ବରରେ ତାଙ୍କୁ ଡାକିଲେ, କାରଣ ସେ ନଦୀର ବିପରୀତ ତଟରେ ଥିଲେ | ସନନ୍ଦଙ୍କର ଭକ୍ତି ଏବଂ ଆସ୍ଥା ଏତେ ଗଭୀର ଥିଲା ଯେ ଗୁରୁଙ୍କର ଡାକ ଶୁଣିବା କ୍ଷଣି ସେ ଗୁରୁଙ୍କ ସୁରକ୍ଷାରେ ନିଜକୁ ସୁରକ୍ଷିତ ମନେ କରି ଅତି ଶୀଘ୍ର ନଦୀ ପାର କରି ଧାଇଁ ଆସିଲେ | ସେ ନଦୀ ଜଳ ଉପରେ ଚାଲୁଛନ୍ତି – ଏହି ଜ୍ଞାନ ତାଙ୍କର ରହିଲା ନାହିଁ | କିନ୍ତୁ ସେ ନଦୀ ପାର କରୁଥିବା ସମୟରେ ତାଙ୍କର ଗୁରୁ ଭକ୍ତିରେ ପ୍ରସନ୍ନ ହୋଇ ମା’ ଗଙ୍ଗା ତାଙ୍କର ପାଦତଳକୁ ପଦ୍ମପୁଷ୍ପର ସହାରା ପ୍ରଦାନ କରିଥିଲେ | ସେହି କାରଣରୁ ସନନ୍ଦଙ୍କୁ ପଦ୍ମପାଦ ଉପାଧି ମିଳିଥିଲା |

ଜଗଦଗୁରୁ ଆଦି ଶଂକରାଚାର୍ଯ୍ୟଙ୍କର ଚାରିଜଣ ପ୍ରଧାନ ଶିଷ୍ୟମାନଙ୍କ ମଧ୍ୟରେ ତାଙ୍କର ନାମ ଅନ୍ତର୍ଭୁକ୍ତ – ପଦ୍ମପାଦାଚାର୍ଯ୍ୟ, ହସ୍ତାମଳକାଚାର୍ଯ୍ୟ, ତ୍ରୋଟକାଚାର୍ଯ୍ୟ, ସୁରେଶ୍ବରାଚାର୍ଯ୍ୟ |

ଗୁରୁଙ୍କ ପ୍ରତି ପୂର୍ଣ୍ଣ ସମର୍ପଣଠାରୁ ଅଧିକ ପ୍ରସନ୍ନ ଭଗବାନଙ୍କୁ ଅନ୍ୟ କୌଣସି ବସ୍ତୁ କରି ନ ଥାଏ | ସେହିପରି, ଗୁରୁ ମଧ୍ୟ ସର୍ବାଧିକ ପ୍ରସନ୍ନ ଆମ ନିଜ ଅନ୍ତଃକରଣ ଶୁଦ୍ଧି ରୂପୀ ସେବା ଦ୍ବାରା ହୋଇଥାଆନ୍ତି |
ପବିତ୍ର ଗୁରୁପୂର୍ଣ୍ଣିମାକୁ ନିଜ ହୃଦୟକୁ ଭୌତିକ ଆସକ୍ତି ରୁ ପୂର୍ଣ୍ଣ ମୁକ୍ତ କରି ଗୁରୁ ସେବାରେ ସମର୍ପିତ କରିବାର ଏକ ଅବସର ଭାବରେ ଗ୍ରହଣ କରନ୍ତୁ | ଗୁରୁଦେବଙ୍କ ଚରଣକମଳ ରଜର ଛତ୍ରଛାୟା ବିନା କେହି ମଧ୍ୟ ପରାଭକ୍ତି ବା ଦିବ୍ୟପ୍ରେମ ପ୍ରାପ୍ତ କରିପାରିବେ ନାହିଁ |

ଶ୍ରୀ ଗୁରୁ ପାଦୁକା ସ୍ତୋତ୍ରମ୍ (ଆଦି ଶଂକରାଚାର୍ଯ୍ୟ)

ଅନନ୍ତ ସଂସାର ସମୁଦ୍ରତାର ନୌକାୟିତାଭ୍ୟାଂ ଗୁରୁଭକ୍ତିଦାଭ୍ୟାଂ |
ବୈରାଗ୍ୟ ସାମ୍ରାଜ୍ୟଦପୂଜନାଭ୍ୟାଂ ନମୋ ନମଃ ଶ୍ରୀ ଗୁରୁ ପାଦୁକାଭ୍ୟାମ୍ ||୧||

ମୁଁ ନିଜ ଗୁରୁଦେବଙ୍କ ପବିତ୍ର ଚରଣପାଦୁକାକୁ ବିନମ୍ର ପ୍ରଣାମ କରୁଛି, ଯାହା ଭବସାଗର ଅତିକ୍ରମ କରିବାରେ ନୌକା ସଦୃଶ ମୋର ସହାୟତା କରିଥାଏ, ଯିଏ ମୋତେ ଗୁରୁଭକ୍ତି ପ୍ରଦାନ କରିଥାଏ ଏବଂ ଯାହାର ପୂଜନ କରି ମୁଁ ନିଜ ହୃଦୟରେ ପୂର୍ଣ୍ଣ ତ୍ୟାଗର ସାମ୍ରାଜ୍ୟ ପ୍ରାପ୍ତ କରିଥାଏ |

କବିତ୍ବବାରାଶିନିଶାକରାଭ୍ୟାଂ ଦୌର୍ଭାଗ୍ୟଦାବାଂ ବୁଦମାଲିକାଭ୍ୟାମ୍ |
ଦୂରିକୃତାନମ୍ର ବିପତ୍ତତିଭ୍ୟାଂ ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ||୨||

ଉଦବେଳିତ ଜ୍ଞାନର ସାଗର ନିମନ୍ତେ ଯିଏ ପୂର୍ଣ୍ଣଚନ୍ଦ୍ର ସଦୃଶ ଅଟନ୍ତି, ଦୁର୍ଭାଗ୍ୟର ଦାବାନଳ ନିମନ୍ତେ ଯିଏ ବର୍ଷଣମୁଖର ମେଘ ସଦୃଶ ଅଟନ୍ତି, ଯାହାର ପୂଜନ ସମସ୍ତ ବିପତ୍ତିକୁ ଦୂର କରି ଦେଇଥାଏ, ମୁଁ ମୋ ଗୁରୁଦେବଙ୍କର ସେହି ପାଦୁକାକୁ ବାରମ୍ବାର ନମସ୍କାର କରୁଛି |

ନତା ୟୟୋଃ ଶ୍ରୀପତିତାଂ ସମୀୟୁଃ କଦାଚିଦପ୍ୟାଶୁ ଦରିଦ୍ରବର୍ୟାଃ |
ମୂକାଶ୍ଚ ବାଚସ୍ପତିତାଂ ହି ତାଭ୍ୟାଂ ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ||୩||

ଯାହାର ପୂଜନ କରିବା ଦ୍ବାରା ବ୍ୟକ୍ତି ସମୃଦ୍ଧିକୁ ପ୍ରାପ୍ତ ହୋଇଥାଏ, ଏପରି କି ଦାରିଦ୍ର୍ୟର କର୍ଦ୍ଦମରେ ବୁଡି ରହିଥିବା ବ୍ୟକ୍ତି ମଧ୍ୟ ସମୃଦ୍ଧ ହୋଇଯାଏ, ମୂକ ବ୍ୟକ୍ତି ପ୍ରଗଳଭ ବକ୍ତା ପାଲଟି ଯାଏ, ଗୁରୁଦେବଙ୍କର ସେହି ସମସ୍ତ ଶ୍ରୀଯୁକ୍ତ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି |

ନାଲୀକନୀକାଶ ପଦାହୃତାଭ୍ୟାଂ ନାନା ବିମୋହାଦି ନିବାରିକାଭ୍ୟାମ୍ |
ନମଜ୍ଜନାଭୀଷ୍ଟତତିପ୍ରଦାଭ୍ୟାଂ ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ||୪||

ପରମ ଆକର୍ଷକ ଗୁରୁଚରଣାମ୍ବୁଜ ମାୟା ଦ୍ବାରା ଉତ୍ପନ୍ନ ବିବିଧ ବାସନାକୁ ସମୂଳେ ନଷ୍ଟ କରିଦିଏ | ବିନୀତ ଭାବରେ ସେହି ଚରଣରେ ସିର ଅବନତ କରୁଥିବା ବ୍ୟକ୍ତିର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ | ଗୁରୁଦେବଙ୍କର ସେହି ସମୃଦ୍ଧିବର୍ଦ୍ଧକ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି |

ନୃପାଳି ମୌଳି ବ୍ରଜ ରତ୍ନକାନ୍ତି ସରିଦ୍ବିରାଜଜ୍ଝଷକନ୍ୟକାଭ୍ୟାମ୍ |
ନୃପତ୍ବଦାଭ୍ୟାଂ ନତଲୋକପଂକ୍ତେଃ ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ||୫||

ଏହି ପାଦୁକା ରାଜାଙ୍କର ମୁକୁଟରେ ଜଟିତ ରତ୍ନର କାନ୍ତି ସଦୃଶ ସଦା ଦ୍ୟୁତିମାନ ରହିଥାଏ | ମକର ପରିପୂର୍ଣ୍ଣ ବିଶାଳ ନଦୀରେ ଏହା ମନମୋହିନୀ ନବଯୁବତୀ ସଦୃଶ (ଅଭୟ ରୂପୀ ସୌନ୍ଦର୍ଯ୍ୟର ଆନନ୍ଦ ପ୍ରଦାନ କରି) ଉପସ୍ଥିତ ରହିଥାଏ | ଯେଉଁମାନେ ଏହା ପ୍ରତି ନତମସ୍ତକ ରହନ୍ତି, ସେମାନଙ୍କୁ ଏହା ସମ୍ରାଟ ତୁଲ୍ୟ ସମ୍ପ୍ରଭୁତା ପ୍ରଦାନ କରିଥାଏ | ଗୁରୁଦେବଙ୍କର ସେହି ଅଭୟ ଚରଣପାଦୁକାକୁ ମୁଁ ବାରମ୍ବାର ପ୍ରଣାମ କରୁଛି |

ପାପାନ୍ଧକାରାର୍କ ପରମ୍ପରାଭ୍ୟାଂ ତାପତ୍ରୟାହୀନ୍ଦ୍ର ଖଗେଶ୍ବରାଭ୍ୟାମ୍ |
ଜାଡ୍ୟାବ୍ଧି ସଂଶୋଷଣ ବାଡବାଭ୍ୟାଂ ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ||୬||

ଏହା ଅନ୍ତହୀନ ପାପାନ୍ଧକାରକୁ ନାଶ କରୁଥିବା ସୂର୍ଯ୍ୟ ସଦୃଶ ଅଟେ | ତ୍ରିତାପ (ଦୈହିକ, ଦୈବିକ ଏବଂ ଭୌତିକ) ରୂପୀ ସର୍ପର ବିନାଶ ହେତୁ ଏହା ପକ୍ଷୀରାଜ ଗରୁଡ଼ଙ୍କ ସଦୃଶ ଅଟେ | ଅଜ୍ଞାନ ମହାସାଗରକୁ ଶୁଷ୍କ କରିବା ନିମନ୍ତେ ଏହା ଅଗ୍ନିଦାହ ସଦୃଶ ଅଟେ | ଗୁରୁଦେବଙ୍କର ଏହି ଅଭୟ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି |

ଶମାଦିଷଟକ ପ୍ରଦବୈଭବାଭ୍ୟାଂ ସମାଧିଦାନ ବ୍ରତଦୀକ୍ଷିତାଭ୍ୟାମ୍ |
ରମାଧବାଘ୍ରିଂସ୍ଥିରଭକ୍ତିଦାଭ୍ୟାଂ ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ||୭||

ଏହା ମନ ନିୟନ୍ତ୍ରଣଠାରୁ ଆରମ୍ଭ କରି ଷଟ୍ ସମ୍ପତ୍ତି ପ୍ରଦାନ କରିଥାଏ ଯାହା ପରୋପକାର ଏବଂ ନିଃସ୍ବାର୍ଥପରତାରେ ଆବଦ୍ଧ ହୋଇ ସଂକଲ୍ପିତ ସମାଧି ଅଭିମୁଖରେ ଯୋଗୀକୁ ଅଗ୍ରସର କରାଇ ଥାଏ | ଏହି ପାଦୁକା ମୋକ୍ଷର ହେତୁ ଏବଂ ନିଶ୍ଚଳା ଭକ୍ତି ପ୍ରଦାୟକ ଅଟେ | ଗୁରୁଦେବଙ୍କର ଏହି ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି |

ସ୍ବାର୍ଚାପରାଣାଂ ଅଖିଳେଷ୍ଟଦାଭ୍ୟାଂ ସ୍ବାହାସହାୟାକ୍ଷଧୁରନ୍ଧରାଭ୍ୟାମ୍ |
ସ୍ବାନ୍ତାଚ୍ଛଭାବପ୍ରଦପୂଜନାଭ୍ୟାଂ ନମୋ ନମଃ ଶ୍ରୀଗୁରୁପାଦୁକାଭ୍ୟାମ୍ ||୮||

ଏହା ସେହି ବ୍ୟକ୍ତିମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରିଥାଏ ଯେଉଁମାନେ ପରୋପକାରରେ ଲିପ୍ତ ରହିଥାଆନ୍ତି ଏବଂ ଆବଶ୍ୟକତା ଅନୁରୂପ ଲୋକଙ୍କର ସହାୟତା କରିବା ଦିଗରେ ସଦା ତତ୍ପର ରହିଥାଆନ୍ତି | ଏହାର ପୂଜା-ଅର୍ଚ୍ଚନା କରିବା ଦ୍ବାରା ହୃଦୟର ଶୁଦ୍ଧିକରଣ ହୋଇଯାଏ | ଗୁରୁଦେବଙ୍କର ଏହି ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି |

କାମାଦିସର୍ପ ବ୍ରଜଗାରୁଡାଭ୍ୟାଂ ବିବେକବୈରାଗ୍ୟ ନିଧିପ୍ରଦାଭ୍ୟାମ୍ |
ବୋଧପ୍ରଦାଭ୍ୟାଂ ଦ୍ରୁତମୋକ୍ଷଦାଭ୍ୟାଂ ନମୋ ନମଃ ଶ୍ରୀଗୁରୁପାଦୁକାଭୟାମ୍ ||୯||
କାମାଦି ଷଟ୍ ଦୁର୍ଗୁଣରୂପୀ ସର୍ପମାନଙ୍କ ପାଇଁ ଏହି ପାଦୁକା ଗରୁଡ଼ ତୁଲ୍ୟ ଅଟେ | ଏହା ବିବେକ ଏବଂ ବୈରାଗ୍ୟ ରୂପୀ ନିଧି ପ୍ରଦାନ କରିଥାଏ | ଏହା ଜ୍ଞାନ ପ୍ରଦାନ କରି ଅତି ଶୀଘ୍ର ମୋକ୍ଷ ପ୍ରଦାନ କରିଥାଏ | ଗୁରୁଦେବଙ୍କର ସେହି ସର୍ବ ସମୃଦ୍ଧି ବର୍ଦ୍ଧକ ଚରଣପାଦୁକାକୁ ମୁଁ ବାରମ୍ବାର ନମସ୍କାର କରୁଛି |
 
ଗୁରୁପୂର୍ଣ୍ଣିମାରହାର୍ଦ୍ଦିକଶୁଭକାମନା